ଇରାନ୍ ଠାରୁ ଅଧିକ ଚିନ୍ତା ବଢ଼ାଇଛି ଟଏଲେଟ୍, ଆମେରିକୀୟ ସୈନିକ କରିବେ କ’ଣ ?

NEWS7
nawaz-sharif-advises-pakistan-pm-shahbaz-sharif-ease-tension-between-indian-diplomatically

ନୂଆଦିଲ୍ଲୀ: ଇରାନ୍ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ଚିନ୍ତା କରୁଛନ୍ତି ଆମେରିକା ରାଷ୍ଟ୍ରପତି । ଏପରିକି ଇରାନ ଚାରିପାଖରେ ଆମେରିକାର ଯୁଦ୍ଧ ଜାହାଜ ମଧ୍ୟ ମୁତୟନ ଥିବା କୁହାଯାଉଛି । କିନ୍ତୁ ଆମେରିକୀୟ ସୈନିକଙ୍କୁ ଘାରିଲାଣି ଶୌଚାଳୟ ଚିନ୍ତା। ସକାଳ ଏବଂ ସଞ୍ଜରେ ଶୌଚ ଯିବାକୁ ସେମାନଙ୍କୁ ଭାବିବାକୁ ପଡ଼ୁଛି । ପ୍ରକୃତରେ ଆମେରିକାର ସବୁଠାରୁ ବଡ଼ ଯୁଦ୍ଧ ବାହକ ଜାହାଜରେ ଦେଖାଦେଇଛି ଶୌଚାଳୟ ସମସ୍ୟା ।

ୟୁଏସଏସ ଜେରାଲ୍ଡ ଆର. ଫୋର୍ଡରେ ଥିବା ୫୦୦୦ ରୁ ଅଧିକ ସୈନିକ ଏବେ କରିବେ କ’ଣ ? ଭେନେଜୁଏଲାରେ ଆକ୍ରମଣ ପରେ ସେମାନେ ଘରକୁ ଫେରିଯିବେ ବୋଲି ଭାବିଥିଲେ । କିନ୍ତୁ ସମୁଦ୍ରରେ ମୋଟ ୧୧ ମାସ ବିତାଇବାକୁ ପଡ଼ିବ । ସେପଟେ ଜାହାଜରେ ଥିବା ଟଏଲେଟ୍ଗୁଡ଼ିକ ବନ୍ଦ ହୋଇଗଲାଣି । ସୈନିକଙ୍କ ପାଇଁ ଶୌଚ ହେବା ଏବେ ମୁସକିଲ ହୋଇପଡ଼ିଛି ।

ୟୁଏସଏସ୍ ଜେରାଲ୍ଡ ଆର. ଫୋର୍ଡ ଦୀର୍ଘ ଦିନ ଧରି ମୁତୟନ ହେବା ଫଳରେ ଏହି ସମସ୍ୟା ଉପୁଜିଛି । ୬୫୦ଟି ଶୌଚାଳୟ ପ୍ରାୟ ବନ୍ଦ ହେବା ଅବସ୍ଥାରେ ରହିଛି । ତେବେ ଜାହାଜଟି ଆହୁରି ୩ ମାସ ସମୁଦ୍ରରେ ରହିପାରେ । ଯଦି ଏଭଳି ହୁଏ, ତେବେ ଆମେରିକା ନୌସେନା ଇତିହାସରେ ଏକ ନୂତନ ରେକର୍ଡ ହେବ। ଜାହାଜଟିର ନିୟମିତ ରକ୍ଷଣାବେକ୍ଷଣ ଆବଶ୍ୟକ । କିନ୍ତୁ ଦୀର୍ଘ ଦିନ ଧରି ଗଭୀର ସମୁଦ୍ରରେ ରହିବା ଫଳରେ ଏହାର ନିୟମିତ ରକ୍ଷଣାବେକ୍ଷଣ ହୋଇପାରୁ ନାହିଁ ।

ସମୁଦ୍ରରେ ଏତେ ଲମ୍ବା ସମୟ ପାଇଁ ନିୟୋଜିତ ହେବା ଯୋଗୁଁ, ଏହି ବିମାନ ବାହକ ଜାହାଜରେ ଏକ ନୂତନ ଏବଂ ଗମ୍ଭୀର ସମସ୍ୟା ଦେଖାଦେଇଛି। ଜାହାଜର ଶୌଚାଳୟଗୁଡ଼ିକ ବନ୍ଦ ହୋଇଯିବାକୁ ବସିଲାଣି । ୧ ଲକ୍ଷ କୋଟି ଟଙ୍କାରେ ନିର୍ମିତ ଏହି ଜାହାଜରେ ଶୌଚାଳୟ ବନ୍ଦ ହେବା ଖବର ଶୁଣିଲେ, ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହି କଥା ସତ । ଜାହାଜଟି ଏବେ ସ୍ୱେରେଜ୍ ସମସ୍ୟା ସହିତ ଯୁଝୁଛି । NPR ରିପୋର୍ଟ କରିଛି ଯେ, ଜାହାଜର ଭାକ୍ୟୁମ୍ ସିଷ୍ଟମ୍ ଏତେ ଜଟିଳ ଯେ, ଯଦି ଗୋଟିଏ ଶୌଚାଳୟ ଖରାପ ହୁଏ, ତେବେ ସମଗ୍ର ଅଂଶ କାମ କରିବା ବନ୍ଦ କରିଦିଏ ।

ବନ୍ଦ ପଡ଼ିଥିବା ଶୌଚାଳୟଗୁଡ଼ିକୁ ସଫା କରି କରି ନୟାନ୍ତ ହୋଇଗଲେଣି ସଫେଇ କର୍ମଚାରୀ । ଶୌଚାଳୟରେ ଅନେକ ବର୍ଯ୍ୟବସ୍ତୁ ମିଳୁଛି। ରିପୋର୍ଟରୁ ଜଣାପଡ଼ିଛି ଯେ, ବନ୍ଦ ଶୌଚାଳୟଗୁଡ଼ିକରୁ ଟି-ସାର୍ଟଠାରୁ ଆରମ୍ଭ କରି ଲମ୍ବା ରଶି ପର୍ଯ୍ୟନ୍ତ ମିଳୁଛି । କର୍ମଚାରୀମାନେ ଶୌଚାଳୟ ସଜାଡ଼ିବା ପାଇଁ ଦିନରାତି କାମ କରୁଛନ୍ତି, କିନ୍ତୁ ସମସ୍ୟା କମିବ କ’ଣ ବଢ଼ିବାରେ ଲାଗିଛି । ସେପଟେ ଦୀର୍ଘ ଦିନ ଧରି ସମୁଦ୍ରରେ ରହିବା ଫଳରେ, ସୈନିକଙ୍କ ମନୋବଳ ଭାଙ୍ଗିଗଲାଣି । ଯୁଦ୍ଧ ସ୍ଥିତ ଥିବାରୁ ସେମାନେ ପରିବାର ସହ ଯୋଗଯୋଗ ମଧ୍ୟ କରିପାରୁ ନାହାନ୍ତି । ଏଥିରେ ଥିବା ଅଧିକାଂଶ ସୈନିକଙ୍କ ବୟସ ୩୦ ବର୍ଷରୁ କମ୍ । ଏପରିକି ମିଶନ ଶେଷ ହେବା ମାତ୍ରେ ସେମାନେ ନୌସେନା ଛାଡ଼ିବାକୁ ଯୋଜନା କରୁଥିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି ।