ନୂଆଦିଲ୍ଲୀ : ଇରାନରେ ଇଣ୍ଟରନେଟ୍ ବ୍ଲାକ୍ ଆଉଟ୍ କୁ ୪୪ ଦିନ ପୁରିଛି। ଏହାକୁ ଏବେ ବିଶ୍ୱର ସବୁଠୁ ଦୀର୍ଘତମ ଇଣ୍ଟରନେଟ୍ ବ୍ଲାକ୍ ଆଉଟ୍ କୁହାଯାଉଛି। ଏହି ମାମଲାରେ ଇରାନ ଏବେ ସୁଦାନର ରେକର୍ଡ ଭାଙ୍ଗିଛି। ୨୦୧୯ରେ ସୁଦାନରେ ୩୭ ଦିନ ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ ଥିଲା। ଇଣ୍ଟରନେଟ୍ ମନିଟରିଂ ସଂସ୍ଥା ‘ନେଟ୍ ବ୍ଲକସ୍’ ତଥ୍ୟ ଅନୁସାରେ ଏହା କୌଣସି ଦେଶ ଲାଗି ସବୁଠୁ ଦୀର୍ଘ ରାଷ୍ଟ୍ରବ୍ୟାପୀ ଇଣ୍ଟରନେଟ୍ ସଟଡାଉନ ଅଟେ। ଗତ ୪୪ ଦିନ ଅର୍ଥାତ ୧୦୫୬ ଘଣ୍ଟାରୁ ଅଧିକ ସମୟ ଧରି ଇଣ୍ଟରନେଟ୍ ବନ୍ଦ ପଡିଛି। ଫଳରେ ୯୩ ନିୟୁତ ଲୋକେ ବିଶ୍ୱରୁ ବିଛିନ୍ନ ହୋଇପଡିଛନ୍ତି।

ଏକ୍ସରେ ତଥ୍ୟ ସେୟାର କରିଛି ନେଟ୍ ବ୍ଲକସ୍
ଏ ନେଇ ନେଟ୍ ବ୍ଲକସ୍ ଏକ୍ସ ରେ ତଥ୍ୟ ସେୟାର କରିଛି ଓ ଲେଖିଛି ଯେ ନେଟୱାର୍କ ଡାଟାରୁ ଯାହା ଜଣାପଡେ ଇରାନରେ ଇଣ୍ଟରନେଟ୍ ବ୍ଲାକଆଉଟ୍ ଏବେ ୪୪ତମ ଦିନରେ ପହଞ୍ଚିଛି ଓ ଏହା ସପ୍ତମ ସପ୍ତାହରେ ୧୦୩୨ ଘଣ୍ଟାର ସମୟ ପାର କରି ଲାଗାତାର ଜାରି ରହିଛି। ସେନସରସିପ୍ ର ଏହି ସମୟରେ ମାନବୀୟ ଓ ଆର୍ଥିକ ପ୍ରଭାବ ଲଗାତାର ବଢିବାରେ ଲାଗିଛି। ଜଣେ ଜଣକ ସହ ବାନ୍ଧି ହୋଇ ରହୁଥିବା ସମାଜରେ ଇଣ୍ଟରନେଟ୍ ସଟଡାଉନ ମାମଲାରେ ଏହା ବିଶ୍ୱ ରେକର୍ଡ ଭାଙ୍ଗୁଛି।

ଯୁଦ୍ଧ ଆରମ୍ଭ ହେବାମାତ୍ରେ ଦୁନିଆରୁ ବିଛିନ୍ନ ହୋଇଥିଲା ଇରାନ
ଇସ୍ରାଏଲ ଓ ଆମେରିକା ସହିତ ଯୁଦ୍ଧ ଆରମ୍ଭ ହେବା ପରେ ଇରାନ ବୈଶ୍ୱିକ ଇଣ୍ଟରନେଟ୍ କନେକ୍ଟିଭିଟିରୁ ନିଜକୁ ପୃଥକ କରି ନେଇଥିଲା। ତେବେ ଇରାନର ନ୍ୟାସନାଲ ନେଟୱାର୍କ ଜାରି ରହିଛି। ଇରାନ ଏହି ନିଷ୍ପତ୍ତି ସୁରକ୍ଷା ଚିନ୍ତା କାରଣରୁ ନେଇଛି। ଇରାନ ଇଣ୍ଟରନେଟ୍ ପାଇଁ ସାଟେଲାଇଟ୍ ସଂଯୋଗ ଓ ଭିପିଏନ ଉପରେ ମଧ୍ୟ କଟକଣା ଲଗାଇଛି।

ଇସ୍ଲାମାବାଦ ଟକସ୍ ଫେଲ
୧୪ ଦିନ ସିଜଫାୟାର ଘୋଷଣା ପରେ ଇରାନ ଓ ଆମେରିକା ଶାନ୍ତିବାର୍ତ୍ତା ନିମନ୍ତେ ଇସ୍ଲାମାବାଦରେ ବୈଠକ କରିଥିଲେ। ହେଲେ ଏହି ବାର୍ତ୍ତା ବିଫଳ ହୋଇଛି। ଏଥି ପାଇଁ ଇରାନ ଆମେରିକାକୁ ଦାୟି କରିଛି। ଇରାନ ଲେବାନନ ଲାଗି ମଧ୍ୟ ଇସ୍ରାଏଲ ପଟରୁ ସିଜଫାୟାର ଚାହୁଁଛି। ତେବେ ଇସ୍ରାଏଲ ଓ ଆମେରିକା ଏଥି ପାଇଁ ପ୍ରସ୍ତୁତ ନୁହନ୍ତି। ଏଣୁ ଇରାନ-ଆମେରିକା ବାର୍ତ୍ତା ବିଫଳ ହୋଇଛି।