ନୂଆଦିଲ୍ଲୀ: ଜୁନ୍‌ ୨୫, ୧୯୩୨ରେ ଲର୍ଡସ୍‌ରେ ପ୍ରଥମ ଟେଷ୍ଟ ଖେଳିଥିବା ଭାରତ ଶନିବାର ଶ୍ରୀଲଙ୍କାର ଗାଲେରେ ନିଜର ୬୦୦ ତମ ଟେଷ୍ଟ ମ୍ୟାଚ ଖେଳୁଛି । ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପ​‌ରେ ଭାରତ ତୃତୀୟ ଦଳ ଭାବରେ ଏହି ରେକର୍ଡ କରିଛି । ଭାରତ ୮୦ ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ, ଭାରତୀୟ କ୍ରିକେଟ ଟିମ୍‌ ଏହି ମାଇଲଖୁଣ୍ଟ ସ୍ଥାପନ କରିଛି । ଦୀର୍ଘ ୯୪ ବର୍ଷ ମଧ୍ୟରେ ସିକେ ନାୟିଡୁଙ୍କ ପାଖରୁ ଋଷଭ ପନ୍ତ, ୩୮ ଜଣ କ୍ୟାପ୍ଟେନଙ୍କ ଅଧୀନରେ ଟିମ୍‌ ଇଣ୍ଡିଆ ଟେଷ୍ଟ ଖେଳିଛି । 

ବିରାଟ କୋହଲିଙ୍କ ଅଧିନାୟିକତ୍ବରେ ଟିମ୍‌ ଇଣ୍ଡିଆ ସର୍ବାଧିକ ୬୮ଟି ଟେଷ୍ଟ ଖେଳିଛି । ତାଙ୍କ ନେତୃତ୍ବରେ ଦଳ ୪୦ଟି ଟେଷ୍ଟ ଜିତିଛି । ଶ୍ରୀଲଙ୍କାର ଗାଲେରେ ଟିମ୍‌ ଇଣ୍ଡିଆ ଇତିହାସ ରଚିଥିବା ବେଳେ, ପ୍ରଥମ, ୧୦୦, ୨୦୦, ୩୦୦, ୪୦୦ ଏବଂ ୫୦୦ତମ ଟେଷ୍ଟ କେବେ ଏବଂ କେଉଁଠି ଖେଳିଥିଲା ଭାରତ ଜାଣନ୍ତୁ ।

ପ୍ରଥମ ଟେଷ୍ଟ 
ଜୁନ୍‌ ୨୫, ୧୯୩୨ରେ ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲା ଭାରତ । ଅଧିନାୟକ ଥିଲେ ସିକେ ନାୟିଡୁ । ଏହି ମ୍ୟାଚରେ ଇଂଲଣ୍ଡ ୧୫୮ ରନରେ ବିଜୟୀ ହୋଇଥିଲା ।  ମହମ୍ମଦ ନିସାର ୫ଟି ୱିକେଟ ନେଇ ପ୍ରଥମ ଇନିଂସରେ ଭାରତକୁ ଭଲ ଆରମ୍ଭ ଦେଇଥିଲେ। ଦ୍ୱିତୀୟ ଇନିଂସରେ ଅମର ସିଂହ ୫୧ ରନର ସଂଘର୍ଷପୂର୍ଣ୍ଣ ପାଳି ଖେଳିଥିଲେ ମଧ୍ୟ ଭାରତ ମ୍ୟାଚ ହାରିଯାଇଥିଲା।

୧୦୦ତମ ଟେଷ୍ଟ 
୧୯୬୭ରେ ବର୍ମିଂହାମରେ ୧୦୦ ତମ ଟେଷ୍ଟ ଖେଳିଥିଲା ଟିମ୍‌ ଇଣ୍ଡିଆ । ଏହି ମ୍ୟାଚ୍‌ରେ ଇଂଲଣ୍ଡ ୧୩୨ ରନ୍‌ରେ ବିଜୟୀ ହୋଇଥିଲା । ସେତେବେଳେ ଟିମ ଇଣ୍ଡିଆର ଅଧିନାୟକ ଥିଲେ ମନସୁର ଆଲି ଖାନ ପଟୌଦି । ଭାରତୀୟ ସ୍ପିନ ବାହିନୀ (ଚନ୍ଦ୍ରଶେଖର, ବେଦୀ, ପ୍ରସନ୍ନା ଓ ଭେଙ୍କଟରାଘବନ) ପ୍ରଥମ ଇନିଂସର ସମସ୍ତ ୧୦ଟି ୱିକେଟ ନେଇଥିଲେ। ଅଜିତ ୱାଡେକର ଦ୍ୱିତୀୟ ଇନିଂସରେ ୭୦ ରନ କରିଥିଲେ ବି ଦଳ ପରାଜୟ ଭୋଗିଥିଲା।

୨୦୦ତମ ଟେଷ୍ଟ 
୧୯୮ରେ ଲାହୋରରେ ପାକିସ୍ତାନ ବିପକ୍ଷରେ ୨୦୦ ତମ ଟେଷ୍ଟ ଖେଳିଥିଲା ଭାରତ । ସେତେବେଳେ ଟିମ୍‌ର ଅଧିନାୟକ ଥିଲେ ସୁନିଲ ଗାଭାସ୍କର ଏବଂ ଏହି ମ୍ୟାଚ୍‌ ଡ୍ର ରହିଥିଲା । ମୋହିନ୍ଦର ଅମରନାଥ ଅପରାଜିତ ୧୦୯ ରନର ପାଳି ଖେଳିଥିଲେ। ଏହି ମ୍ୟାଚରେ ଗାଭାସ୍କର ଟେଷ୍ଟ କ୍ରିକେଟରେ ୭,୦୦୦ ରନ ପୂରଣ କରିଥିଲେ।

୩୦୦ତମ ଟେଷ୍ଟ 
୧୯୯୬,ରେ ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ୩୦୦ ତମ ଟେଷ୍ଟ ଖେଳିଥିଲା ଭାରତୀୟ ଦଳ । ସଚିନ ତେନ୍ଦୁଲକର ଦଳର ଅଧିନାୟକ ଥିଲେ । ଏହି ମ୍ୟାଚକୁ ୬୪ ରନରେ ଜିତିଥିଲା ଭାରତ ।  ଭି. ଭି. ଏସ. ଲକ୍ଷ୍ମଣଙ୍କ ପଦାର୍ପଣ ମ୍ୟାଚରେ ଦ୍ୱିତୀୟ ଇନିଂସରେ ୫୧ ରନ କରିଥିଲେ। ଜବାଗଲ ଶ୍ରୀନାଥ ଚମତ୍କାର ବୋଲିଂ କରି ୬ଟି ୱିକେଟ ନେଇ ଭାରତକୁ ବିଜୟୀ କରାଇଥିଲେ।

୪୦୦ତମ ଟେଷ୍ଟ 


୨୦୦୬ରେ ଜାମାଇକାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟ ହାସଲ କରିଥିଲା ଭାରତ । ସେତେବେଳେ ଟିମ୍‌ର ଅଧିନାୟକ ଥିଲେ ରାହୁଲ ଦ୍ରାବିଡ । ହରଭଜନ ସିଂହ ୧୩ ରନ ଦେଇ ୫ଟି ୱିକେଟ ନେଇ ୱେଷ୍ଟଇଣ୍ଡିଜକୁ ୧୦୩ ରନରେ ଅଲଆଉଟ କରିଥିଲେ। ଦ୍ରାବିଡ଼ ୮୧ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

୫୦୦ତମ ଟେଷ୍ଟ 

​​​​​​​
୨୦୧୬ରେ କାନପୁରରେ ନିଜର ୫୦୦ ତମ ଟେଷ୍ଟ ମ୍ୟାଚ୍‌ ଖେଳିଥିଲା ଭାରତୀୟ ଦଳ । ଏହି ମ୍ୟାଚରେ ସାମ୍ନାରେ ଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଭାରତ ୧୯୭ ରନରେ ବିଜୟୀ ହୋଇଥିଲା । ଏହି ମ୍ୟାଚର ଅଧିନାୟକ ଥିଲେ ବିରାଟ କୋହଲି । ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ଘାତକ ସ୍ପିନ ବୋଲିଂ ବଳରେ ଭାରତ ସହଜ ବିଜୟ ହାସଲ କରିଥିଲା। ଅଶ୍ୱିନ ଦ୍ୱିତୀୟ ଇନିଂସରେ ୬ଟି ୱିକେଟ ନେଇଥିଲେ।