India Russia JV for Urea Plant: ଇରାନ ଯୁଦ୍ଧ ଯୋଗୁ ସୃଷ୍ଟି ହୋଇଥିବା ୟୁରିଆ ସଙ୍କଟ ମଧ୍ୟରେ, ଭାରତ ଏବଂ ରୁଷ ଜଏଣ୍ଟ ଭେଞ୍ଚରରେ(ଯୁଗ୍ମ ଉଦ୍ୟୋଗ)ରେ ୟୁରିଆ ସାର କାରଖାନା ବସାଇବା କାମ ଆରମ୍ଭ କରିଦେଇଛନ୍ତି। ଏହି କାରଖାନା ଋଷର ସମାରାରେ ସ୍ଥାପନ ହେବ। ଏହି ପ୍ରକଳ୍ପ ବିଷୟରେ ଆଲୋଚନା କରିବା ପାଇଁ ଏକ ଭାରତୀୟ ପ୍ରତିନିଧିମଣ୍ଡଳ ନିକଟରେ ରୁଷ ଗସ୍ତ କରିସାରିଛନ୍ତି।

ଭାରତ ଓ ରୁଷର ଏହି ମିଳିତ ପ୍ରକଳ୍ପରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ନିବେଶ କରାଯିବ। ଏହି ପ୍ଲାଣ୍ଟର ପ୍ରଡକ୍ସନ କ୍ଷମତା ୨୦ ଲକ୍ଷ ଟନ୍ ରହିବ। ଏହି ଜଏଣ୍ଟ ଭେଞ୍ଚରରେ ଇଣ୍ଡିଆନ୍ ପୋଟାସ୍ ଲିମିଟେଡ୍, RCF ଏବଂ NFL କମ୍ପାନୀ ସାମିଲ ଅଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ, ଭାରତ ସାର ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି।

ମଧ୍ୟପ୍ରାଚ୍ୟ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ପ୍ରସ୍ତୁତି

ଭାରତ କୃଷି କ୍ଷେତ୍ର ପାଇଁ ନାଇଟ୍ରୋଜେନ୍-ଭିତ୍ତିକ ସାର ୟୁରିଆ ଉପରେ ବହୁତ ନିର୍ଭର କରେ। ବର୍ତ୍ତମାନ, ଭାରତ ଏହାର ଆବଶ୍ୟକତାର ପ୍ରାୟ ୭୧% ୟୁରିଆ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ଆମଦାନୀ କରୁଛି। ମଧ୍ୟପ୍ରାଚ୍ୟ ଉପରେ ଏହି ନିର୍ଭରଶୀଳତା ହ୍ରାସ କରିବାକୁ ଚାହୁଁଛି ଭାରତ। ତେଣୁ ଋଷରେ ତିଆରି ହେଉଥିବା ଏହି ପ୍ରକଳ୍ପରେ ଭାରତର ୩ ସରକାରୀ କମ୍ପାନୀ କାର୍ଯ୍ୟ କରୁଛନ୍ତି।

Also Read- Sun Pharma buy Organon: ଆମେରିକା ଔଷଧ କମ୍ପାନୀକୁ କିଣିବ ଭାରତୀୟ କମ୍ପାନୀ ସନ ଫାର୍ମା; ବିଶ୍ୱରେ ହେବ ଶକ୍ତିଶାଳୀ

ଭାରତୀୟ କମ୍ପାନୀ ଇଣ୍ଡିଆନ୍ ପୋଟାସ୍ ଲିମିଟେଡ୍ (IPL), ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ୍ (RCFL), ଏବଂ ନ୍ୟାସନାଲ୍ ଫର୍ଟିଲାଇଜର୍ସ ଲିମିଟେଡ୍ (NFL) ମିଳିତ ଭାବରେ ୧୦ ହଜାର କୋଟି ଟଙ୍କା ନିବେଶ କରିବେ। ବାକି ୧୦ ହଜାର କୋଟି ରୁଷିଆନ୍ ରାସାୟନିକ କମ୍ପାନୀ ୟୁରାଲକେମ୍ ଗ୍ରୁପ୍ ଦ୍ୱାରା ନିବେଶ କରାଯିବ। ଇଣ୍ଡିଆନ୍ ପୋଟାସ୍ ଏଏମ୍ଡି ପିଏସ୍ ଗେହଲଟ୍ କହିଛନ୍ତି ଯେ ଏହି ପ୍ରୋଜେକ୍ଟ କନସଲ୍ଟାଣ୍ଟ ପିଡିଆଇଏଲ୍, ତାଙ୍କର ରିପୋର୍ଟ ଦାଖଲ କରିଛି। ଏହି ପ୍ଲାଣ୍ଟ ଭାରତ ପାଇଁ ୟୁରିଆର ଏକ ସ୍ଥାୟୀ ଉତ୍ସ ହେବ।

ଭାରତରେ ୟୁରିଆ ଉତ୍ପାଦନ କମ୍, ହେଲେ ଖର୍ଚ୍ଚ ଅଧିକ

• ବାର୍ଷିକ ସାର୍ ଖର୍ଚ୍ଚ: ପ୍ରାୟ ୪୦ ଲକ୍ଷ ମେଟ୍ରିକ୍ ଟନ୍
• ଘରୋଇ ଉତ୍ପାଦନ: ପ୍ରାୟ ୩୦ ଲକ୍ଷ ମେଟ୍ରିକ୍ ଟନ୍
• ସାର ଅଭାବ: ପ୍ରାୟ ୧୦ ଲକ୍ଷ ମେଟ୍ରିକ୍ ଟନ୍
• ଆମଦାନୀ ଉପରେ ହେଉଥିବା ଖର୍ଚ୍ଚ: ୟୁରିଆ ଅଭାବ ପୂରଣ କରିବା ପାଇଁ ଭାରତ ସମ୍ପୂର୍ଣ୍ଣ ଆମଦାନୀ ଉପରେ ନିର୍ଭର କରେ। ୨୦୨୫ରେ, ଭାରତ  ୟୁରିଆ ଆମଦାନୀ ପାଇଁ ପ୍ରାୟ ₹୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲା।

ଯୁଦ୍ଧ ଯୋଗୁ ବୈକଳ୍ପିକ ରାସ୍ତାରେ ଆସୁଛି ସାର

ଆମେରିକା-ଇରାନ ଉତ୍ତେଜନା ଯୋଗୁ ସୃଷ୍ଟି ହୋଇଥିବା ସଙ୍କଟ ସମୟରେ ଆଗୁଆ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ, ସରକାର ୨୦୨୬ ପାଇଁ ୨.୫ ଲକ୍ଷ ଟନ୍ ୟୁରିଆ ଆମଦାନୀକୁ ଅନୁମୋଦନ କରିଛନ୍ତି। ଏହି ଯୋଗାଣ ହର୍ମୁଜ ପ୍ରଣାଳୀକୁ ବାଏସପାସ୍ କରି ସିଧାସଳଖ ଆଲଜେରିଆ, ନାଇଜେରିଆ, ଓମାନ ଏବଂ ରୁଷରୁ ଆମଦାନୀ କରାଯାଉଛି। ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଡିସେମ୍ବର ୨୦୨୫ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସ୍ଥାପନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।

Alos Read- Chocolate Ice Cream Price Hike: ହର୍ମୁଜ ବନ୍ଦର ପ୍ରଭାବ; ବଢ଼ିପାରେ ଆଇସକ୍ରିମ ଓ ଚୋକୋଲେଟ୍ ଦାମ

ଋଷରେ କାହିଁକି ଫ୍ୟାକ୍ଟ୍ରି ଲଗାଉଛି ଭାରତ ?

ୟୁରିଆ ଉତ୍ପାଦନ ପାଇଁ ପ୍ରାକୃତିକ ଗ୍ୟାସ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ମହଙ୍ଗା କଞ୍ଚାମାଲ। ଆଉ ରୁଷିଆ ପାଖରେ ଏହି ନ୍ୟାଚୁରାଲ ଗ୍ୟାସର ଭଣ୍ଡାର ରହିଛି। ଋଷ ପ୍ରାକୃତିକ ଗ୍ୟାସ ଓ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ମଧ୍ୟରେ ରହିଛି। ଏପଟେ ଭାରତରେ ପର୍ଯ୍ୟାପ୍ତ ଗ୍ୟାସ ନାହିଁ, ଏବଂ ଆମକୁ ଉଚ୍ଚ ମୂଲ୍ୟରେ ଗ୍ୟାସ ଆମଦାନୀ କରିବାକୁ ପଡ଼ୁଛି। ତେଣୁ ଯଦି ଋଷରେ ୟୁରିଆ ଉତ୍ପାଦନ ହେବ ତେବେ ଏହା ଅପେକ୍ଷାକୃତ ଶସ୍ତା ହେବ। ତା’ ଛଡ଼ା ରୁଷିଆରେ ୟୁରିଆ ଉତ୍ପାଦନ ପାଇଁ ପୂର୍ବରୁ ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟାପକ ଭିତ୍ତିଭୂମି ଅଛି। ତେଣୁ ସେଠାରେ ଉତ୍ପାଦନ କରିବା ସହଜ ଓ ଶସ୍ତା ବି ହେବ।

କେତେ ଗୁରୁତ୍ୱପୂର୍ଣ୍ଣ ୟୁରିଆ ?

ୟୁରିଆ ମାଟିକୁ ଆବଶ୍ୟକୀୟ ନାଇଟ୍ରୋଜେନ୍ ଯୋଗାଇଥାଏ, ଯାହା ଗଛର ବୃଦ୍ଧି ପାଇଁ ଜରୁରୀ। ଧାନ, ଗହମ ଏବଂ ମକା ପରି ଫସଲରେ ସଠିକ୍ ପରିମାଣର ୟୁରିଆ ବ୍ୟବହାର କଲେ ଉତ୍ପାଦନ ୨୦ ରୁ ୫୦% ବୃଦ୍ଧି କରାଯାଇପାରିବ। ଏହି କାରଣରୁ ଯେମିତି ୟୁରିଆ ଉତ୍ପାଦନ କମ ନହୁଏ ସେ ନେଇ ସରକାର ଆଗୁଆ ପଦକ୍ଷେପ ନେଉଛନ୍ତି।