ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ସଂଘର୍ଷ ଏବଂ ହୋର୍ମୁଜ ସଂକଟର ପ୍ରଭାବ ଏବେ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ସିଧାସଳଖ ପଡ଼ିବା ଆରମ୍ଭ ହେଲାଣି । ଗୋଟିଏ ପଟେ ସରକାର ଦେଶରେ ଅଶୋଧିତ ତୈଳ, ଗ୍ୟାସ୍ ଓ ଏଲପିଜି ପର୍ଯ୍ୟାପ୍ତ ମହଜୁଦ ଥିବା କହୁଛନ୍ତି, ଅନ୍ୟପଟେ ସରକାରୀ ତେଲ କମ୍ପାନିଗୁଡ଼ିକ ପ୍ରବଳ କ୍ଷତି ସହୁଛନ୍ତି । ତେଣୁ ଆାଗାମୀ ଦିନରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧିର ସମ୍ଭାବନା ରହିଛି । ବିଭିନ୍ନ ମିଡିଆ ରିପୋର୍ଟ ଅନୁସାରେ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଲିଟର ପିଛା ପ୍ରାୟ ୫ ଟଙ୍କା ବଢିପାରେ ।

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଇଣ୍ଡିୟନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ପରି ସରକାରୀ କମ୍ପାନି ପ୍ରତିଦିନ ପ୍ରାୟ ହଜାରେ କୋଟି ଟଙ୍କା କ୍ଷତି ସହୁଛନ୍ତି । ଇକୋନମିକ୍ସ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ଏହି କ୍ଷତିକୁ କମ କରିବା ପାଇଁ ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟରେ ୫ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇପାରେ । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ, କମ୍ପାନିର ପୂରା କ୍ଷତି ଭରଣା କରିବା ପାଇଁ ଲିଟର ପିଛା ୧୫ରୁ ୨୦ ଟଙ୍କା ବୃଦ୍ଧି ଆବଶ୍ୟକ ହୋଇପାରେ । କିନ୍ତୁ ଏତେ ବଡ଼ ନିଷ୍ପତ୍ତି ସାଧାରଣ ଜନତା ଓ ଅର୍ଥବ୍ୟବସ୍ଥା ଉପରେ ଭାରୀ ପଡ଼ିପାରେ ।

ଏହାରି ଭିତରେ ସରକାର ଲୋକଙ୍କୁ ଭୟଭୀତ ହୋଇ ପେଟ୍ରୋଲ କିମ୍ୱା ଡିଜେଲ ମହଜୁଦ ନ କରିବା ପାଇଁ ଅପିଲ୍ କରିଛନ୍ତି । ରିପୋର୍ଟ ଅନୁସାରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକ ହୋଇଛି । ଏଥିରେ ଅବଗତ କରାଯାଇଛି ଯେ ଭାରତ ପାଖରେ ବର୍ତ୍ତମାନ ୬୦ ଦିନର ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ଭଣ୍ଡାର ରହିଛି । ଏଲପିଜିର ପ୍ରାୟ ୪୫ ଦିନର ଷ୍ଟକ୍ ଉପଲବ୍ଧ ରହିଛି । ତଥାପି ସରକାର ଇନ୍ଧନ ସଂଚୟ ଉପରେ ଜୋର ଦେଉଛନ୍ତି ।