ଲକ୍ଷ୍ନୌ: ଆଇପିଏଲ୍ ୨୦୨୬ ଏବେ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଆଜି ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଏକ କଡ଼ା ମୁକାବିଲା ଦେଖିବାକୁ ମିଳିବ। ଲକ୍ଷ୍ନୌ ଦଳ ପୂର୍ବରୁ ହିଁ ପ୍ଲେ-ଅଫ୍ ଦୌଡ଼ରୁ ବାହାରି ସାରିଥିବା ବେଳେ, ପଞ୍ଜାବ ପାଇଁ ଆଜିର ମ୍ୟାଚ୍ କୌଣସି ସେମିଫାଇନାଲଠାରୁ କମ୍ ନୁହେଁ। ଯଦି ଆଜି ପଞ୍ଜାବ ହାରିଯାଏ, ତେବେ ଦଳ ପ୍ଲେ-ଅଫ୍ ଦୌଡ଼ରୁ ବିଦା ହେବ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଆଜିର ମ୍ୟାଚ୍ ଜିତିଲେ ମଧ୍ୟ ପଞ୍ଜାବ ସିଧାସଳଖ କ୍ୱାଲିଫାଇ କରିପାରିବ ନାହିଁ। ଦଳର ଭାଗ୍ୟ ଏବେ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରେ।

ପଞ୍ଜାବ ପାଇଁ 'କର ବା ମର' ପରିସ୍ଥିତି

ପ୍ଲେ-ଅଫ୍ ଆଶା ଜୀବିତ ରଖିବାକୁ ହେଲେ ପଞ୍ଜାବ କିଙ୍ଗସକୁ ଆଜି ଯେକୌଣସି ପରିସ୍ଥିତିରେ ଲକ୍ଷ୍ନୌକୁ ହରାଇବାକୁ ହେବ। ବର୍ତ୍ତମାନ ପଞ୍ଜାବ ଖାତାରେ ୧୩ ପଏଣ୍ଟ ରହିଛି। ଆଜିର ବିଜୟ ପରେ ଦଳର ପଏଣ୍ଟ ସଂଖ୍ୟା ୧୫ରେ ପହଞ୍ଚିବ। ଏମିତି ହେଲେ ପଞ୍ଜାବର ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରହିଛି ।

Also Read: ପଡ଼ିଆ ମଝିରେ ହାଇଭୋଲଟେଜ୍ ଡ୍ରାମା, ହାତ ବଢାଇଲେ ଟ୍ରାଭିସ, ରାଗରେ ହ୍ୟାଣ୍ଡସେକ୍ କଲେନି କୋହଲି !

ରାଜସ୍ଥାନର ପରାଜୟ ଉପରେ ପଞ୍ଜାବର ନଜର

କେବଳ ନିଜେ ଜିତିଲେ ହେବନି, ପଞ୍ଜାବକୁ ଏବେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ହେବ ଯେପରି ରାଜସ୍ଥାନ ରୟାଲ୍ସ ତାର ଶେଷ ମ୍ୟାଚ୍ ହାରିଯାଉ। ବର୍ତ୍ତମାନ ରାଜସ୍ଥାନ ରୟାଲ୍ସର ୧୩ଟି ମ୍ୟାଚରୁ ୧୪ ପଏଣ୍ଟ ରହିଛି। ଯଦି ପଞ୍ଜାବ ଆଜି ଜିତେ (୧୫ ପଏଣ୍ଟ) ଏବଂ ରାଜସ୍ଥାନ ନିଜର ଶେଷ ମ୍ୟାଚ୍ ହାରିଯାଏ (୧୪ ପଏଣ୍ଟ), ତେବେ ପଞ୍ଜାବ କିଙ୍ଗସ ସହଜରେ ପ୍ଲେ-ଅଫରେ ପ୍ରବେଶ କରିବ।

ରାଜସ୍ଥାନ ଜିତିଲେ ପଞ୍ଜାବ ଆଉଟ୍: ଯଦି ଆଜି ପଞ୍ଜାବ ଜିତି ୧ ପଏଣ୍ଟ ପାଏ, କିନ୍ତୁ ଅପରପକ୍ଷରେ ରାଜସ୍ଥାନ ରୟାଲ୍ସ ନିଜର ଶେଷ ଲିଗ୍ ମ୍ୟାଚ୍ ଜିତିନିଏ, ତେବେ ରାଜସ୍ଥାନ ପ୍ଲେ-ଅଫକୁ ଯିବ ଏବଂ ଭଲ ପ୍ରଦର୍ଶନ ସତ୍ତ୍ୱେ ପଞ୍ଜାବ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ।

Also Read: ବେଙ୍ଗାଲୁରୁକୁ ୫୫ ରନରେ ହରାଇଲା ହାଇଦ୍ରାବାଦ, ତଥାପି ଟପ୍-୨ରେ ମିଳିଲାନି ସ୍ଥାନ

ଅନ୍ୟ ଦଳର ଫଳାଫଳ ସହ ନାହିଁ କୌଣସି ସମ୍ପର୍କ

ପ୍ଲେ-ଅଫ୍ ଦୌଡ଼ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଭଳି ଦଳ ମଧ୍ୟ ସାମିଲ ଅଛନ୍ତି। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ଏହି ଦଳଗୁଡ଼ିକର ମ୍ୟାଚ୍ ଫଳାଫଳ ପଞ୍ଜାବ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ପଞ୍ଜାବର ସମୀକରଣ ଏବେ କେବଳ ରାଜସ୍ଥାନ ରୟାଲ୍ସ ସହିତ ଯୋଡ଼ି ହୋଇ ରହିଛି।

ସୂଚନାଯୋଗ୍ୟ, ଆସନ୍ତା ରବିବାର ଅପରାହ୍ନରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଶେଷ ଲିଗ୍ ମ୍ୟାଚ୍ ଖେଳାଯିବ। ତେଣୁ ଆଜି ନିଜେ ଜିତିବା ପରେ ରବିବାର ମୁମ୍ବାଇର ବିଜୟ ପାଇଁ ପଞ୍ଜାବ ପ୍ରଶଂସକଙ୍କୁ ଅପେକ୍ଷା କରିବାକୁ ପଡ଼ିବ।