ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉପରେ ନୂଆ ଭୋଟରଙ୍କୁ ସଂଯୁକ୍ତ କରିବା ଓ ଭୋଟର ଲିଷ୍ଟରୁ ନାମ ହଟାଇବା ମାମଲାରେ ତାଙ୍କର ୨ ନିର୍ବାଚନ କମିଶନରଙ୍କୁ ଅନ୍ଧକାରରେ ରଖିବାର ଅଭିଯୋଗ ଉଠିଛି। ଏହି ଅଭିଯୋଗର ଦିନକ ପରେ ନିର୍ବାଚନ ଆୟୋଗଙ୍କ ସଫ୍ଟୱେର ECInetକୁ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। କଂଗ୍ରେସ ସାଂସଦ ଶଶି ଥରୁର ଏହି ସଫ୍ଟୱେରକୁ ବେକାର ବୋଲି କହିବା ସହିତ ତୁରନ୍ତ ରଦ୍ଦ କରିବାକୁ ଦାବି କରିଛନ୍ତି।

ନିର୍ବାଚନ ଆୟୋଗ ଭୋଟର ଲିଷ୍ଟର ସୁଧାର ଉଦ୍ଦେଶ୍ୟରେ ଗତବର୍ଷ ଦେଶରେ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର) କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ସମୟରେ ଭୋଟରମାନେ ଇସିଆଇନେଟ୍ ମାଧ୍ୟମରେ ସେମାନଙ୍କ ଫର୍ମ ଓ ଡକ୍ୟୁମେଣ୍ଟ ଜମା କରିଥିଲେ, ଯାହାକୁ ନିର୍ବାଚନ ଅଧିକାରୀ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିମନ୍ତେ ବ୍ୟବହାର କରିଥିଲେ। ତେବେ ଥରୁର ଇସିଆଇନେଟ୍ କୁ ନେଇ ଗୁରୁବାର ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି।

ଏଥିରେ ଥରୁର ଏହା ଏକ ଗୁରୁତର ମାମଲା ଓ ଭାରତୀୟ ନାଗରିକଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିବା ସହିତ ମାନବୀୟ ସୁବିଧାରୁ ଦୂରରେ ରଖାଯାଇଥିବା ଅଭିଯୋଗ କରିଛନ୍ତି। ଥରୁର କହିଛନ୍ତି ରାଜନୈତିକ ଚାଲିବାଜୀ ନିଶ୍ଚିତ ରୂପେ ଖରାପ କଥା ହେଲେ ଅମାନବୀୟ ବ୍ୟବହାର ଆଦୌ ବରଦାସ୍ତ ଯୋଗ୍ୟ ନୁହେଁ। ଥରୁର କହିଛନ୍ତି ଯେ ଇସ୍ତଫା ଏକ ଛୋଟ ଦାବି ଏଥି ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପୁରା ଦେଶକୁ କ୍ଷମା ମାଗିବା ଉଚିତ। ଏବେ ଏହି ବିନାଶକାରୀ ସଫ୍ଟୱେରକୁ ରଦ୍ଦ କରିବା ଓ ଏହା ଯୋଗୁ ଦେଶର ହୋଇଥିବା କ୍ଷତି ଭରଣା କରିବା ଅତ୍ୟନ୍ତ ଜରୁରି ବୋଲି ଥରୁର କହିଛନ୍ତି।

ନିର୍ବାଚନ ଆୟୋଗ ଚଳିତବର୍ଷ ଜାନୁୟାରୀ ମାସରେ ଇସିଆଇନେଟ୍ ଆପ୍ କୁ ଲଞ୍ଚ କରିଥିଲେ। ଗତବର୍ଷ ନଭେମ୍ବର ମାସରେ ବିହାର ନିର୍ବାଚନ କାଳରେ ଏହାର ବିଟା ଭର୍ସନ ଟେଷ୍ଟ କରାଯାଇଥିଲା। ଇସିଆଇନେଟ୍ ୱେବସାଇଟ୍ ଓ ଆପର ଉପଯୋଗ ଜନତାଙ୍କୁ ନିର୍ବାଚନ ଫଳାଫଳର ରିୟଲଟାଇମ ସୂଚନା ଦେବାକୁ କରାଯାଏ। ସେହିପରି ନିର୍ବାଚନ ଅଧିକାରୀ ମଧ୍ୟ ଏହି ଆପ ଓ ପୋର୍ଟଲ ଉପଯୋଗ କରନ୍ତି।