Iran drone attacks: ଉପସାଗରୀୟ ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଆମେରିକାକୁ କଡ଼ା ଚେତାବନୀ ଦେବା ପରେ ଇରାନ ରବିବାର କାତାର,ସଂଯୁକ୍ତ ଆରବ ଏମିରେଟ୍ସ (UAE)ଏବଂ କୁଏତକୁ ଲକ୍ଷ୍ୟ କରି ପୁଣି ଥରେ ଡ୍ରୋନ୍ ଆକ୍ରମଣ କରିଛି। ଏହି ଘଟଣା ପରେ ସମଗ୍ର ପଶ୍ଚିମ ଏସିଆରେ ସାମରିକ ଗତିବିଧି ବୃଦ୍ଧି ପାଇଛି।

ଜାହାଜକୁ ଟାର୍ଗେଟ୍, UAEର ପ୍ରତି ଜବାବ

ସୂଚନା ଅନୁଯାୟୀ,କାତାରର ଜଳସୀମାରେ ଥିବା ଏକ ବାଣିଜ୍ୟିକ କାର୍ଗୋ ଜାହାଜ ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରାଯାଇଛି। ମେସାଏଡ୍ ବନ୍ଦର ନିକଟରେ ହୋଇଥିବା ଏହି ଆକ୍ରମଣରେ ଜାହାଜରେ ନିଆଁ ଲାଗିଯାଇଥିଲା। ଅନ୍ୟପଟେ, UAEର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ସେମାନଙ୍କ ବାୟୁସେନା ଦୁଇଟି ଇରାନୀୟ ଡ୍ରୋନକୁ ଆକାଶରେ ହିଁ ଧ୍ୱଂସ କରିଦେଇଛି। କୁଏତ ମଧ୍ୟ ସମାନ ଭାବେ ସେମାନଙ୍କ ଆକାଶମାର୍ଗରେ ଶତ୍ରୁପକ୍ଷର ଡ୍ରୋନ୍ ଚିହ୍ନଟ କରିଥିବା ସ୍ପଷ୍ଟ କରିଛି।

Also Read- US Stargate AI Project Crisis: Iran Attacks UAE Data Centers: ସଙ୍କଟରେ ଆମେରିକାର ୫୦୦ ବିଲିୟନ ଡଲାରର ‘ଷ୍ଟାରଗେଟ୍’ AI ପ୍ରକଳ୍ପ

"ଆମର ଧୈର୍ଯ୍ୟର ସୀମା ଶେଷ": ଇରାନ

ସେପଟେ ଆମେରିକାକୁ ଚରମବାଣୀ ଶୁଣାଇଛି ଇରାନ। ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)କହିଛି ଯଦି ସେମାନଙ୍କ ତୈଳ ଟ୍ୟାଙ୍କର ଉପରେ କୌଣସି ପ୍ରକାର ଆକ୍ରମଣ ହୁଏ,ତେବେ ଆମେରିକାର ସାମରିକ ଘାଟି ଏବଂ ଶତ୍ରୁପକ୍ଷର ଜାହାଜଗୁଡ଼ିକୁ ସୁରକ୍ଷିତ ଛଡ଼ାଯିବ ନାହିଁ। ଇରାନ ସଂସଦର ମୁଖପାତ୍ର ଇବ୍ରାହିମ ରେଜାଇ କହିଛନ୍ତି, "ଆମର ସଂଯମତାର ସୀମା ଆଜି ଶେଷ ହୋଇଛି,ଏଣିକି ପ୍ରତିଟି ଆକ୍ରମଣର ଜବାବ କଠୋର ହେବ।"

ବିଶ୍ୱ ବାଣିଜ୍ୟ ଉପରେ ପ୍ରଭାବ

ହରମୁଜ ପ୍ରଣାଳୀ ଭଳି ଗୁରୁତ୍ୱପୂର୍ଣ୍ଣ ଜଳପଥରେ ଏଭଳି ଆକ୍ରମଣ ଯୋଗୁ ଅନ୍ତର୍ଜାତୀୟ ବାଣିଜ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି। ବ୍ରିଟେନର ସାମୁଦ୍ରିକ ସୁରକ୍ଷା ସଂସ୍ଥା (UKMTO)ସମସ୍ତ ଜାହାଜକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ବ୍ରିଟେନ ନିଜର ଯୁଦ୍ଧ ଜାହାଜ'HMS Dragon'କୁ ଏହି ଅଞ୍ଚଳରେ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି।

ଏହି ସାଂଘାତିକ ପରିସ୍ଥିତି ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ସହ ଏକ ବଡ଼ ଧରଣର ସାମରିକ ସଂଘର୍ଷର କଳାବାଦଲ ଘୋଟି ଆସୁଛି। ଆଗକୁ ଆହୁରି ସ୍ଥିତି ଭୟଙ୍କର ହୋଇପାରେ ବୋଲି କୁହାଯାଉଛି।

Also Read- ଥମିବ ମଧ୍ୟପ୍ରାଚ୍ୟ ଯୁଦ୍ଧ? ପାକିସ୍ତାନ ମାଧ୍ୟମରେ ଇରାନ ପଠାଇଲା ଆମେରିକା ପ୍ରସ୍ତାବର ଜବାବ