ଲର୍ଡସ୍: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ଆଜି ଲଣ୍ଡନର ଐତିହାସିକ ଲର୍ଡସ ମୈଦାନରେ ଖେଳାଯାଉଛି । ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଆଜି ମ୍ୟାଚ୍ ପାଇଁ ଉଭୟ ଟିମ୍ ପରିବର୍ତ୍ତନ କରିଛନ୍ତି । ଭାରତୀୟ ଟିମ୍ ତିନି ବଡ଼ ପରିବର୍ତ୍ତନ କରିଛି । ୧-୧ରେ ସିରିଜ୍ ସମାନ ଥିବା ବେଳେ ଆଜିର ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହେବ ।

ତୃତୀୟ ଏକଦିବସୀୟ ପାଇଁ ଭାରତ ତିନୋଟି ପରିବର୍ତ୍ତନ କରିଛି । ଯଶପ୍ରିତ ବୁମରାହ, ୱାଶିଂଟନ ସୁନ୍ଦର ଏବଂ ଶିବମ ଦୁବେଙ୍କୁ ଟିମରେ ସ୍ଥାନ ମିଳିନାହିଁ । ପ୍ରିନ୍ସ ଯାଦବ, ଅର୍ଶଦୀପ ସିଂହ ଏବଂ କେଏଲ ରାହୁଲ ଫେରିଛନ୍ତି । ଇଂଲଣ୍ଡ ସାକିବଙ୍କ ସ୍ଥାନରେ ଜୋଶ ଟଙ୍ଗକୁ ସାମିଲ କରିଛି ।

ବର୍ମିଂହାମରେ ପ୍ରଥମ ମ୍ୟାଚ୍ ଜିତି ଭାରତୀୟ ଦଳ ସିରିଜର ଏକ ଦୃଢ଼ ଆରମ୍ଭ କରିଥିଲା । କିନ୍ତୁ କାର୍ଡିଫରେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ଭାରତକୁ ପରାସ୍ତ କରି କମବ୍ୟାକ କରିଥିଲା । ଏହା ପରେ ସିରିଜ୍ ୧-୧ରେ ବରାବର ହୋଇଥିଲା ।

ଟି-୨୦ ସିରିଜରେ ପରାଜୟର ସାମ୍ନା କରିବାକୁ ପଡିଲା

ପୂର୍ବରୁ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୪-୦ରେ ଶୋଚନୀୟ ପରାଜୟ ବରଣ କରିଥିଲା । ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ସିରିଜ ବିଜୟ ସହିତ ଇଂଲଣ୍ଡ ଗସ୍ତ ଶେଷ କରିବାର ଏକ ବଡ଼ ସୁଯୋଗ ରହିଛି । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ, ସୋସିଆଲ ମିଡିଆରେ ଏକ ଗୁଜବ ବ୍ୟାପିଥିଲା । ଦ୍ୱିତୀୟ ଏକଦିବସୀୟ ପରେ, ଦାବି କରାଯାଇଥିଲା ଯେ ଲର୍ଡସରେ ହେବାକୁ ଥିବା ମ୍ୟାଚ୍ ରୋହିତ ଶର୍ମାଙ୍କ ଶେଷ ଅନ୍ତର୍ଜାତୀୟ କ୍ୟାରିୟର ହୋଇପାରେ ।

ଭାରତୀୟ ଦଳ: ରୋହିତ ଶର୍ମା, ଶୁଭମାନ ଗିଲ (ଅଧିନାୟକ), ବିରାଟ କୋହଲି, ଇଶାନ କିଶନ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ଆକ୍ଷର ପଟେଲ, ଗୁରୁନୁର ବରାର, ପ୍ରିନ୍ସ ଯାଦବ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା

ଇଂଲଣ୍ଡ ଦଳ: ବେନ୍ ଡକେଟ, ଜ୍ୟାକବ ବେଥଲ, ଜୋ ରୁଟ୍, ହ୍ୟାରି ବ୍ରୁକ୍ (କ୍ୟାପ୍ଟେନ), ଜସ୍ ବଟଲର୍ (ୱିକେଟକିପର), ସାମ୍ କରନ, ୱିଲ୍ ଜ୍ୟାକ୍ସ, ଗସ୍ ଆଟକିନସନ୍, ଜୋଫ୍ରା ଆର୍ଚର, ଆଦିଲ୍ ରସିଦ୍, ଜୋଶ୍ ଟଙ୍ଗ୍