IPL 2026 Play-Off Schedule: ଉତ୍କଣ୍ଠାପୂର୍ଣ୍ଣ ଆଇପିଏଲ୍ ୨୦୨୬ (IPL 2026) ର ଲିଗ୍ ପର୍ଯ୍ୟାୟ ଶେଷ ହେବା ସହ ପ୍ଲେ-ଅଫ୍ ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ ଖେଳାଯାଇଥିବା ୬୯ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଦମଦାର ବିଜୟ ସହିତ ଶେଷ ଚାରି ପାଇଁ ଚାଲିଥିବା ଦୌଡ଼ର ଅନ୍ତ ଘଟିଛି। ରବିବାର ୨୪ ମେ’ରେ ଖେଳାଯାଇଥିବା ଏହି ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ରାଜସ୍ଥାନ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ୧୬ ପଏଣ୍ଟ ସହ ଚତୁର୍ଥ ଦଳ ଭାବେ ପ୍ଲେ-ଅଫ୍ରେ ପ୍ରବେଶ କରିଛି। ଏହି ଫଳାଫଳ ପରେ ପ୍ଲେ-ଅଫର ସମ୍ପୂର୍ଣ୍ଣ ସୂଚୀ ଏବଂ କେଉଁ ଦଳ କାହା ସହିତ ମୁହାଁମୁହିଁ ହେବେ, ତାହାର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ ପାଇଛି।

ମୁମ୍ବାଇ ହାରିଲା, ପଞ୍ଜାବ ଓ କୋଲକାତା ବାହାରିଲେ

ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ଟି ରାଜସ୍ଥାନ ପାଇଁ 'କର ବା ମର' ପରିସ୍ଥିତି ଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦୫ ରନ୍ର ବିଶାଳ ସ୍କୋର ଛିଡ଼ା କରିଥିଲା, ଯାହାର ଜବାବରେ ମୁମ୍ବାଇ ମାତ୍ର ୧୭୫ ରନ୍ ହିଁ କରିପାରିଥିଲା। ଏହି ବିଜୟ ସହ ରାଜସ୍ଥାନ ଚଳିତ ସିଜନର ୮ମ ବିଜୟ ସହ ଶେଷ ଚାରିରେ ସ୍ଥାନ ପକ୍କା କରିଥିବା ବେଳେ ପଞ୍ଜାବ କିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସର ଆଇପିଏଲ୍ ଅଭିଯାନ ସେହିଠାରେ ଶେଷ ହୋଇଛି।

Also Read: ସୂର୍ଯ୍ୟକୁମାରଙ୍କ ହାତରୁ ଯାଇପାରେ ଟି-୨୦ ଅଧିନାୟକ! ଶ୍ରେୟସ କି ଗିଲ୍ ନୁହଁନ୍ତି, ଏହି ‘MI ଷ୍ଟାର’ ହେବେ ଟିମ୍ ଇଣ୍ଡିଆର ନୂଆ ବସ୍

ଲିଗ୍ ପର୍ଯ୍ୟାୟ ଶେଷ ସୁଦ୍ଧା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ୧୮ ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟ ୧୮ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି, କିନ୍ତୁ ନେଟ୍ ରନ୍ ରେଟ୍ ଆଧାରରେ ଗୁଜରାଟ ଦ୍ଵିତୀୟ ଏବଂ ହାଇଦ୍ରାବାଦ ତୃତୀୟ ସ୍ଥାନରେ ରହିଛି। ରାଜସ୍ଥାନ ରୟାଲ୍ସ (RR) ୧୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କରିଛି।

ଆଇପିଏଲ୍ ୨୦୨୬ ପ୍ଲେ-ଅଫ୍ର ସମ୍ପୂର୍ଣ୍ଣ ସୂଚୀ

ପଏଣ୍ଟ ଟେବୁଲର ସ୍ଥିତି ଅନୁଯାୟୀ 'କ୍ୱାଲିଫାୟର୍-୧'ରେ ଆରସିବି ଓ ଗୁଜରାଟ ମଧ୍ୟରେ ଟକ୍କର ହେବ। ସେହିପରି 'ଏଲିମିନେଟର୍' ମ୍ୟାଚ୍ରେ ହାଇଦ୍ରାବାଦ ଓ ରାଜସ୍ଥାନ ପରସ୍ପରକୁ ଭେଟିବେ।

କ୍ୱାଲିଫାୟର୍-୧: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ବନାମ ଗୁଜରାଟ ଟାଇଟନ୍ସ (GT)

ତାରିଖ: ୨ ମେ (ମଙ୍ଗଳବାର)

ସ୍ଥାନ: ଧର୍ମଶାଳା

ଏଲିମିନେଟର୍: ସନରାଇଜର୍ସ ହାଇଦ୍ରାବାଦ (SRH) ବନାମ ରାଜସ୍ଥାନ ରୟାଲ୍ସ (RR)

ତାରିଖ: ୨୭ ମେ (ବୁଧବାର)

ସ୍ଥାନ: ନ୍ୟୁ ଚଣ୍ଡୀଗଡ଼

କ୍ୱାଲିଫାୟର୍-୨: ଏଲିମିନେଟର ବିଜେତା ବନାମ କ୍ୱାଲିଫାୟର୍-୧ର ପରାଜିତ ଦଳ

ତାରିଖ: ୨୯ ମେ (ଶୁକ୍ରବାର)

ସ୍ଥାନ: ନ୍ୟୁ ଚଣ୍ଡୀଗଡ଼

ଫାଇନାଲ୍: କ୍ୱାଲିଫାୟର୍-୧ର ବିଜେତା ବନାମ କ୍ୱାଲିଫାୟର୍-୨ର ବିଜେତା

ତାରିଖ: ୩୧ ମେ (ରବିବାର)

ସ୍ଥାନ: ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ଅହମ୍ମଦାବାଦ

ବର୍ତ୍ତମାନ ଏହି ଚାରୋଟି ଦଳ ମଧ୍ୟରୁ କିଏ ଚଳିତ ଆଇପିଏଲ୍ ୨୦୨୬ର ଚାମ୍ପିୟନ ଟ୍ରଫି ହାତେଇବ, ତାହା ଉପରେ ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ନଜର ରହିଛି।