ନୂଆଦିଲ୍ଲୀ: ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର)କୁ ନେଇ ନିର୍ବାଚନ ଆୟୋଗ ଭିତରେ ମତପାର୍ଥକ୍ୟକୁ ନେଇ ଗଣମାଧ୍ୟମ ରିପୋର୍ଟ ପରେ ଦେଶରେ ରାଜନୀତି ଏବେ ଜୋର ଧରିଛି। ଏଥିରେ ଆରୋପ ଓ ପ୍ରତ୍ୟାରୋପର ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ଏଥି ମଧ୍ୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶ ବ୍ୟାପୀ ଆନ୍ଦୋଳନ ଆହ୍ୱାନ ଦେଇଛି। କଂଗ୍ରେସ ୨୫ ସେପ୍ଚେମ୍ବର ଶୁକ୍ରବାର ସବୁ ପ୍ରଦେଶ କାର୍ଯ୍ୟାଳୟ (ପିସିସି) ମାନଙ୍କୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ବାହାରେ ଜୋରଦାର ପ୍ରଦର୍ଶନ ଲାଗି ନିର୍ଦ୍ଦେଶ ଦେଇଛି।

କଂଗ୍ରେସ ଜ୍ଞାନେଶ କୁମାରଙ୍କ ତତ୍କାଳ ବରଖାସ୍ତ ଓ ଗିରଫଦାବି କରିଛି। ଏହା ଛଡା ଜ୍ଞାନେଶ କୁମାର ସିଇସି ଅବସ୍ଥାପିତ ରହିବା କାଳରେ ନିଆଯାଇଥିବା ନିଷ୍ପତ୍ତି ଓ ନିର୍ବାଚନ ସୂଚୀରେ କରାଯାଇଥିବା ପରିବର୍ତ୍ତନର ସ୍ୱତନ୍ତ୍ର ଓ ବ୍ୟାପାକ ଯାଞ୍ଚ ଦାବି କରାଯାଇଛି। ମାମଲାରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏ ନେଇ ସୂଚନା ଦେଇ ଉଲ୍ଲେଖ କରିଛନ୍ତି ଯେ ଏହି ଆନ୍ଦୋଳନର ଦ୍ୱିତୀୟ ପର୍ଯ୍ୟାୟରେ ୨୮ ସେପ୍ଟେମ୍ବର ସୋମବାର ସବୁ ଜିଲ୍ଲା କଂଗ୍ରେସ କମିଟି (ଡିସିସି) ସାରା ଦେଶର ଜିଲ୍ଲା କଲେକ୍ଟରେଟ ଲାଗି ବିଶାଳ ବିରୋଧ ମାର୍ଚ୍ଚ ବାହାର କରିବେ। ପୁରା ପ୍ରକରଣରେ ବେଣୁଗୋପାଲ ମାତ୍ର ୨ଟି ଦାବି କରିଛନ୍ତି। ଏଥିରେ ଜ୍ଞାନେଶ କୁମାରଙ୍କୁ ଯିବାକୁ ହେବ ଓ ତାଙ୍କର ସବୁ ନିଷ୍ପତ୍ତି ପଲଟା ଯିବା ଦରକାର ବୋଲି କହିଛନ୍ତି।

ସେହିପରି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ‘ସମ୍ବିଧାନର ଶତ୍ରୁଙ୍କ ମୁଖା ଖୋଲି ଯାଇଛି, ନ୍ୟାୟ ନିଶ୍ଚିତ ମିଳିବ’। ଉଲ୍ଲେଖ ଯୋଗ୍ୟ ଯେ ଏହି ପୁରା ବିବାଦ ଏକ ଇଂରାଜୀ ସମ୍ବାଦପତ୍ରର ସେହି ରିପୋର୍ଟ ପରେ ଉପୁଜିଛି ଯେଉଁଥିରେ ନିର୍ବାଚନ ଆୟୋଗ ଭିତରେ ଏକତା ନଥିବା ଓ ଟଣାଓଟରା ଚାଲିଥିବା କଥା ପ୍ରକାଶିତ ହୋଇଥିଲା। ରିପୋର୍ଟ ଅନୁସାରେ ନିର୍ବାଚନ କମିଶନର (ଇସି) ସୁଖବୀର ସିଂହ ସନ୍ଧୁ ଓ ବିବେକ ଯୋଶୀ ଭୋଟର ଲିଷ୍ଟ ଏସଆଇଆର ସର୍ଭେ ସମ୍ପର୍କିତ ମାମଲାକୁ ନେଇ ୩ ସଦସୀୟ ପ୍ୟାନେଲ ବାରମ୍ବାର ନିଜର ଚିନ୍ତା ଓ ଆପତ୍ତି ରୁଜୁ କରିଥିଲେ।

ରିପୋର୍ଟରେ ଏହା ବି ଦାବି କରାଯାଇଛି ଯେ ଯଦିଓ ଏସଆଇଆରର ପୁରା କାମ ୩ କମିଶନରଙ୍କ ଦେଖରେଖରେ ହୋଇଛି, ହେଲେ ରିପୋର୍ଟ ଅନୁସାରେ ସନ୍ଧୁ ଓ ଯୋଶୀ ଗତ ୧୦ ମାସରେ ଅନୁନ୍ୟ ୧୪ ଥର ଔପଚାରିକ ରୂପେ ସେମାନଙ୍କ ଆପତ୍ତି ରୁଜୁ କରିଛନ୍ତି। ଏଥିରେ ୪ ଟି ଆପତ୍ତି ଗୋଟିଏ ଦିନରେ ରୁଜୁ ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଅନେକ ନିଷ୍ପତ୍ତି ଓ ଆଦେଶ ସେମାନଙ୍କ ସୂଚନା ବିନା ନିଆଯାଇଛି ବା ଜାରି କରାଯାଇଛି।ଏସଆଇଆର ବିବାଦରେ କଂଗ୍ରେସ ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବ ବୋଲି ଜଣାପଡିଛି। ଏଥି ପାଇଁ ଦଳ ପକ୍ଷରୁ ଗୁରୁବାର ବିଭିନ୍ନ ବିରୋଧୀ ଦଳଙ୍କ ସହ ସମ୍ପର୍କ କରାଯାଇଛି। ବିରୋଧୀ ଦଳ ସଂସଦର ଉଭୟ ସଦନରେ ସିଇସିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଉପସ୍ଥାପନା କରିବ। ଏହି ମହାଭିଯୋଗ ପ୍ରସ୍ତାବ ଆଗାମୀ ୨ ସପ୍ତାହ ମଧ୍ୟରେ ଉପସ୍ଥାପନ କରାଯିବ ବୋଲି ଜଣାପଡିଛି।