ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଛି ଐତିହାସିକ ଫ୍ରି ଟ୍ରେଡ ଆଗ୍ରିମେଣ୍ଟ ବା ମୁକ୍ତ ବାଣିଜ୍ୟ ନୀତି (FTA)। ବିକଶିତ ଭାରତ ୨୦୪୭ ଭିଜନ ଅନୁଯାୟୀ ଏହି ଚୁକ୍ତି ହୋଇଥିବାବେଳେ, ଏଫଟିଏ ଅନୁସାରେ ନ୍ୟୁଜିଲାଣ୍ଡ ଭାରତର ୧୦୦% ରପ୍ତାନୀ ଉପରେ ଶୂନ୍ୟ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛି। ସେହିଭଳି ଭାରତ ନ୍ୟୁଜଲାଣ୍ଡରୁ ଆସୁଥିବା ସାମଗ୍ରୀ ଉପରେ ୭୦% ଶୁଳ୍କ ଛାଡ଼ କରିବ। ଏହାଦ୍ବାରା ବୟନଶିଳ୍ପ, ଔଷଧ, ଚମଡ଼ା, ଇଞ୍ଜିନିୟରିଂ ସାମଗ୍ରୀ, ଅଟୋମୋବାଇଲ୍, କୃଷି ଉତ୍ପାଦ, ହସ୍ତଶିଳ୍ପ, ଏବଂ ରତ୍ନ ଏବଂ ଅଳଙ୍କାର କ୍ଷେତ୍ର ବେଶ ଲାଭବାନ ହେବ।

ତେବେ ରିପୋର୍ଟ ଅନୁସାରେ, ନ୍ୟୁଜିଲ୍ୟାଣ୍ଡ ସହ ହୋଇଥିବା ଏଫଟିଏରେ ଭାରତ, ଡାଏରୀ ସେକ୍ଟରରେ କୌଣସି ଶୁଳ୍କ ଛାଡ଼ କରିନାହିଁ। ସୋମବାର ଜଣେ ଅଧିକାରୀ କହିଛନ୍ତି, ଦୁଇ ଦେଶ ବର୍ତ୍ତମାନ ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଘୋଷଣା କରିଛନ୍ତି। ହେଲେ ଡାଏରୀ ସେକ୍ଟର ପାଇଁ କୌଣସି ଚୁକ୍ତି ହୋଇନାହିଁ। ଦୁଗ୍ଧ ଚାଷୀ ଏବଂ ଘରୋଇ ଶିଳ୍ପକୁ ସୁରକ୍ଷା ଦେବା ପାଇଁ ବିଦେଶୀ ମିଲ୍କ ପ୍ରଡକ୍ଟ ଯେପରିକି ଦୁଗ୍ଧ, କଫି, କ୍ଷୀର, କ୍ରିମ୍, ପନିର, ଦହି, ଛେନା ଇତ୍ୟାଦିକୁ ଏହି ଏଫଟିଏରେ ଅନ୍ତର୍ଭୁକ୍ତ କରାଯାଇନାହିଁ।

ସେହିଭଳି କୃଷି ଉତ୍ପାଦନକୁ ଫୋକସରେ ରଖି ପିଆଜ, ଚିନି, ମସଲା, ଖାଇବା ତେଲ ଏବଂ ରବର ଆଦିକୁ ଡିଲ୍ରୁ ବାଦ ଦିଆଯାଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଦୁଇ ଦେଶ ମଧ୍ୟରେ FTAରେ ଉତ୍ପାଦନ ଏବଂ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସେଓ, କିୱି ଏବଂ ମହୁ ପାଇଁ ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ କୃଷି ଉତ୍ପାଦନ ବଢ଼ାଇବାକୁ ସହଭାଗିତାରେ ଉଦ୍ୟମ କରାଯିବ ।

ଭାରତ କ୍ଷୀର ଆମଦାନୀକୁ ବିରୋଧ କରିଆସୁଛି

ପିଟିଆଇର ରିପୋର୍ଟ ଅନୁସାରେ, ଭାରତ ପୂର୍ବରୁ ହିଁ ବାଣିଜ୍ୟ ଡିଲ୍ରେ ବିପୁଳ ମାତ୍ରାରେ କ୍ଷୀର ଆମଦାନୀ ଉପରେ କଠୋର ମନୋଭାବ ଗ୍ରହଣ କରିଆସୁଛି। ଦୁଗ୍ଧ କ୍ଷେତ୍ର ସର୍ବଦା ଭାରତ ପାଇଁ ଏକ ସମ୍ବେଦନଶୀଳ ଏବଂ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଆସିଛି। ଭାରତରେ ଲକ୍ଷ ଲକ୍ଷ କ୍ଷୁଦ୍ର ଦୁଗ୍ଧ ଚାଷୀ ଅଛନ୍ତି। ସେମାନେ ମୁଖ୍ୟତଃ ଏହି ଜୀବିକା ଉପରେ ନିର୍ଭର କରେ। ତେଣୁ ସରକାର ଏହି କ୍ଷେତ୍ରକୁ ବିଦେଶୀ ପ୍ରତିଯୋଗିତାରୁ ରକ୍ଷା କରିବାକୁ ପ୍ରାଥମିକତା ଦେଇଛନ୍ତି।

ସୂଚନାଥାଉକି, ନ୍ୟୁଜିଲାଣ୍ଡ ବିଶ୍ୱର ସର୍ବବୃହତ ଦୁଗ୍ଧ ରପ୍ତାନିକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ।ସେହିଭଳି ଭାରତ ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦକ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଏହା ସତ୍ତ୍ୱେ, ଦୁଇ ଦେଶ ମଧ୍ୟରେ ଦୁଗ୍ଧ କ୍ଷେତ୍ରରେ ବାଣିଜ୍ୟ ଖୁବ୍ ସୀମିତ। ୨୦୨୪-୨୫ ଆର୍ଥିକ ବର୍ଷରେ ନ୍ୟୁଜିଲାଣ୍ଡରୁ ଭାରତକୁ ମୋଟ ଦୁଗ୍ଧଜାତ ଦ୍ରବ୍ୟ ଆମଦାନୀ ପ୍ରାୟ ୧.୦୭ ବିଲିୟନ ଡଲାର ଥିଲା।

ସେହିଭଳି ଆମଦାନୀ ହୋଇଥିବା ଉତ୍ପାଦଗୁଡ଼ିକ ମଧ୍ୟରେ ପ୍ରାୟ ୦.୪୦ ନିୟୁତ ଡଲାର ମୂଲ୍ୟର କ୍ଷୀର ଏବଂ କ୍ରିମ୍, ୦.୩୨ ନିୟୁତ ଡଲାର ମୂଲ୍ୟର ପ୍ରାକୃତିକ ମହୁ, ୦.୧୮ ନିୟୁତ ଡଲାର ମୂଲ୍ୟର ମୋଜରେଲ ପନିର, ୦.୦୯ ନିୟୁତ ଡଲାର ମୂଲ୍ୟର ବଟର ଏବଂ ୦.୦୮ ନିୟୁତ ଡଲାର ମୂଲ୍ୟର ସ୍କିମ୍ଡ ମିଲ୍କ ଅନ୍ତର୍ଭୁକ୍ତ ଥିଲା।

ତେବେ ଏନେଇ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ‘‘ ଆମେ ଚାଉଳ, ଗହମ, ଦୁଗ୍ଧ, ସୋୟା ଏବଂ ଅନ୍ୟାନ୍ୟ ଅନେକ ଚାଷୀ ଉତ୍ପାଦ ଭଳି ସମସ୍ତ କ୍ଷେତ୍ରକୁ ସୁରକ୍ଷା ଦେବା ପାଇଁ ସମ୍ବେଦନଶୀଳ। ଏହି ଚୁକ୍ତି ଅନୁସାରେ କୌଣସି ପ୍ରକାରର ବିଦେଶୀ ଦୁଗ୍ଧ ଜାତୀୟ ସାମଗ୍ରୀର ଭାରତୀୟ ବଜାର ପ୍ରବେଶକୁ ଅନୁମତି ଦିଆଯାଇନାହିଁ। ଏଭଳି କରି କୃଷି ଉତ୍ପାଦରେ ଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ଆମର ଲକ୍ଷ୍ୟ।’’