ନୂଆଦିଲ୍ଲୀ ୨୮।୧୧: ଜୈସ-ଏ-ମହମ୍ମଦ ଆତଙ୍କବାଦୀକୁ ଗିରଫ କଲା ଦିଲ୍ଲୀ ପୋଲିସ୍ । ପାକିସ୍ତାନୀ ଲିଙ୍କରେ ଗିରଫ କଲା ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ । ସୋସିଆଲ ମିଡିଆରୁ ଆତଙ୍କୀଙ୍କୁ ରିକ୍ରୁଟ କରିଥିଲା ଜୈସ-ଏ-ମହମ୍ମଦ । ଗୁଜରାଟରୁ ଗିରଫ ଆତଙ୍କବାଦୀଙ୍କ ସହ ସମ୍ପର୍କର ତଦନ୍ତ ଜାରି ରହିଛି । ଗିରଫ ଆତଙ୍କୀ ଯୁବକମାନଙ୍କୁ ଆତଙ୍କବାଦ ପ୍ରତି ପ୍ରଲୋଭିତ କରୁଥିବା ଜଣାପଡ଼ିଛି ।

ଦିଲ୍ଲୀ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ସହିତ ଜଡିତ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଗିରଫ ଆତଙ୍କବାଦୀଙ୍କ ଉପରେ ସୋସିଆଲ ମିଡିଆରେ ନଜର ରଖାଯାଉଥିଲା । ଆତଙ୍କବାଦୀ ସଂଗଠନ ଜୈସର ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପ୍ରଥମେ ପଚରାଉଚରା କରାଯାଇଥିଲା ଏବଂ କିଛି ଦିନ ପୂର୍ବରୁ ଗିରଫ କରାଯାଇଥିଲା। ସୂତ୍ର ଅନୁଯାୟୀ, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଭାରତରେ ଯୁବକମାନଙ୍କୁ ବ୍ରେନୱାସ୍ କରିବା ଏବଂ ସେମାନଙ୍କୁ ସ୍ଲିପର ସେଲ୍ ଭାବରେ ନିଯୁକ୍ତି ଦେବା ପାଇଁ ସୋସିଆଲ ମିଡିଆ ବ୍ୟବହାର କରୁଛି । ଗିରଫ ଅଭିଯୁକ୍ତଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ନିଯୁକ୍ତି ଦିଆଯାଇଥିଲା । ଗିରଫ ସନ୍ଦିଗ୍ଧ ବ୍ୟକ୍ତିଙ୍କର ଗୁଜରାଟରେ ଗିରଫ ଜୈସ୍ ଆତଙ୍କବାଦୀଙ୍କ ସହିତ କୌଣସି ସମ୍ପର୍କ ଅଛି କି ନାହିଁ ତାହା ଏଜେନ୍ସି ଏବେ ତଦନ୍ତ କରୁଛି ।

ଗୁଜରାଟ ଆତଙ୍କବାଦ ବିରୋଧୀ ସ୍କ୍ୱାଡ୍ (ଏଟିଏସ୍) ବଡୋଦରାରୁ ଜଣେ ସନ୍ଦିଗ୍ଧ ଜୈସ୍ ଆତଙ୍କୀକୁ ଗିରଫ କରିଛି । ସେ ହେଲା ମହମ୍ମଦ ସହାରୁଲ ଇସଲାମ । ଆସାମ କରିମଗଞ୍ଜର ବାସିନ୍ଦା ଇସଲାମ ବଡୋଦରା ବାୟୁସେନା ଘାଟି ଉପରେ ଏକୁଟିଆ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିଲା । ସେଥିଲାଗି ସେ ରେକି ବି କରିଥିଲା । ତା’ର ମୋବାଇଲରୁ ବାୟୁସେନା ଘାଟିର ଫଟୋ ଏବଂ ଭିଡିଓ ଜବତ କରାଯାଇଛି । ଏଥିସହ ଇସଲାମ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ, ୨ଟି ମାଗାଜିନ୍, ୨୩ଟି କାର୍ତୁସ, ଜୈସ ପତାକା, ୨ଟି ମୋବାଇଲ୍ ଏବଂ କିଛି ଟଙ୍କା ମିଳିଛି । ଯାଞ୍ଚରୁ ଜଣାପଡି଼ଛି ଯେ, ପାକିସ୍ତାନରେ ଥିବା ହ୍ୟାଣ୍ଡଲର ତାକୁ ବଡୋଦରା ବାୟୁସେନା ଘାଟି ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆକ୍ରମଣ ପରେ ସେ ପାକିସ୍ତାନ ଖସିଯିବାକୁ ଯୋଜନା କରୁଥିଲା ।