ନୂଆଦିଲ୍ଲୀ: ଆଇପିଏଲ୍ (IPL) ଇତିହାସରେ ପ୍ରଥମ ଥର ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଚେନ୍ନାଇ ସୁପର କିଙ୍ଗସ ତାର କୋଟି କୋଟି ପ୍ରଶଂସକଙ୍କୁ ନିରାଶ କରିଛି। ମହେନ୍ଦ୍ର ସିଂ ଧୋନି (MS Dhoni) ଆଇପିଏଲ୍ ୨୦୨୬ (IPL 2026) ର ସମ୍ପୂର୍ଣ୍ଣ ଲିଗ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଛନ୍ତି। ଗୁରୁବାର ଗୁଜରାଟ ଟାଇଟନ୍ସ (GT) ବିପକ୍ଷରେ ଖେଳାଯାଇଥିବା ଚେନ୍ନାଇର ଶେଷ ଲିଗ୍ ମ୍ୟାଚ୍ରେ ମଧ୍ୟ ଧୋନି ପଡ଼ିଆକୁ ଓହ୍ଲାଇ ନଥିଲେ । ଏହି ସିଜିନ୍ରେ ସେ ଦଳ ପାଇଁ ଗୋଟିଏ ହେଲେ ମଧ୍ୟ ମ୍ୟାଚ୍ ଖେଳିନାହାନ୍ତି, ଯାହା ଟୁର୍ଣ୍ଣାମେଣ୍ଟ ଇତିହାସରେ ପ୍ରଥମ ଘଟଣା।

୨୦୦୮ ମସିହାରେ ଆଇପିଏଲ୍ ଆରମ୍ଭ ହେବା ଦିନଠାରୁ ଧୋନି ଚେନ୍ନାଇ ସୁପର କିଙ୍ଗସର ମୁଖ୍ୟ ଚେହେରା ସାଜିଛନ୍ତି। ତାଙ୍କ ନେତୃତ୍ୱରେ ଦଳ ୫ ଥର ଆଇପିଏଲ୍ ଟ୍ରଫି ଜିତିଛି। ଚେନ୍ନାଇ ଦଳ ୨ ବର୍ଷ ପାଇଁ ବ୍ୟାନ୍ ହୋଇଥିବା ସମୟରେ (୨୦୧୬ ଓ ୨୦୧୭) ସେ ରାଇଜିଂ ପୁଣେ ସୁପରଜାଏଣ୍ଟସ୍ ପାଇଁ ଖେଳିଥିଲେ। ନିଜର ଦୀର୍ଘ ଆଇପିଏଲ୍ କ୍ୟାରିୟରରେ (୨୭୮ ମ୍ୟାଚ୍) ସେ ଏହା ପୂର୍ବରୁ ମାତ୍ର ୫ଟି ମ୍ୟାଚ୍ ମିସ୍ କରିଥିଲେ (୨୦୧୦ ରେ ୩ଟି ଏବଂ ୨୦୧୯ ରେ ୨ଟି)। କିନ୍ତୁ ୨୦୨୬ ସିଜିନ୍ରେ ସେ ପ୍ରଥମ ଥର ପାଇଁ ଗୋଟିଏ ହେଲେ ମଧ୍ୟ ଲିଗ୍ ମ୍ୟାଚ୍ ଖେଳିପାରି ନାହାନ୍ତି।

କାହିଁକି ସମ୍ପୂର୍ଣ୍ଣ ସିଜିନରୁ ଦୂରେଇ ରହିଲେ ଧୋନି ?

ଧୋନିଙ୍କର ଏହି ଅନୁପସ୍ଥିତି ପଛରେ ଆଘାତ ବା ଇଞ୍ଜୁରି ରହିଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ ହିଁ ଧୋନିଙ୍କ ଗୋଡ଼ର ପଛ ମାଂସପେଶୀରେ ଆଘାତ ଲାଗିଥିଲା। ଏଥିପାଇଁ ସେ ପ୍ରଥମ ଦୁଇ ସପ୍ତାହ ଖେଳିବେ ନାହିଁ ବୋଲି କୁହାଯାଇଥିଲା। କିନ୍ତୁ ଅଭ୍ୟାସ ମ୍ୟାଚ୍ ସମୟରେ ଏହି ସମସ୍ୟା ପୁଣି ବଢ଼ିଯାଇଥିଲା। ଚେନ୍ନାଇର ବ୍ୟାଟିଂ କୋଚ୍ ମାଇକେଲ୍ ହସି (Michael Hussey) ସ୍ପଷ୍ଟ କରିଥିଲେ ଯେ, ଧୋନିଙ୍କ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଛି ଏବଂ ସେ ସମ୍ପୂର୍ଣ୍ଣ ଫିଟ୍ ନାହାନ୍ତି। ସେଥିପାଇଁ ସେ ଗୁଜରାଟ ବିପକ୍ଷ ଶେଷ ମ୍ୟାଚ୍ ପାଇଁ ଅହମ୍ମଦାବାଦ ଯାଇନଥିଲେ ଏବଂ ନିଜ ଘର ରାଞ୍ଚିକୁ ଫେରିଯାଇଥିଲେ।

ପ୍ଲେ-ଅଫରୁ ସିଏସକେ ବାଦ୍

ଗୁଜରାଟ ବିପକ୍ଷ ମ୍ୟାଚରେ ସିଏସକେ ଶୋଚନୀୟ ପରାଜୟ ଭୋଗିଛି । ୨୩୦ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଆସିଥିଲା ଚେନ୍ନାଇ । କିନ୍ତୁ ୧୪୦ ରନରେ ଅଲଆଉଟ୍ ହେବା ସହ ପ୍ଲେ-ଅଫରୁ ବାଦ ପଡ଼ିଛି । ତେବେ ଧୋନିଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ । ପଡ଼ିଆରେ ଧୋନିଙ୍କ ବ୍ୟାଟିଂ ଦେଖିବା ପାଇଁ ଚେନ୍ନାଇ ସୁପର କିଙ୍ଗସର ପ୍ରଶଂସକଙ୍କୁ ଆହୁରି ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିପାରେ ।

ପ୍ରଶଂସକ ଏବଂ ବିଶେଷଜ୍ଞଙ୍କ ପ୍ରତିକ୍ରିୟା

ଚେପକ (Chepauk) ଷ୍ଟାଡିୟମରେ ଚେନ୍ନାଇର ଶେଷ ହୋମ ମ୍ୟାଚ୍ ସମୟରେ ଧୋନି ଖେଳିନଥିଲେ ମଧ୍ୟ ପଡ଼ିଆରେ ଉପସ୍ଥିତ ଥିଲେ। ସେ ସମସ୍ତ ଖେଳାଳିଙ୍କ ସହ ମିଶି ଫଟୋସୁଟ୍ରେ ଭାଗ ନେଇଥିଲେ ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇ ଷ୍ଟାଡିୟମ ପରିକ୍ରମା କରିଥିଲେ। ତେବେ ଧୋନି ଆସନ୍ତାବର୍ଷ ଆଇପିଏଲ ଖେଳିବେ କି ନାହିଁ, ତାକୁ ନେଇ ମଧ୍ୟ ଆଶଙ୍କା ଲାଗି ରହିଛି ।