ପହଲଗାମ ହମଲାକୁ ନେଇ ଭାବୁକ ହେଲେ ସିଏମ୍‌ ଅବ୍‌ଦୁଲ୍ଲା, କହିଲେ ସାରା ଭାରତ ଉପରେ ଆକ୍ରମଣ

Published By : Prameya-News7 Bureau | April 28, 2025 IST

ନୂଆଦିଲ୍ଲୀ ୨୮/୦୪: ଜମ୍ମୁ-କାଶ୍ମୀର ବିଧାନସଭାରେ ପହଲଗାମ ଆତଙ୍କବାଦୀ ଚର୍ଚ୍ଚା । ଆକ୍ରମଣକୁ ସର୍ବସମ୍ମତିକ୍ରମେ ନିନ୍ଦା କରିଛନ୍ତି ସମସ୍ତେ । ସ୍ୱତନ୍ତ୍ର ଅଧିବେଶନରେ ନିନ୍ଦା ପ୍ରସ୍ତାବ ଉପରେ ଆଲୋଚନାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଓମାର କହିଥିଲେ, "ମୁଁ ବିଶ୍ୱାସ କରିପାରୁନାହିଁ ଯେ ଆମେ କିଛି ଦିନ ପୂର୍ବରୁ ଏହି ଗୃହରେ ଥିଲୁ । ବଜେଟ୍ ଏବଂ ଅନ୍ୟାନ୍ୟ ଅନେକ ପ୍ରସଙ୍ଗରେ ବିତର୍କ ହୋଇଥିଲା । ଶେଷ ଦିନ ଆମେ ଚା ପିଉଥିଲୁ ଏବଂ ଭାବୁଥିଲୁ ଯେ ପରବର୍ତ୍ତୀ ଅଧିବେଶନ କାଶ୍ମୀରରେ ହେବ । ସେତେବେଳେ କେହି ଭାବି ନଥିଲେ ଯେ ଆମକୁ ଏମିତି ପରିବେଶରେ ଭେଟିବାକୁ ପଡ଼ିବ। 

ଓମାର ଅବଦୁଲ୍ଲା କହିଛନ୍ତି, "ଆମର ଅନୁରୋଧରେ ଏହି ଅଧିବେଶନ ଡାକିଥିବା ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି । ଏହି ଆକ୍ରମଣ ପରେ ଯେତେବେଳେ ଆମର କ୍ୟାବିନେଟ୍ ଏକ ବୈଠକ ଡକାଗଲା ସେତେବେଳେ ନିଷ୍ପତ୍ତି ନିଆଯାଇଥିଲା ଯେ ଆମେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଗୋଟିଏ ଦିନିକିଆ ଅଧିବେଶନ ଡାକିବାକୁ ଅନୁରୋଧ କରିବୁ। ଏହି ଅଧିବେଶନ ଡକାଯାଇଥିଲା କାରଣ ଜମ୍ମୁ-କାଶ୍ମୀରର ଏହି ବିଧାନସଭା ପରି ସାଂସଦ କିମ୍ବା ଅନ୍ୟ କୌଣସି ରାଜ୍ୟର ବିଧାନସଭା ସେହି ଲୋକଙ୍କ ଯନ୍ତ୍ରଣା ଓ କଷ୍ଟକୁ ଏତେ ବୁଝନ୍ତି ନାହିଁ।


ସେ କହିଲେ, ସ୍ପିକର ମହାଶୟ, ଆପଣଙ୍କ ଚାରିପାଖକୁ ଦେଖନ୍ତୁ । ଆପଣଙ୍କ ଚାରିପାଖରେ ଏପରି ଲୋକମାନେ ବସିଛନ୍ତି ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି । କେହି ତାଙ୍କ ବାପାଙ୍କୁ ହରାଇଛନ୍ତି, କେହି ତାଙ୍କ କାକାଙ୍କୁ ହରାଇଛନ୍ତି। ଆମ ମଧ୍ୟରୁ କେତେ ଜଣଙ୍କ ଉପରେ ଆକ୍ରମଣ ବି ହୋଇଛି? ଏମିତି କହୁ କହୁ ସେ ବେଶ୍ ଭାବୁକ ହୋଇଯାଇଥିଲେ । 

ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା କହିଛନ୍ତି, "ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ... ସମଗ୍ର ଦେଶ ଏହି ଆକ୍ରମଣରେ ପ୍ରଭାବିତ ହୋଇଛି। ଏହା ପ୍ରଥମ ଆକ୍ରମଣ ନୁହେଁ। ମୁଁ ଅନେକ ଆକ୍ରମଣ ହେଉଥିବା ଦେଖିଛି । ଡୋଡା, ଅମରନାଥ ଯାତ୍ରା, କାଶ୍ମୀର ପଣ୍ଡିତ, ସର୍ଦ୍ଦାର ବସତି ଉପରେ ଆକ୍ରମଣ ଦେଖିଛି। ୨୧ ବର୍ଷ ପରେ ସାଧାରଣ ଲୋକଙ୍କ ଉପରେ ଏତେ ବଡ଼ ଆକ୍ରମଣ ହୋଇଛି।


ସେ ଭାବପ୍ରବଣ ହୋଇ କହିଲେ, "ମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ଭାବରେ, ଆମେ ଲୋକମାନଙ୍କୁ ଏଠାକୁ ଆସିବାକୁ ନିମନ୍ତ୍ରଣ କରିଥିଲୁ । ଆବାହକ ଭାବରେ, ସମସ୍ତଙ୍କୁ ଏଠାରୁ ସୁରକ୍ଷିତ ଭାବରେ ପଠାଇବା ମୋର ଦାୟିତ୍ୱ ଥିଲା । ପଠାଇପାରିଲି ନାହିଁ । କ୍ଷମା ମାଗିବା ପାଇଁ କୌଣସି ଶବ୍ଦ ନଥିଲା । ମୁଁ ସେମାନଙ୍କୁ କ'ଣ କହିବି? ଛୋଟ ପିଲାମାନଙ୍କୁ... ଯେଉଁମାନେ ନିଜ ବାପାଙ୍କୁ ରକ୍ତରେ ଜୁଡ଼ୁବୁଡ଼ୁ ଦେଖିଥିଲେ। ସେହି ନୌସେନା ଅଧିକାରୀଙ୍କ ବିଧବାଙ୍କୁ ଯିଏ କିଛି ଦିନ ପୂର୍ବରୁ ବିବାହ କରିଥିଲେ।

ଓମାର ଅବଦୁଲ୍ଲା ଆହୁରି କହିଛନ୍ତି, କିଛି ଲୋକ ମୋତେ ପଚାରିଥିଲେ ଯେ ଆମର ଦୋଷ କ'ଣ? ଆମେ କିଛି ଦିନ ପୂର୍ବରୁ ପ୍ରଥମ ଥର ପାଇଁ କାଶ୍ମୀରକୁ ଛୁଟି ପାଇଁ ଆସିଥିଲୁ । ଏବେ ଆମକୁ ଜୀବନ ସାରା ଏହି ଛୁଟିର ମୂଲ୍ୟ ଦେବାକୁ ପଡିବ । ହେଲେ ଏଭଳି ଘୃଣ୍ୟ କାମ ପଛରେ ଯିଏ ବି ଅଛି ତାକୁ ଦଣ୍ଡ ମିଳୁ । ଏହି ଆକ୍ରମଣ ଆମକୁ ଭିତରୁ ଖାଲି କରିଦେଇଛି। 


  • Pahalgam Terror Attack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.