ବେଙ୍ଗାଲୁରୁ: IPL 2026ର ୨୬ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ଦିଲ୍ଲୀ ୬ ୱିକେଟରେ ମ୍ୟାଚ୍ ଜିତିଛି। ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୨୦ ଓଭରରେ ୧୭୫ ରନ କରିଥିଲା। ଜବାବରେ, ଦିଲ୍ଲୀ ୧୯.୫ ଓଭରରେ ଲକ୍ଷ୍ୟ ହାସଲ କରିଛି । ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିବା ପାଇଁ RCB ପାଇଁ ବିଜୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ଆରସିବି ପରାଜୟ ବରଣ କରିଛି । କେଏଲ ରାହୁଲ, ଟ୍ରିଷ୍ଟାନ ଷ୍ଟବସ୍ ଏବଂ ଶେଷରେ ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଦିଲ୍ଲୀ ଏହି ମ୍ୟାଚ୍ ଜିତି ନେଇଛି।

ଦିଲ୍ଲୀ କ୍ୟାପିଟାଲ୍ସକୁ ଶେଷ ଦୁଇ ଓଭରରେ ୨୪ ରନ ଆବଶ୍ୟକ ଥିଲା। ରସିଖ ଦାର ସଲାମ ୧୯ତମ ଓଭରରେ ୧୦ ରନ ଦେଇଥିଲେ । ଫଳରେ ଦିଲ୍ଲୀକୁ ଶେଷ ଓଭରରେ ୧୫ ରନ ଦରକାର ଥିଲା । ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ରୋମାରିଓ ସେଫର୍ଡ । ସେ ପୂର୍ବ ମ୍ୟାଚରେ ଗୋଟିଏ ବି ଓଭର ବୋଲିଂ କରି ନଥିଲେ।

​​​​​​​

ପ୍ରଥମ ଦୁଇଟି ବଲରୁ କେବଳ ଦୁଇଟି ରନ୍ ଆସିଥିଲା । କିଛି ସମୟ ପାଇଁ ବେଙ୍ଗାଲୁରୁ ସପକ୍ଷରେ ଥିଲା ମ୍ୟାଚ୍ । କିନ୍ତୁ କ୍ରିଜରେ ଦୁଇ ଜଣ ବିସ୍ଫୋରକ ବ୍ୟାଟର ଟ୍ରିଷ୍ଟାନ୍ ଷ୍ଟବ୍ସ ଏବଂ ଡେଭିଡ୍ ମିଲର ଥିଲେ। ମିଲର୍ ତୃତୀୟ ବଲରେ ଏକ ବିଶାଳ ଛକା ମାରି ମ୍ୟାଚକୁ ଦିଲ୍ଲୀ ସପକ୍ଷରେ କରି ନେଇଥିଲେ। ମିଲର୍ ପରବର୍ତ୍ତୀ ବଲରେ ଆଉ ଏକ ଛକା ମାରି ଦିଲ୍ଲୀର ବିଜୟକୁ ପ୍ରାୟ ନିଶ୍ଚିତ କରିଦେଇଥିଲେ। ଏବେ, ଦିଲ୍ଲୀକୁ ଦୁଇଟି ବଲରୁ କେବଳ ଗୋଟିଏ ରନ୍ ଆବଶ୍ୟକ ଥିଲା। ମିଲର୍ ପଞ୍ଚମ ବଲରେ ଚୌକା ମାରି ଦିଲ୍ଲୀକୁ ବିଜୟୀ କରିଥିଲେ ।