ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ କୃଷି ସହଯୋଗକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଇଫକୋ ଅଧ୍ୟକ୍ଷ ଦିଲୀପ ସଂଘାନୀଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ୱାଶିଂଟନ ଡି.ସି. ସ୍ଥିତ ୟୁଏସ.- ଇଣ୍ଡିଆ ବିଜନେସ କାଉନସିଲ (USIBC), ଇଫକୋ ଅଧ୍ୟକ୍ଷ ଦିଲୀପ ସଂଘାନୀଙ୍କ ନେତୃତ୍ୱରେ ଆସିଥିବା ଏକ  PHDCCI  ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲା। ବୈଠକ ପରେ, USIBC ପକ୍ଷରୁ ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ଆଲୋଚନାକୁ ଭାରତ- ଆମେରିକା କୃଷି ସହଯୋଗକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅଭିହିତ କରିଛି ।

USIBC ଉଲ୍ଲେଖ କରିଛି ଯେ, ଶ୍ରୀ ଦିଲୀପ ସଂଘାନୀଙ୍କ ନେତୃତ୍ୱରେ ହୋଇଥିବା ଏହି ଆଲୋଚନା ଉଭୟ ଦେଶ ମଧ୍ୟରେ କୃଷି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା, ମିଳିତ ଆହ୍ୱାନ ଗୁଡ଼ିକର ସମାଧାନ ଖୋଜିବା ଏବଂ ନୂତନ ସୁଯୋଗର ସନ୍ଧାନ କରିବା ପାଇଁ ପଥ ପ୍ରଶସ୍ତ କରିଛି। କାଉନସିଲ୍ ପକ୍ଷରୁ ନବସୃଜନ-ଭିତ୍ତିକ  (innovation-driven) କୃଷି ନୀତି, ସ୍ଥାୟୀ କୃଷି ବିକାଶ, ଖାଦ୍ୟ ସୁରକ୍ଷା ଏବଂ ଚାଷୀଙ୍କ ସମୃଦ୍ଧି ଭଳି କ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ଅଧିକ ମଜବୁତ ସହଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଆମେରିକାର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ଓ ଶିଳ୍ପ ସଂଗଠନ USIBC ପକ୍ଷରୁ ଏହି ବୈଠକକୁ ସାର୍ବଜନୀନ ଭାବେ ପ୍ରାଧାନ୍ୟ ଦିଆଯାଇଛି । ଏହି ସ୍ୱୀକୃତି ଭାରତର ସମବାୟ ଆନ୍ଦୋଳନର ବଢ଼ୁଥିବା ବିଶ୍ୱସନୀୟତା, ଇଫକୋର ଆନ୍ତର୍ଜାତୀୟ ସୁନାମ ଏବଂ ବିଶ୍ୱମଞ୍ଚରେ ଭାରତୀୟ ଚାଷୀଙ୍କ ସ୍ୱାର୍ଥକୁ ସଫଳତାର ସହ ଉପସ୍ଥାପନ କରିବାରେ ଶ୍ରୀ ଦିଲୀପ ସଂଘାନୀଙ୍କ ନେତୃତ୍ୱକୁ ପ୍ରମାଣିତ କରୁଛି।

ଏହି ବୈଠକରେ କୃଷି ଉତ୍ପାଦନ ବୃଦ୍ଧି, ଉନ୍ନତ କୃଷି ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟରେ ସୁଧାର, ଚାଷୀଙ୍କୁ ବୈଷୟିକ ସହାୟତା ପ୍ରଦାନ, ନବସୃଜନ-ଭିତ୍ତିକ କୃଷି ସମାଧାନର ବିକାଶ ଏବଂ ଖାଦ୍ୟ ଓ ପୋଷଣ ସୁରକ୍ଷାକୁ ସୁଦୃଢ଼ କରିବା ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ଉଭୟ ଦେଶର କୃଷି ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଏବଂ ଶିଳ୍ପ ପ୍ରତିନିଧିମାନେ ସହମତ ହୋଇଥିଲେ ଯେ ଭାରତ-ଆମେରିକା ସହଯୋଗର ସମ୍ପ୍ରସାରଣ ଦ୍ୱାରା କୃଷି କ୍ଷେତ୍ରରେ ନୂତନ ଦିଗ ଉନ୍ମୋଚିତ ହେବ ଏବଂ ଏହା ଚାଷୀମାନଙ୍କୁ ଦୀର୍ଘକାଳୀନ ସୁଫଳ ପ୍ରଦାନ କରିବ।

ଶ୍ରୀ ଦିଲୀପ ସଂଘାନୀଙ୍କ ନେତୃତ୍ୱରେ ହୋଇଥିବା ଏହି ସମ୍ବାଦକୁ ଭାରତ-ଆମେରିକା କୃଷି ସହଭାଗିତାକୁ ଆଗକୁ ନେବା, ବିଶ୍ୱସ୍ତରରେ ସମବାୟ-ଭିତ୍ତିକ କୃଷିବିକାଶକୁ ପ୍ରୋତ୍ସାହିତ କରିବା ଏବଂ ଚାଷୀଙ୍କ ଆୟ, ଉତ୍ପାଦନ ଓ କୃଷି ସୁରକ୍ଷାକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଭାବେ ଦେଖାଯାଉଛି।