ନୂଆଦିଲ୍ଲୀ ୦୫।୦୪: ବେଙ୍ଗାଲୁରୁରେ ଇଞ୍ଜିନିୟରମାନଙ୍କର ଏକ ଟିମ୍ ଅତ୍ୟନ୍ତ ସାହସିକ କିନ୍ତୁ ଅପାତତଃ ଅସମ୍ଭବ ପ୍ରୟାସ କରୁଛନ୍ତି । ପୃଥିବୀରେ ସୂର୍ଯ୍ୟ ଶକ୍ତିର ନକଲ ନିର୍ମାଣ କରୁଛନ୍ତି । ଏହି ପ୍ରୟାସ ସଫଳ ହେଲେ, ସେମାନଙ୍କ କାର୍ଯ୍ୟ ଉର୍ଜ୍ଜା ଉତ୍ପାଦନ କ୍ଷେତ୍ରରେ ଭାରତକୁ ନୂଆ ପରିଚୟ ଦେବ । ସେତିକି ନୁହେଁ, ଏଲ୍ପିଜି ସଙ୍କଟ ଓ ଇନ୍ଧନ ମୂଲ୍ୟ ବୃଦ୍ଧି ଭଳି ଦୈନନ୍ଦିନ ବିଷୟ ବି ଅତୀତ ହୋଇଯିବ ।

ବେଙ୍ଗାଲୁରୁ ସ୍ଥିତ ଷ୍ଟାର୍ଟଅପ୍ ‘ପ୍ରନୋସ୍ ଫ୍ୟୁଜନ୍’ ପରମାଣୁ ଫ୍ୟୁଜନ୍ ବା ମିଶ୍ରଣ ଉପରେ କାମ କରୁଛି । ଏହା ସେହି ପ୍ରକ୍ରିୟା ଯାହା ନକ୍ଷତ୍ରମାନଙ୍କୁ ଶକ୍ତି ପ୍ରଦାନ କରେ । ଜୀବାଶ୍ମ ଇନ୍ଧନ କିମ୍ବା ପାରମ୍ପରିକ ପରମାଣୁ ଶକ୍ତି ଭଳି ଏହା ପରମାଣୁର ଦହନ କିମ୍ବା ବିଭାଜନ ଉପରେ ନିର୍ଭର କରେ ନାହିଁ । ଏହା ପରିବର୍ତ୍ତେ, ପ୍ରଚୁର ପରିମାଣର ଉର୍ଜ୍ଜା ଉତ୍ପନ୍ନ ଲାଗି ଏହା ଉଦ୍ଯାନ ଭଳି ହାଲୁକା ତତ୍ତ୍ୱକୁ ଫ୍ୟୁଜ୍ କରେ, ଠିକ୍ ଯେମିତି ସୂର୍ଯ୍ୟ ଭିତରେ ହୁଏ । ପ୍ରନୋସ୍ ଫ୍ୟୁଜନ୍ର ପ୍ରତିଷ୍ଠାତା ଶୌର୍ଯ୍ୟ କୌଶଲ କହିଛନ୍ତି, ଫ୍ୟୁଜନ୍ ଦ୍ୱାରା ବ୍ରହ୍ମାଣ୍ଡ ନିଜକୁ ଉର୍ଜ୍ଜା ପ୍ରଦାନ କରେ । ବର୍ତ୍ତମାନ ମଣିଷ ଉପଯୋଗ କରୁଥିବା ଉର୍ଜ୍ଜାର ପ୍ରାୟତଃ ପ୍ରତ୍ୟେକ ରୂପ କେତେକ ଉପାୟରେ ଏଥିରେ ଚିହ୍ନଟ ହୁଏ ।

ଦୀର୍ଘ ଦଶନ୍ଧି ଧରି, ଫ୍ୟୁଜନ୍ ବ୍ୟାପକ ରୂପେ ସିଦ୍ଧାନ୍ତ ଓ ବ୍ୟାପକ-ସ୍ତରୀୟ ସରକାରୀ ଅଧ୍ୟୟନ କାର୍ଯ୍ୟକ୍ରମରେ ସୀମିତ ଥିଲା । ତେବେ, କୌଶଲଙ୍କ ବିଶ୍ୱାସ ଯେ ଥିଓରିରୁ ଇଞ୍ଜିନିୟରିଙ୍ଗ ବାସ୍ତବତାକୁ ଯିବାର ସମୟ ଆସିଛି । ତାଙ୍କ ଅନୁସାରେ, ଫ୍ୟୁଜନ୍ ପଛର ବିଜ୍ଞାନ ପୂର୍ବରୁ ବିଶ୍ୱସ୍ତରରେ ସ୍ଥାପିତ । ବର୍ତ୍ତମାନ ପ୍ରକୃତ ଆହ୍ୱାନ ହେଉଛି ସେହି ସିଦ୍ଧାନ୍ତଗୁଡ଼ିକୁ ଏଭଳି ପଦ୍ଧତିରେ ରୂପାନ୍ତରିତ କରିବା, ଯାହା ନିର୍ମାଣ, ବିସ୍ତାର ଓ କାର୍ଯ୍ୟକାରୀ ହୋଇପାରିବ । ପ୍ରନୋସ ଫ୍ୟୁଜନ୍ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢୁଛି । ଏକ ପୂର୍ଣ୍ଣାଙ୍ଗ ରିଆକ୍ଟର ନିର୍ମାଣ କରିବା ବଦଳରେ ଫ୍ୟୁଜନ୍ର ଜଟିଳତାକୁ ପରିଚାଳନାଯୋଗ୍ୟ ଉପାଦାନରେ ବିଭାଜିତ କରୁଛି । ସଫ୍ଟୱେର ଜରିଆରେ କମ୍ପାନିର ଯାତ୍ରା ଆରମ୍ଭ ହୋଇଥିଲା । ଭବିଷ୍ୟତ ଫ୍ୟୁଜନ୍ ରିଆକ୍ଟର୍ର ମସ୍ତିଷ୍କ ରୂପେ ଏହା ‘ଜେଙ୍ଗା’ ନାମକ ଏକ ଡିଜାଇନ୍ ଓ ନିୟନ୍ତ୍ରଣ ପ୍ଲାଟ୍ଫର୍ମ ପ୍ରସ୍ତୁତ କଲା । ଏହି ସଫ୍ଟୱେର ବିଶ୍ୱର ପ୍ରାୟ ୧୮ଟି ରିଆକ୍ଟର୍ର ମାନଦଣ୍ଡ ସହ ମୁକାବିଲା କରିଥିଲା, ଯେଉଁଥିରେ ବିଶ୍ୱର ଅନୁସନ୍ଧାନ କେନ୍ଦ୍ରରୁ ପ୍ରାପ୍ତ ତଥ୍ୟ ନିଆଯାଇଥିଲା ।

କେବଳ ସିମୁଲେସନ୍ ପର୍ଯ୍ୟାପ୍ତ ନୁହେଁ ବୋଲି ଗବେଷକ ଟିମ୍ ହୃଦୟଙ୍ଗମ କଲେ । ବୁଦ୍ଧିମତା ପ୍ରଣାଳୀକୁ ତାଲିମ ପ୍ରଦାନ ଓ ଡିଜାଇନ୍କୁ ଆହୁରି ସୂକ୍ଷ୍ମ କରିବା ପାଇଁ ବାସ୍ତବ-ଜଗତର ତଥ୍ୟ ଆବଶ୍ୟକ ଥିଲା । ଏହା ସେମାନଙ୍କୁ ମଧ୍ୟମ-ସ୍ତରୀୟ ଟୋକୋମାକ୍ ବିକାଶ ଲାଗି ମାର୍ଗଦର୍ଶନ କଲା । ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ଜରିଆରେ ଉତ୍ତପ୍ତ ପ୍ଲାଜ୍ମାକୁ ସୀମିତ ରଖିବାକୁ ଏହି ଉପକରଣ ଡିଜାଇନ୍ କରାଗଲା । ପ୍ରନୋସ ଦ୍ୱାରା ନିର୍ମିତ ଟୋକାମାକ୍ର ନାମ ‘ପ୍ରଜ୍ଞା’ । ଏହା ଅଦ୍ୟାବଧି ଫ୍ୟୁଜନ୍ ଉର୍ଜ୍ଜା ଉତ୍ପନ୍ନ କରିନାହିଁ କିନ୍ତୁ ବିକାଶ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଟୋକାମାକ୍ ପରମାଣୁ ଫ୍ୟୁଜନ୍ରେ ପ୍ରୟୋଗ ହେଉଥିବା ଏକ ଉପକରଣ, ଯାହା ଏକ ଡୋନଟ୍-ଆକୃତିର ଚାମ୍ବର୍ର ଉତ୍ତପ୍ତ ପ୍ଲାଜ୍ମାକୁ ସୀମିତ ରଖିବାକୁ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ରର ଉପଯୋଗ କରେ । ପ୍ରଜ୍ଞା ଟୋକାମାକ୍ ଏକ ଉପଜଟିଳ ପ୍ରଣାଳୀ, ଯାହା ସିମୁଲେସନ୍ରେ ସୁଧାର ଓ ଭବିଷ୍ୟତର ରିଆକ୍ଟର ଡିଜାଇନ୍ ଲାଗି ଆବଶ୍ୟକ ତଥ୍ୟ ପ୍ରଦାନ କରେ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ, କାରଣ ଫ୍ୟୁଜନ୍ ହାର୍ଡୱେର ନିର୍ମାଣ କରୁଥିବା ଏକ ଘରୋଇ ଭାରତୀୟ ଷ୍ଟାର୍ଟଅପ୍ର ଏହା ଅନ୍ୟତମ ହାତଗଣତି ଉଦାହରଣ ।

Also Read-ଆତଙ୍କୀ ଦେଶର ଫୁଟାଣି ! ଦିଲ୍ଲୀ ଏବଂ ମୁମ୍ବାଇ ପରେ କୋଲକାତା ଉପରେ କରିବ ଆଟାକ୍