ନୂଆଦିଲ୍ଲୀ: ଆପଲ୍‌ ଆଇଫୋନକୁ ନେଇ ସାରା ବିଶ୍ବରେ ଲୋକଙ୍କ ଗହଣରେ ଉତ୍ସାହ ଦେଖିବାକୁ ମିଳେ । କିନ୍ତୁ ଏବେ ଆଇଫୋନକୁ ନେଇ ଅଜବ ଏକ୍ସପେରିମେଣ୍ଟ କରିଛି ଆମେରିକା । ଆଇଫୋନକୁ ମାଟି ତଳେ ପୋତି ଦେଇଛି । ମୋବାଇଲ ଫୋନ୍‌ ତିଆରି ହୋଇଛି, ଲୋକଙ୍କ ବ୍ୟବହାର ପାଇଁ । ହେଲେ ଆମେରିକା ଆଇଫୋନ ପୋତିଦେଲା କାହିଁକି ? ଏହା ପଛରେ କଣ ରହିଛି ରହସ୍ୟ, ଆସନ୍ତୁ ଜାଣିବା । 

ଆମେରିକା ଏବେ ନିଜର ୨୫୦ ତମ ସ୍ବାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଆମେରିକା ଏକ ଐତିହାସିକ 'ଟାଇମ୍ କ୍ୟାପ୍‌ସୁଲ୍' ଭୂତଳରେ ସ୍ଥାପନ କରିଛି ।ଏହି କ୍ୟାପ୍‌ସୁଲରେ ଅନ୍ୟ ସାଂସ୍କୃତିକ କୀର୍ତ୍ତିରାଜି ସହିତ ଚଳିତ ଶତାବ୍ଦୀର ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରତୀକ ସ୍ୱରୂପ ଏକ କସ୍ମିକ୍ ଅରେଞ୍ଜ ରଙ୍ଗର iPhone 17 Pro Max କୁ ସ୍ଥାନ ଦିଆଯାଇଛି। ଏକ ଟନ୍ ଓଜନର ଷ୍ଟେନଲେସ୍-ଷ୍ଟିଲ୍ କ୍ୟାପ୍‌ସୁଲ୍‌ ମାଟି ତଳେ ୨୫୦ ବର୍ଷ ରହିବ । ଏହାକୁ ଆମେରିକାର ୫୦୦ ତମ ସ୍ବାଧୀନତା ଦିବସରେ ଖୋଲାଯିବ। ଭବିଷ୍ୟତର ଆମେରିକୀୟ ନାଗରିକଙ୍କୁ ଚଳିତ ୨୦୨୬ ମସିହାର ଜୀବନଶୈଳୀ, ସଂସ୍କୃତି ଏବଂ ବୈଷୟିକ ଜ୍ଞାନକୌଶଳର ଏକ ଝଲକ ଦେଖାଇବକୁ ଲକ୍ଷ୍ୟ ରଖିଛି ଆମେରିକା । ଏଥିରେ ଆମେରିକାର ସମସ୍ତ ୫୦ଟି ରାଜ୍ୟ, ୱାଶିଂଟନ୍ ଡିସି ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ସଂଗୃହିତ ସ୍ମାରକୀ ରଖାଯାଇଛି।

ଷ୍ଟେନଲେସ୍‌ ଷ୍ଟିଲ୍‌ରେ ନିର୍ମିତ ଏହି କ୍ୟାପସୁଲରେ ଆଇଫୋନ୍‌ ବ୍ୟତୀତ ଆମେରିକୀୟ ଗୃହଯୁଦ୍ଧ ସମୟର ଏକ ଚିଲ ପର, ପ୍ରସିଦ୍ଧ ରାଇଟ୍ ବ୍ରଦର୍ସଙ୍କ ବିମାନର କପଡ଼ା ଏବଂ କୋକାକୋଲା ବୋତଲ ବି ରହିଛି । ଆଦିବାସୀମାନଙ୍କ ପାରମ୍ପରିକ କଳାକୃତି ଏବଂ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ ସ୍ଥାନ ପାଇଛି ଏହି କ୍ୟାପୁସୁଲରେ । ଏହା ସହିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଚାଟବଟର ଉତ୍ତର ଏବଂ ଆଇଫୋନ୍ ଭିତରେ ସେଭ୍ କରାଯାଇଥିବା ବିଭିନ୍ନ ଡିଜିଟାଲ ତଥ୍ୟ ବି ସାମିଲ।  ସେପଟେ କ୍ୟାପସୁଲରେ ଆଇଫୋନ ତ ରହିବ, କିନ୍ତୁ ୨୫୦ ବର୍ଷ ପରେ ପୁଣି ଥରେ କାର୍ଯ୍ୟକ୍ଷମ ହୋଇପାରିବ ତ ? ଏହାକୁ ନେଇ ଉଠିଛି ପ୍ରଶ୍ନ ।

୨୫୦ ବର୍ଷ ପର୍ଯ୍ୟନ୍ତ ଭୂତଳେ ରହିବା ଦ୍ୱାରା ଫୋନ୍‌ର ବ୍ୟାଟେରୀ ନଷ୍ଟ ହୋଇଯିବ। ୨୨୭୬ ମସିହାରେ ଏହା ସକାର୍ଯ୍ୟକ୍ଷମ ହେବ ଅସମ୍ଭବ । ହୁଏତ ଭବିଷ୍ୟତର ଜ୍ଞାନକୌଶଳ ବ୍ୟବହାର କରି ଏହା ଚିପରୁ ତତ୍ୟ ସଂଗ୍ରହ କରାଯାଇପାରେ । ଆଜିର ସ୍ମାର୍ଟଫୋନ୍ ଆଗାମୀ ୨୫୦ ବର୍ଷ ପରେ କେଉଁ ରୂପ ନେବ, ତାହା କଳ୍ପନା ବାହାରେ। ହୁଏତ ହାତରେ ଧରିବା ଭଳି ଫୋନ୍ ନଥିବ ଏବଂ ଏହାର ସ୍ଥାନ 'ନ୍ୟୁରାଲ୍ ଇମ୍ପ୍ଲାଣ୍ଟ' କିମ୍ବା କୌଣସି ଅଦୃଶ୍ୟ ଗ୍ୟାଜେଟ୍ ନେଇସାରିଥିବ। ଏଭଳି ପରିସ୍ଥିତିରେ, ଏହି ଆଇଫୋନ୍ ୧୭ ପ୍ରୋ ମ୍ୟାକ୍ସ ଭବିଷ୍ୟତର ମାନବ ସମାଜ ପାଇଁ ମାନବୀୟ ପ୍ରଗତିର ଏକ ବଡ଼ ପ୍ରମାଣ ତଥା ଐତିହାସିକ ସ୍ମାରକୀ ସାବ୍ୟସ୍ତ ହୋଇପାରେ ।