ନୂଆଦିଲ୍ଲୀ: ମଶା ଠାରୁ ବ୍ୟାପୁଥିବା ମାରାତ୍ମକ ଡେଙ୍ଗୁ ରୋଗର ମୁକାବିଲା ଦିଗରେ ଏକ ବଡ଼ ସଫଳତା ମିଳିଛି। ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) ଦେଶର ପ୍ରଥମ ଡେଙ୍ଗୁ ବିରୋଧୀ ଟିକା ‘QDENGA’କୁ ଦେଶରେ ବ୍ୟବହାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଜାପାନର ଜଣାଶୁଣା ବାୟୋଫାର୍ମାସ୍ୟୁଟିକାଲ୍ କମ୍ପାନି ‘ଟାକେଡା’ ଦ୍ୱାରା ଏହି ଟିକା ପ୍ରସ୍ତୁତ କରାଯାଇଛି।

କମ୍ପାନିର ଦାବି ଅନୁସାରେ, ଡେଙ୍ଗୁ ଭାଇରସର ଚାରୋଟିଯାକ ଭାରିଆଣ୍ଟ ବା ସେରୋଟାଇପ୍ (DEN-1, 2, 3 ଓ 4) ବିରୋଧରେ ଏହି ଟିକା ଦୀର୍ଘସ୍ଥାୟୀ ସୁରକ୍ଷା ପ୍ରଦାନ କରିବ । ବିଶେଷ କରି ଡେଙ୍ଗୁ ଯୋଗୁ ଗୁରୁତର ଅସୁସ୍ଥତା ଓ ହସ୍ପିଟାଲରେ ଭର୍ତ୍ତି ହେବା ସମସ୍ୟାରୁ ଏହା ପ୍ରାୟ ୭ ବର୍ଷ ପର୍ଯ୍ୟନ୍ତ ରକ୍ଷା କରିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଅଧିକ ସଂକ୍ରମଣ ଆଂଶଙ୍କା ଥିବା ଅଞ୍ଚଳଗୁଡ଼ିକରେ ଏହି ଟିକାକରଣ ପାଇଁ ସୁପାରିଶ କରିସାରିଛି।

ଭାରତ ପାଇଁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ?

ଉଲ୍ଲେଖଯୋଘ୍ର, ବିଶ୍ୱରେ ଦେଖାଯାଉଥିବା ମୋଟ ଡେଙ୍ଗୁ ମାମଲା ମଧ୍ୟରୁ ପ୍ରାୟ ଏକ- ତୃତୀୟାଂଶ କେବଳ ଭାରତରେ ହିଁ ଚିହ୍ନଟ ହୋଇଥାଏ। ଦ୍ରୁତ ସହରୀକରଣ ଓ ପାଣିପାଗର ପରିବର୍ତ୍ତନ ଯୋଗୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହି ରୋଗର ଶିକାର ହେଉଛନ୍ତି। ଏମିତିରେ ଭାରତୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ପଡ଼ୁଥିବା ବୋଝକୁ କମାଇବା ଦିଗରେ ଏହି ପ୍ରଥମ ଡେଙ୍ଗୁ ଟିକାର ବ୍ୟବହାର ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇପାରେ।

Also Read: ୮୦ ଲକ୍ଷ ଟଙ୍କାର ୨ଟି ଫ୍ଲାଟ, ମାସକୁ ୮୦ ହଜାର ଭଡ଼ା; ତଥାପି Uber ଚଳାଉଛନ୍ତି ଏହି ବ୍ୟକ୍ତି

ଟିକାର ବିଶେଷତ୍ବ ଓ ନିୟମ:

ନିର୍ଦ୍ଦିଷ୍ଟ ବୟସ ସୀମା: ଏହି ଟିକାକୁ ୪ ବର୍ଷରୁ ୬୦ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ଦିଆଯାଇପାରିବ।

ପରୀକ୍ଷାର ଆବଶ୍ୟକତା ନାହିଁ: ପୂର୍ବରୁ କୌଣସି ବ୍ୟକ୍ତି ଡେଙ୍ଗୁ ସଂକ୍ରମିତ ହୋଇଥାନ୍ତୁ କିମ୍ବା ନାହିଁ, ଉଭୟ ସ୍ଥିତିରେ ଏହି ଟିକା ଦିଆଯାଇପାରିବ। ଏଥିପାଇଁ କୌଣସି ପୂର୍ବ ରକ୍ତ ପରୀକ୍ଷା ଜରୁରୀ ନୁହେଁ।

ଦୁଇଟି ଡୋଜ୍ ବ୍ୟବସ୍ଥା: ଏହି ଟିକାକୁ ଚର୍ମ ତଳେ ୦.୫ ମିଲିଲିଟର ପରିମାଣରେ ୨ଟି ଡୋଜ୍ ଆକାରରେ ଦିଆଯିବ।

ତିନି ମାସର ବ୍ୟବଧାନ: ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ସର୍ବନିମ୍ନ ୩ ମାସର ଅନ୍ତର ରହିବା ଆବଶ୍ୟକ।