କାବୁଲ: ଦ୍ୱିପାକ୍ଷିକ ବାଣିଜ୍ୟ ଓ ରାଜନୈତିକ ସମ୍ପର୍କ ମଜଭୁତ କରିବା ଉଦ୍ଦେଶ୍ୟରେ ରବିବାର ଆଫଗାନିସ୍ତାନର ତାଲିବାନ ସରକାର ସହିତ ଆଲୋଚନା କରିଛନ୍ତି ଭାରତ ସରକାର । ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA)ର ପାକିସ୍ତାନ, ଆଫଗାନିସ୍ତାନ ଏବଂ ଇରାନ (PAI) ବିଭାଗର ଯୁଗ୍ମ ସଚିବ ଆନନ୍ଦ ପ୍ରକାଶ କାବୁଲରେ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ମୱଲାୱି ଆମିର ଖାନ ମୁତାକିଙ୍କୁ ଭେଟିଛନ୍ତି।
ଉଭୟ ନେତାଙ୍କ ମଧ୍ୟରେ ରାଜନୈତିକ ସମ୍ପର୍କ, ବାଣିଜ୍ୟ, ପରିବହନ ଏବଂ ଆଞ୍ଚଳିକ ବିକାଶ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଜମ୍ମୁ-କାଶ୍ମୀରର ପହଲଗାମ ଅଞ୍ଚଳରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ସମ୍ପର୍କ ଖରାପ ହେବା ବେଳେ ଆଫଗାନିସ୍ତାନ ସହ ବୈଠକକୁ ଏକ ନୂଆ ଉଦ୍ଦେଶ୍ୟରେ ଦେଖାଯାଉଛି।
ପଢନ୍ତୁ- ଋଷ-ଚୀନ ନିରପେକ୍ଷ ତଦନ୍ତ କରନ୍ତୁ ବୋଲି ପାକିସ୍ତାନର ଦାବିକୁ ସମର୍ଥନ ଜଣାଇଲା ଚୀନ: କହିଲା ପାକ୍ ଆମର ବଲ ବନ୍ଧୁ
ବୈଠକରେ ତାଲିବାନ ମନ୍ତ୍ରୀ ମୁତାକି ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ କୂଟନୈତିକ ଏବଂ ଅର୍ଥନୈତିକ ସମ୍ପର୍କ ବିସ୍ତାର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏନେଇ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ଉପମୁଖପାତ୍ର ହାଫିଜ୍ ଜିଆ ଅହମଦ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଅହମଦଙ୍କ ପୋଷ୍ଟ ଅନୁଯାୟୀ, ମୁତାକୀ ଆଫଗାନିସ୍ତାନର ବର୍ତ୍ତମାନର ନିବେଶ-ଅନୁକୂଳ ପରିବେଶ ଉପରେ ଭାରତକୁ ଅବଗତ କରାଇଥିଲେ। ଏବଂ ଭାରତୀୟ ବ୍ୟବସାୟ ଏବଂ ନିବେଶକମାନଙ୍କୁ ଦେଶର ଉନ୍ନତିଶୀଳ ପରିସ୍ଥିତିର ସୁଯୋଗ ନେବାକୁ ଅନୁରୋଧ ମଧ୍ୟ କରିଥିଲେ ବୋଲି ଅହମଦ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ପଢନ୍ତୁ- ପହଲଗାମ ଆତଙ୍କବାଦୀ ଘଟଣାର ତଦନ୍ତ ଋଷ ଓ ଚୀନ କରନ୍ତୁ ବୋଲି କହିଲା ପାକିସ୍ତାନ
ସୂଚନା ଥାଉକି ଯଦିଓ ତାଲିବାନ ନେତୃତ୍ୱାଧୀନ ସରକାରକୁ କୌଣସି ରାଷ୍ଟ୍ର କିମ୍ବା ବିଶ୍ୱ ସଂଗଠନ ଦ୍ୱାରା ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦିଆଯାଇନାହିଁ, ଭାରତ କାବୁଲରେ ଏକ କୂଟନୈତିକ ଉପସ୍ଥିତି ବଜାୟ ରଖିଛି। ତାଲିବାନ ମନ୍ତ୍ରୀଙ୍କ ସହିତ ଆଲୋଚନା କଲା ବେଳେ ପିଏଆଇ ସଚିବ ଆନନ୍ଦ ପ୍ରକାଶ ଆଫଗାନିସ୍ତାନ ସହିତ ବହୁବିଧ କ୍ଷେତ୍ରରେ ସମ୍ପର୍କକୁ ଆହୁରି ଗଭୀର କରିବା ବିଷୟରେ ଆଶା ପୋଷଣ କରିଥିଲେ। ଆଫଗାନ ମାଟିରେ ଭାରତ କରୁଥିବା ବିକାଶ ସହଯୋଗକୁ ଆହୁରି ମଜଭୁତ କରାଯିବ ବୋଲି କହିଥିଲେ। ନୂଆ ଭିତ୍ତିଭୂମି ପ୍ରକଳ୍ପରେ ନିବେଶ ଏବଂ ଅଗଷ୍ଟ ୨୦୨୧ରେ ତାଲିବାନର କ୍ଷମତାକୁ ଫେରିବା ପରେ ଅଟକି ଯାଇଥିବା ଅନେକ ବିକାଶମୂଳକ କାମକୁ ପୁଣିଥରେ ଆରମ୍ଭ କରିବାକୁ ଭାରତର ଇଚ୍ଛା ମଧ୍ୟ ଜଣାଇଥିଲେ।