ନାବାଳିକା ସୁଟରଙ୍କୁ ହୋଟେଲ ଡାକି ଯୌନ ଶୋଷଣ କଲେ ଜାତୀୟ ଦଳର କୋଚ୍ ! କ୍ରୀଡ଼ା ଜଗତରେ ହଇଚଇ

NEWS7
nawaz-sharif-advises-pakistan-pm-shahbaz-sharif-ease-tension-between-indian-diplomatically

ଫରିଦାବାଦ: ଫରିଦାବାଦରେ ଜଣେ ୧୭ ବର୍ଷୀୟା ଜାତୀୟ ସ୍ତରୀୟ ନାବାଳିକା ସୁଟରଙ୍କ ସହ ଯୌନ ନିର୍ଯାତନା ହୋଇଥିବା ଏକ ମାମଲା ସାମ୍ନାକୁ ଆସିଛି। ନାବାଳିକା ଅଭିଯୋଗ କରିଛନ୍ତି ଯେ, ତାଙ୍କ ପ୍ରଶିକ୍ଷକ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ପୀଡିତାଙ୍କ ଅଭିଯୋଗ ଆଧାରରେ, ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ବର୍ତ୍ତମାନ ଏହାର ତଦନ୍ତ କରୁଛି। ସେପଟେ ଅଭିଯୁକ୍ତ ଜାତୀୟ ସୁଟିଂ ଦଳର କୋଚଙ୍କୁ ସସପେଣ୍ଡ୍ କରାଯାଇଛି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜେତା ଏବଂ ଜାତୀୟ ସୁଟିଂ ଦଳର କୋଚ୍ ଥିବା ଅଙ୍କୁଶ ଭରଦ୍ବାଜଙ୍କୁ ସସପେଣ୍ଡ କରାଯିବା ପରେ ଖେଳ ଜଗତରେ ହଇଚଇ ସୃଷ୍ଟି ହୋଇଛି । ପ୍ରଦର୍ଶନ ସମୀକ୍ଷା (Performance Review)ଆଳରେ ନାବାଳିକା ସୁଟରଙ୍କୁ ହୋଟେଲକୁ ଡାକି ଅଙ୍କୁଶ ତାଙ୍କର ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି ।ଭାରତୀୟ ପିସ୍ତଲ ସୁଟିଂ କ୍ଷେତ୍ରରେ ଲୋକପ୍ରିୟ ୩୮ ବର୍ଷୀୟ ଅଙ୍କୁଶ ଭରଦ୍ବାଜଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି ।

ନାବାଳିକା ସୁଟରଙ୍କ ଅଭିଯୋଗ ଅନୁସାରେ, ‘୧୬ ଡିସେମ୍ବର ୨୦୨୫ ରେ, ଦିଲ୍ଲୀର କରଣୀ ସିଂହ ସୁଟିଂ ରେଞ୍ଜରେ ଏକ ସୁଟିଂ ଚାମ୍ପିଅନସିପ୍ ଆୟୋଜିତ ହୋଇଥିଲା । ସେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ତାଙ୍କ ପ୍ରଶିକ୍ଷକଙ୍କ ସହିତ କରଣୀ ସିଂହ ସୁଟିଂ ରେଞ୍ଜକୁ ଆସିଥିଲେ। ଏହି ସମୟରେ ପ୍ରଶିକ୍ଷକ ସୁରଜକୁଣ୍ଡର ଏକ ହୋଟେଲରେ ରହୁଥିଲେ। ଚାମ୍ପିଅନସିପ୍ ଶେଷ ହେବା ପରେ, ତାଙ୍କ ପ୍ରଶିକ୍ଷକ ତାଙ୍କ ପ୍ରଦର୍ଶନ ବିଷୟରେ ଆଲୋଚନା କରିବା ବାହାନାରେ ତାଙ୍କୁ ହୋଟେଲକୁ ଡାକିଥିଲେ।’

ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, କୋଚ୍ ତାଙ୍କୁ ରୁମ ଯିବାକୁ ବାଧ୍ୟ କରିଥିଲେ । ରୁମକୁ ଯିବା ପରେ କୋଚ୍ ତାଙ୍କ ସହ ଜୋରଜବରଦସ୍ତି କରିଥିଲେ ଏବଂ ଯୌନ ଶୋଷଣ କରିଥିଲେ । ଯଦି ସେ ଏନେଇ ବାହାରେ କାହାକୁ କହିବେ ତେବେ ତାଙ୍କ କ୍ୟାରିୟର ବରବାଦ କରିଦେବେ ବୋଲି ମଧ୍ୟ କୋଚ୍ ଧମକ ଦେଇଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି ।

ଦୀର୍ଘଦିନ ଧରି କଷ୍ଟ ସହିଥିଲେ ପୀଡ଼ିତା, ରାତିରେ ଶୋଇପାରୁ ନଥିଲେ । ଏହା ପରେ ସେ, ତାଙ୍କ ସହ ହୋଇଥିବା ଅନ୍ୟାୟ ସଂପର୍କରେ ପରିବାରକୁ କହିବାକୁ ନିଷ୍ପତ୍ତି ନେଇଥିଲେ । ସେପଟେ ପୀଡ଼ିତାଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, ଘଟଣା ଡିସେମ୍ବର ୧୬ରେ ଘଟିଥିଲା । କିନ୍ତୁ ଏନେଇ ପୀଡ଼ିତା ତାଙ୍କୁ ଜାନୁଆରୀ ୬ରେ ଜଣାଇଥିଲେ । ପରେ ଝିଅକୁ ଏନଆଇଟି ଫରିଦାବାଦର ମହିଳା ଥାନାକୁ ନେଇଥିଲେ ପରିବାର ଏବଂ ସେଠାରେ କୋଚ୍ ଅଙ୍କୁଶଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ମାମଲା ଦାୟର କରିଥିଲେ ।