ଚେନ୍ନାଇ, ୨୩ /୦୩: ଆଉ କିଛି ଦିନ ବାକି ରହିଲା । ଆରମ୍ଭ ହେବ ଆଇପିଏଲ । ଏଥିପାଇଁ ସମସ୍ତ ଦଳ ତୟାର । ଖାସ୍ ରଣନୀତି ପ୍ରସ୍ତୁତ କରୁଛନ୍ତି । ଚାମ୍ପିଅନ୍ ହେବାକୁ କସରତ କରୁଛନ୍ତି । ଏସବୁ ଭିତରେ ଚର୍ଚ୍ଚାକୁ ଆସିଛି ଚେନ୍ନାଇ ସୁପର କିଙ୍ଗସ୍ । ଦଳ ଏମ୍ ଏ ଚିଦାମ୍ବରମ ଷ୍ଟାଡିୟମରେ ଟିମ୍ ର ପୁରୁଣା ଏବଂ ନୂଆ ଖେଳାଳିଙ୍କୁ ଏକାଠି କରିଛି ।

ରବିବାର ସିଏସକେ ପକ୍ଷରୁ 'ରୋର୍ ୨୦୨୬'ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ପୂର୍ବତନ ସିଏସକେ କ୍ରିକେଟର ଏସ ବଦ୍ରିନାଥ, ଅମ୍ବତି ରାୟଡୁ, ମାଥ୍ୟୁ ହେଡେନ୍, ମୁଥୟା ମୁରଲିଧରନ, ପାର୍ଥିବ ପଟେଲ, ସୁରେଶ ରାଇନା, ଡେନ୍ ବ୍ରାଭୋ, ହରଭଜନ ସିଂ, ଯୋଗୀନ୍ଦର ଶର୍ମା, ମୁରଲି ବିଜୟ ଏବଂ ଲକ୍ଷ୍ମୀପତି ବାଲାଜୀଙ୍କ ଭଳି ଖେଳାଳି ଯୋଗ ଦେଇଥିଲେ । ଯାହାର ଫଟୋ ବଦ୍ରିନାଥ ନିଜ ସୋସିଆଲ ମିଡିଆରେ ପୋଷ୍ଟ୍ କରିଛନ୍ତି ।

ସମସ୍ତ ଖେଳାଳି ସିଏସକେର ଜର୍ସି ପରିଧାନ କରିଥିଲେ । ଏହାସହ ଦଳ ଏବେସୁଦ୍ଧା ଜିତିଥିବା ଟି ଟ୍ରଫି ମଧ୍ୟ ଏଠାରେ ପ୍ରଦର୍ଶନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଭେଟେରାନ

କାର୍ଯ୍ୟକ୍ରମରେ ମାଇକେଲ୍ ହସି,ହେଡେନ, ବ୍ରାଭୋ ଏବଂ ରାଇନାଙ୍କ ଭଳି ପୂର୍ବତନ ବିସ୍ଫୋରକ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା । ସେମାନଙ୍କ ସହ ନୂଆ ଖେଳାଳି ଭାବେ ମହେନ୍ଦ୍ର ସିଂ ଧୋନୀ, ଋତୁରାଜ ଗାଏକଓ୍ୱାଡ, ଶିବମ ଦୁବେ, ସଞ୍ଜୁ ସାମସନ ଆଦି ସାମିଲ ହୋଇଥିଲେ ।

ସଞ୍ଜୁଙ୍କ କ୍ରେଜ୍

କାର୍ଯ୍ୟକ୍ରମ ଦେଖିବାକୁ ସିଏସକେର ହଜାର ହଜାର ଫ୍ୟାନ୍ସ ଷ୍ଡାଡିୟମକୁ ଆସିଥିଲେ । ଯେତେବେଳେ ସଞ୍ଜୁଙ୍କ ନାଁ ଡକା ଯାଇଥିଲା ସମସ୍ତେ ସଞ୍ଜୁ ସଞ୍ଜୁ କହିବା ସହ କରତାଳି ଦେଇଥିଲେ ।

ରାଜସ୍ଥାନ ବିପକ୍ଷରେ ପ୍ରଥମ ମ୍ୟାଚ୍

ଚଳିତ ସିଜିନରେ ଚେନ୍ନାଇ ନିଜର ପ୍ରଥମ ମୁକାବିଲା ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବ । ମାର୍ଚ୍ଚ ୩୦ ତାରିଖରେ ଏହି ମ୍ୟାଚ୍ ଖେଳାଯିବ । ଏହାପରେ ଦଳ ପଞ୍ଜାବ କିଙ୍ଗସ ଏବଂ ଆରସିବିକୁ ଭେଟିବ ।