ନୂଆଦିଲ୍ଲୀ: ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତିରେ ଭାରତ କେବଳ ଏକ ନୂଆ ଯୁଗରେ ପ୍ରବେଶ କରିନାହିଁ, ଏହାର ଅର୍ଥନୀତିର ଚେହେରା ମଧ୍ୟ ନାଟକୀୟ ଭାବେ ବଦଳିଛି। ୧୯୪୭ରେ ଯେଉଁ ଭାରତର ଅର୍ଥନୀତି କୃଷିକୁ ଧରି ଚାଲୁଥିଲା, ଆଜି ସେହି ଭାରତର ଅର୍ଥନୀତିକୁ ଆଗକୁ ନେଉଛି ସେବା କ୍ଷେତ୍ର ବା ସର୍ଭିସ ସେକ୍ଟର।

୧୯୫୦-୫୧ରେ ଦେଶର GDPର ପ୍ରାୟ ୫୩.୧% ଅଂଶ କୃଷି ଓ ସହଯୋଗୀ କାର୍ଯ୍ୟକଳାପରୁ ଆସୁଥିଲା। ସେତେବେଳେ ଶିଳ୍ପର ଅବଦାନ ଥିଲା ୧୬.୬%, ଯେତେବେଳେ ସେବା କ୍ଷେତ୍ରର ଅଂଶ ଥିଲା ମାତ୍ର ୩୩.୯%।

କିନ୍ତୁ ୭୫ ବର୍ଷରୁ ଅଧିକ ସମୟର ଏହି ଯାତ୍ରାରେ ଚିତ୍ରଟି ପୂରା ବଦଳିଯାଇଛି। ଇକୋନୋମିକ ସର୍ଭେ ୨୦୨୫-୨୬ ଅନୁଯାୟୀ, ୨୦୨୫-୨୬ରେ ଭାରତର ଜିଡିପିରେ ସେବା କ୍ଷେତ୍ରର ଅଂଶ ୫୧.୧%କୁ ବୃଦ୍ଧି ପାଇଛି। ଅନ୍ୟପଟେ କୃଷି, ପଶୁପାଳନ, ବନ ଓ ମତ୍ସ୍ୟଚାଷର ଅଂଶ ୧୫.୨%, ଶିଳ୍ପର ଅଂଶ ୨୪.୩% ରହିଛି। ଏହି ପରିବର୍ତ୍ତନ ଭାରତର ଅର୍ଥନୈତିକ ଯାତ୍ରାର ଏକ ବଡ଼ ମୋଡ଼କୁ ଦର୍ଶାଉଛି। କ୍ଷେତ ଓ ଖଳାରୁ ଅର୍ଥନୀତିର ଗତି ଏବେ ଯାଇ ପହଞ୍ଚିଛି ଉତ୍ପାଦନ, ନିର୍ମାଣ, ଅର୍ଥସେବା, ପେସାଦାର ସେବା, ବାଣିଜ୍ୟ, ପରିବହନ ଓ ଯୋଗାଯୋଗ ଭଳି କ୍ଷେତ୍ରରେ।

Also Read- RBIଙ୍କ ଟାର୍ଗେଟ୍ ଉପରକୁ ଚାଲିଯାଇଛି ମୁଦ୍ରାସ୍ଫୀତି, ପିଆଜ ଓ ରସୁଣ ସହ ଏହି ସବୁ ସାମଗ୍ରୀ ହେଲା ମହଙ୍ଗା

ତଥାପି ଏହି ବିକାଶର ଚିତ୍ରରେ ରହିଛି ଏକ ବଡ଼ ଚ୍ୟାଲେଞ୍ଜ। ଉତ୍ପାଦନରେ ପରିବର୍ତ୍ତନ ଯେତେ ଦ୍ରୁତ ହୋଇଛି, ରୋଜଗାରରେ ସେତେ ଦ୍ରୁତ ପରିବର୍ତ୍ତନ ହୋଇ ନାହିଁ। ଆଜି ବି ବହୁ ସଂଖ୍ୟକ ଲୋକ କୃଷି ଉପରେ ନିର୍ଭରଶୀଳ। ତେଣୁ ଭାରତ ସମ୍ମୁଖରେ ଏବେର ସବୁଠାରୁ ବଡ଼ ଅର୍ଥନୈତିକ ପ୍ରଶ୍ନ ହେଉଛି କୃଷିରୁ ଶ୍ରମଶକ୍ତିକୁ ବାହାର କରି କେବଳ ଚାକିରି ନୁହେଁ, ଅଧିକ ଉତ୍ପାଦନଶୀଳ ଓ ଭଲ ଦରମାର ରୋଜଗାର କିପରି ସୃଷ୍ଟି କରାଯିବ?

୮୦ ବର୍ଷର ଯାତ୍ରାରେ ଭାରତୀୟ ଅର୍ଥନୀତି କୃଷିପ୍ରଧାନ ଦେଶରୁ ସେବାପ୍ରଧାନ ଅର୍ଥନୀତି ଆଡ଼କୁ ଆଗେଇଛି। ଏବେ ଆଗାମୀ ଦଶକର ପରୀକ୍ଷାଏହି ଅର୍ଥନୈତିକ ଅଭିବୃଦ୍ଧିକୁ କିପରି ଅଧିକ ରୋଜଗାର, ଅଧିକ ଆୟ ଓ ସମସ୍ତଙ୍କ ପାଇଁ ଅଧିକ ସୁଯୋଗରେ ପରିଣତ କରାଯିବ।

ଅର୍ଥନୀତିରେ କୃଷିର ଅଂଶ କମିଲା କେମିତି ?

କୃଷି କ୍ଷେତ୍ରର ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। କିନ୍ତୁ ଅର୍ଥନୀତିର ଅନ୍ୟାନ୍ୟ କ୍ଷେତ୍ର ତା’ଠାରୁ ଅଧିକ ଦ୍ରୁତ ଗତିରେ ବଢ଼ିଥିବାରୁ ମୋଟ ଜିଡିପିରେ କୃଷିର ଅଂଶ କ୍ରମେ ହ୍ରାସ ପାଇଛି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (MoSPI)ର ତଥ୍ୟ ଅନୁଯାୟୀ, ୧୯୫୦-୫୧ରେ ବର୍ତ୍ତମାନ ମୂଲ୍ୟରେ GDPରେ କୃଷି ଓ ସହଯୋଗୀ କାର୍ଯ୍ୟକଳାପର ଅଂଶ ୫୨.୩% ଥିଲା। ପରବର୍ତ୍ତୀ ଦଶକଗୁଡ଼ିକରେ ଏହି ଅଂଶ ଲଗାତାର କମିଛି। ୧୯୭୦-୭୧ରେ ଏହା ୪୨.୩%, ୧୯୯୦-୯୧ରେ ୨୯.୩%, ୨୦୦୦-୦୧ରେ ୨୩.୪% ଏବଂ ୨୦୧୦-୧୧ରେ ପ୍ରାୟ ୧୮%କୁ ଖସିଆସିଥିଲା।

ଏହି ହ୍ରାସର ଧାରା ପରବର୍ତ୍ତୀ ସମୟରେ ମଧ୍ୟ ଜାରି ରହିଛି। ତେବେ କୃଷି ଉତ୍ପାଦନର ପରିମାଣ ଏବଂ ଆପେକ୍ଷିକ ମୂଲ୍ୟର ପରିବର୍ତ୍ତନ ଯୋଗୁ ବିଭିନ୍ନ ବର୍ଷରେ କୃଷିର ଅଂଶରେ କିଛିଟା ଉତ୍ଥାନ-ପତନ ଦେଖାଯାଇଛି। ସଦ୍ୟତମ ଜାତୀୟ ହିସାବର ଆକଳନ ଅନୁଯାୟୀ, କୃଷି, ବନସମ୍ପଦ ଓ ମତ୍ସ୍ୟଚାଷ ମିଶି ମୋଟ GVA(ମୋଟ ମୂଲ୍ୟ ଯୋଗ)ର ପ୍ରାୟ ୧୫% ହୋଇଛି। Economic Surveyର ଦୀର୍ଘମିଆଦୀ GVA ତଥ୍ୟ ମଧ୍ୟ ଦର୍ଶାଉଛି ଯେ ଭାରତୀୟ ଅର୍ଥନୀତି ଧୀରେ ଧୀରେ କୃଷି ଉପରେ ନିର୍ଭରଶୀଳତାରୁ ଦୂରେଇ ଯାଉଛି।

ତେବେ ଏହାର ଅର୍ଥ କୃଷି କ୍ଷେତ୍ର କମ୍ ଉତ୍ପାଦନଶୀଳ ହୋଇଯାଇଛି ବୋଲି ନୁହେଁ। ବାସ୍ତବରେ କୃଷିର ଉତ୍ପାଦନ ବଢ଼ିଛି। କିନ୍ତୁ ଉତ୍ପାଦନ ଶିଳ୍ପ, ନିର୍ମାଣ, ବାଣିଜ୍ୟ, ଅର୍ଥସେବା, ରିଅଲ୍ ଇଷ୍ଟେଟ୍, ଯୋଗାଯୋଗ ଏବଂ ଅନ୍ୟାନ୍ୟ ସେବା କ୍ଷେତ୍ର ତା’ଠାରୁ ଅଧିକ ଦ୍ରୁତ ଗତିରେ ବିକଶିତ ହୋଇଛି। ଫଳରେ କୃଷି ବାହାରେ ଥିବା କ୍ଷେତ୍ରଗୁଡ଼ିକ ଅର୍ଥନୀତିରେ ଅଧିକ ମୂଲ୍ୟ ସୃଷ୍ଟି କରୁଛନ୍ତି। ଅର୍ଥାତ୍, କୃଷି ପଛକୁ ଯାଇନାହିଁ, ଅର୍ଥନୀତିର ଅନ୍ୟ କ୍ଷେତ୍ରଗୁଡ଼ିକ ତା’ଠାରୁ ଅଧିକ ଦ୍ରୁତ ଗତିରେ ଆଗକୁ ବଢ଼ିଛନ୍ତି।

ଭାରତ କେବେ ନିର୍ମାଣ ଶିଳ୍ପ-ନିର୍ଭର ଅର୍ଥନୀତି ହୋଇଥିଲା କି?

ସ୍ୱାଧୀନତା ପରେ ଯଦିଓ ଭାରତର ନିର୍ମାଣ ଶିଳ୍ପ (Manufacturing) ଉଲ୍ଲେଖନୀୟ ଭାବେ ବିସ୍ତାର ଲାଭ କରିଥିଲା, କିନ୍ତୁ ଅର୍ଥନୀତିର ଗଠନମୂଳକ ପରିବର୍ତ୍ତନର ମୁଖ୍ୟ ବାହକ ହେବା ପାଇଁ ଏହାର ଅଂଶ ପର୍ଯ୍ୟାପ୍ତ ଭାବେ ବଢ଼ିପାରିଲା ନାହିଁ। ଇକୋନୋମିକ ସର୍ଭେର ୨୦୧୧-୧୨ ଅନୁଯାୟୀ, ୧୯୫୦-୫୧ରେ ଜିଡିପିରେ ଶିଳ୍ପ କ୍ଷେତ୍ରର ଅଂଶ ୧୬.୬% ଥିଲା। ଏହା ବଢ଼ି ୧୯୮୦-୮୧ରେ ୨୫.୯%ରେ ପହଞ୍ଚିଥିଲା। ଏହାପରେ ଶିଳ୍ପର ଅଂଶ ପ୍ରାୟ ୨୬-୨୮% ମଧ୍ୟରେ ରହି ମୁଖ୍ୟତଃ ସ୍ଥିର ହୋଇଯାଇଥିଲା। ଏହି ସମୟରେ, ଅର୍ଥନୈତିକ ସଂସ୍କାର ପରବର୍ତ୍ତୀ ଅବଧିରେ ନିର୍ମାଣ ଶିଳ୍ପ ସାଧାରଣତଃ ଜିଡିପିର ୧୪-୧୬% ଅଂଶ ହିଁ ରହିଥିଲା।

Also Read- India Job Crisis: ସାମ୍ନାକୁ ଆସିଲା ଦେଶର ବେରୋଜଗାରୀ ଡାଟା, ଜବ ମାର୍କେଟ୍ର ସ୍ଥିତି କେମିତି ? ଗାଁ ନା ସହର କେଉଁଠି ଅଧିକ ବେକାରୀ ?

ନିର୍ମାଣ ଶିଳ୍ପର ବୃଦ୍ଧି ହାରରେ ମଧ୍ୟ ବିଭିନ୍ନ ସମୟରେ ବଡ଼ ଉତ୍ଥାନ-ପତନ ଦେଖାଯାଇଥିଲା। ୨୦୦୫-୦୬ରେ ଏହା ୧୦.୧%, ୨୦୦୬-୦୭ରେ ୧୪.୩% ଏବଂ ୨୦୦୭-୦୮ରେ ୧୦.୩% ବଢ଼ିଥିଲା। କିନ୍ତୁ ବିଶ୍ୱ ଆର୍ଥିକ ସଙ୍କଟ ସମୟରେ, ୨୦୦୮-୦୯ରେ ବୃଦ୍ଧି ହାର ୪.୩%କୁ ଖସିଆସିଥିଲା। ପରେ ଏହା ପୁନର୍ବାର ବୃଦ୍ଧି ପାଇ ୨୦୦୯-୧୦ରେ ୯.୭% ଏବଂ ୨୦୧୦-୧୧ରେ ୭.୬% ହୋଇଥିଲା। କିନ୍ତୁ ୨୦୧୧-୧୨ରେ ଏହା ପୁଣି ୩.୯%କୁ ହ୍ରାସ ପାଇଥିଲା।

୧୯୯୧-୯୨ରୁ ୨୦୧୧-୧୨ ମଧ୍ୟରେ ଶିଳ୍ପ କ୍ଷେତ୍ର ହାରାହାରି ପ୍ରତିବର୍ଷ ୬.୭% ହାରରେ ବଢ଼ିଥିଲା। ଏହା ପ୍ରାୟ ସେହି ସମୟର ମୋଟ ଜିଡିପି ବୃଦ୍ଧି ହାର ୬.୯% ସହ ସମାନ ଥିଲା।

ତେବେ ଭାରତର ଅର୍ଥନୀତିରେ ବଡ଼ ଧରଣର ଗଠନମୂଳକ ପରିବର୍ତ୍ତନ ହୋଇଥିଲା ସେବା କ୍ଷେତ୍ର ବା ସର୍ଭିସ୍ ସେକ୍ଟରରେ। ୧୯୮୦-୮୧ରୁ ୨୦୧୧-୧୨ ମଧ୍ୟରେ ଶିଳ୍ପ କ୍ଷେତ୍ରର ଜିଡିପି ଅଂଶ ପ୍ରାୟ ସ୍ଥିର ରହିଥିବାବେଳେ, ସେବା କ୍ଷେତ୍ରର ଅଂଶ ୩୮%ରୁ ବଢ଼ି ୫୯%ରେ ପହଞ୍ଚିଥିଲା। ଅନ୍ୟପଟେ କୃଷିର ଅଂଶ ୩୬.୧%ରୁ ହ୍ରାସ ପାଇ ୧୩.୯% ହୋଇଥିଲା।

ଏହାର ଅର୍ଥ, ଭାରତର ଅର୍ଥନୀତି କୃଷି-ନିର୍ଭର ଅର୍ଥନୀତିରୁ ସିଧାସଳଖ ସେବା-ନିର୍ଭର ଅର୍ଥନୀତି ଆଡ଼କୁ ଗତି କରିଥିଲା। ଏହି ଯାତ୍ରାରେ ନିର୍ମାଣ ଶିଳ୍ପ ଏକ ପ୍ରମୁଖ ମଧ୍ୟସ୍ଥ ସୋପାନ ହୋଇ ଉଭା ହୋଇପାରିଲା ନାହିଁ। ସଂକ୍ଷେପରେ, ଭାରତ କୃଷିରୁ ଶିଳ୍ପ ଏବଂ ପରେ ସେବାକୁ ଯାଇଥିବା ପାରମ୍ପରିକ ବିକାଶ ପଥକୁ ପୂରାପୂରି ଅନୁସରଣ କରିନାହିଁ; ବରଂ ନିର୍ମାଣ ଶିଳ୍ପକୁ ପଛରେ ପକାଇ ସିଧାସଳଖ ଏକ ସେବା-ପ୍ରଧାନ ଅର୍ଥନୀତିରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ସର୍ଭିସ ସେକ୍ଟରର ଉତ୍ଥାନ।

ଭାରତର ଅର୍ଥନୀତିରେ ସେବା କ୍ଷେତ୍ରର ଉତ୍ଥାନ ଏକ ବଡ଼ ଗଠନମୂଳକ ପରିବର୍ତ୍ତନର କାହାଣୀ। ୧୯୯୦-୯୧ରେ ଉତ୍ପାଦନରେ କୃଷିକୁ ପଛରେ ପକାଇ ସେବା କ୍ଷେତ୍ର ଭାରତର ସବୁଠାରୁ ବଡ଼ ଅର୍ଥନୈତିକ କ୍ଷେତ୍ରରେ ପରିଣତ ହୋଇଥିଲା। ୧୯୫୦-୫୧ରେ ଜାତୀୟ ଆୟରେ ସେବା କ୍ଷେତ୍ରର ଅଂଶ ପ୍ରାୟ ୩୦% ଥିବାବେଳେ, ଏହା ୧୯୯୦-୯୧ରେ ପ୍ରାୟ ୪୩%କୁ ବୃଦ୍ଧି ପାଇଥିଲା ଏବଂ ୨୦୦୦-୦୧ ସୁଦ୍ଧା ପ୍ରାୟ ଅଧାରେ ପହଞ୍ଚିଥିଲା।

ଇକୋନୋମିକ ସର୍ଭେ ୨୦୨୫-୨୬ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୬ରେ ଭାରତର ଜିଡିପିରେ ସେବା କ୍ଷେତ୍ରର ଅଂଶ ୫୧.୧% ରହିଛି। ଆର୍ଥିକ ବର୍ଷ ୨୦୨୬ର ପ୍ରଥମ ଅର୍ଦ୍ଧବାର୍ଷିକୀରେ ଏହାର ଅଂଶ ଆହୁରି ବଢ଼ି ୫୩.୬% ହୋଇଥିଲା। ଏହି ସମୟରେ ସେବା କ୍ଷେତ୍ରର ଜିଭିଏ ୯.୩% ହାରରେ ବଢ଼ିଥିଲା, ଯାହା ଗୋଟିଏ ବର୍ଷ ପୂର୍ବରୁ ମାତ୍ର ୭% ଥିଲା।

ବଦଳିଛି ସେବା କ୍ଷେତ୍ରର ଚେହେରା

ସମୟ ସହିତ ସେବା କ୍ଷେତ୍ରରେ କେବଳ ବୃଦ୍ଧି ହୋଇନାହିଁ, ଏହାର ଗଠନ ମଧ୍ୟ ବଦଳିଛି। ଅର୍ଥନୈତିକ ସର୍ଭେ ଅନୁସାରେ ସେବା କ୍ଷେତ୍ରକୁ ମୁଖ୍ୟତଃ ତିନୋଟି ବଡ଼ ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା-

ବାଣିଜ୍ୟ, ହୋଟେଲ, ପରିବହନ, ଯୋଗାଯୋଗ ଓ ପ୍ରସାରଣ ସମ୍ବନ୍ଧୀୟ ସେବା
ଆର୍ଥିକ ସେବା, ରିଅଲ୍ ଇଷ୍ଟେଟ୍ ଓ ପେସାଦାର ସେବା
ସାଧାରଣ ପ୍ରଶାସନ, ପ୍ରତିରକ୍ଷା ଓ ଅନ୍ୟାନ୍ୟ ସେବା

ଏହି ତିନିଟି ଗୋଷ୍ଠୀ ମଧ୍ୟରୁ ଆର୍ଥିକ, ରିୟଲ୍ ଇଷ୍ଟେଟ୍ ଓ ପେସାଦାର ସେବା ସବୁଠାରୁ ବଡ଼। ଆର୍ଥିକ ବର୍ଷ ୨୦୨୬ରେ ଏହି କ୍ଷେତ୍ର ଜିଡିପିର ୨୧.୪% ଅଂଶ ଦଖଲ କରିଛି। ସେହିପରି, ବାଣିଜ୍ୟ, ହୋଟେଲ, ପରିବହନ ଓ ଯୋଗାଯୋଗ ସମ୍ବନ୍ଧୀୟ ସେବା ଜିଡିପିର ୧୫.୮%, ଯେତେବେଳେ ସାଧାରଣ ପ୍ରଶାସନ, ପ୍ରତିରକ୍ଷା ଓ ଅନ୍ୟାନ୍ୟ ସେବାର ଅଂଶ ୧୩.୮% ରହିଛି।

ଆଜିର ସେବା କ୍ଷେତ୍ର ଆହୁରି ଅଧିକ ଦକ୍ଷତାଭିତ୍ତିକ ଏବଂ ବିଶ୍ୱ ଅର୍ଥନୀତି ସହ ଜଡ଼ିତ ହୋଇଛି। କମ୍ପ୍ୟୁଟର ଓ ସୂଚନା ସେବା, ପେସାଦାର ଓ ବ୍ୟବସାୟିକ ସେବା, ଟେଲିକମ୍ୟୁନିକେସନ୍ ଏବଂ ଆର୍ଥିକ ସେବା ଏହି ପରିବର୍ତ୍ତନକୁ ଆହୁରି ଗତି ଦେଇଛି। ଇକୋନୋମିକ ସର୍ଭେ ଅନୁଯାୟୀ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଡିଜିଟାଲ୍, ଦକ୍ଷତାଭିତ୍ତିକ ଏବଂ ଭିତ୍ତିଭୂମି ସହ ଜଡ଼ିତ ସେବାଗୁଡ଼ିକ ମିଶି ସେବା କ୍ଷେତ୍ରର ପ୍ରାୟ ୮୯% ପ୍ରତ୍ୟକ୍ଷ ବିଦେଶୀ ନିବେଶ। (FDI) ଆକର୍ଷିତ କରିଛନ୍ତି। ଅର୍ଥାତ୍, ଭାରତର ସେବା କ୍ଷେତ୍ର ଏବେ କେବଳ ଅର୍ଥନୀତିର ସବୁଠାରୁ ବଡ଼ ଅଂଶ ନୁହେଁ; ଏହା ଡିଜିଟାଲ୍ ଟେକ୍ନୋଲୋଜୀ, ଦକ୍ଷ ମାନବ ସମ୍ବଳ ଓ ବିଶ୍ୱ ବଜାର ସହ ଭାରତକୁ ଯୋଡ଼ିଥିବା ଅର୍ଥନୀତିର ଏକ ପ୍ରମୁଖ ଇଞ୍ଜିନ୍।

ଭାରତର ବଡ଼ ବିସଙ୍ଗତି: ଯେଉଁଠି ଅଧିକ ଆୟ, ସେଠି କମ ନିଯୁକ୍ତି, ଯେଉଁଠି କମ ଆୟ ସେଠି ଅଧିକ ନିଯୁକ୍ତି

ଭାରତୀୟ ଅର୍ଥନୀତିର ଚିତ୍ରକୁ କେବଳ ଜିଡିପି ଦୃଷ୍ଟିରୁ ଦେଖିଲେ ସମ୍ପୂର୍ଣ୍ଣ କଥା ଜଣାପଡ଼ିବ ନାହିଁ। ଦେଶ କେଉଁ କ୍ଷେତ୍ରରୁ ଅଧିକ ଆୟ କରୁଛି ଏବଂ ଲୋକେ କେଉଁ କ୍ଷେତ୍ରରେ କାମ କରୁଛନ୍ତି ? ଏହି ଦୁଇଟିକୁ ପାଖାପାଖି ରଖିଲେ ଏଥିରେ ଏକ ଏକ ବଡ଼ ବିସଙ୍ଗତି ଦେଖିବାକୁ ମିଳେ।

କୃଷି: ଅଧିକ ଲୋକ, କମ୍ ଅର୍ଥନୈତିକ ଅବଦାନ

ଆର୍ଥିକ ବର୍ଷ ୨୦୨୬ରେ କୃଷି, ପଶୁପାଳନ, ଜଙ୍ଗଲସମ୍ପଦ ଓ ମତ୍ସ୍ୟଚାଷ ମିଶି ଜିଡିପିର ୧୫.୨% ଅଂଶ ଯୋଗଦାନ ଦେଇଥିଲେ। କିନ୍ତୁ ୨୦୨୫ର ସାମୟିକ ଶ୍ରମଶକ୍ତି ସର୍ଭେ (PLFS) ଅନୁଯାୟୀ, ଦେଶର ୪୩.୦% ଶ୍ରମଶକ୍ତି କୃଷିରେ ନିୟୋଜିତ ଥିଲେ। ଅର୍ଥାତ୍, ଦେଶର ପ୍ରାୟ ୪୩% କର୍ମଜୀବୀ କୃଷିରେ କାମ କରୁଛନ୍ତି, କିନ୍ତୁ ଅର୍ଥନୀତିରେ କୃଷିର ଅବଦାନ ମାତ୍ର ୧୫.୨%। ସରଳ ଭାଷାରେ କହିଲେ କୃଷିରେ କମ ଉପାର୍ଜନ ପାଇଁ ଅଧିକ ଲୋକ କାମ କରୁଛନ୍ତି। ରୋଜଗାରରେ ତା’ଠାରୁ ପ୍ରାୟ ତିନି ଗୁଣ ଅଧିକ ଲୋକ କୃଷି ଉପରେ ନିର୍ଭରଶୀଳ।

ସେବା: ଅଧିକ ଆୟ, ତୁଳନାରେ କମ୍ ନିଯୁକ୍ତି

ସେବା କ୍ଷେତ୍ରର ଚିତ୍ର ଏହାର ସମ୍ପୂର୍ଣ୍ଣ ବିପରୀତ। ଆର୍ଥିକ ବର୍ଷ ୨୦୨୬ରେ ସେବା କ୍ଷେତ୍ର ଦେଶର ଜିଡିପିର ୫୧.୧% ଅଂଶ ଦେଇଥିଲା। କିନ୍ତୁ ୨୦୨୫ରେ ଏହି କ୍ଷେତ୍ରରେ ନିୟୋଜିତ ଥିଲେ ପ୍ରାୟ ୩୨% କର୍ମଜୀବୀ। ଇକୋନୋମିକ ସର୍ଭେ ଅନୁଯାୟୀ, ସେବା କ୍ଷେତ୍ରର ରୋଜଗାର ଅଂଶ ୧୯୯୨ରେ ଥିବା ୨୨.୧%ରୁ ବଢ଼ି ୨୦୨୨ରେ ୩୦.୦% ହୋଇଛି। ତଥାପି ଏହାର ଉତ୍ପାଦନରେ ଯୋଗଦାନ ୫୧.୧% ତୁଳନାରେ ନିଯୁକ୍ତି ବହୁତ କମ୍। ଏହା ଦର୍ଶାଉଛି ଯେ ସେବା କ୍ଷେତ୍ର ଅଳ୍ପ ଶ୍ରମଶକ୍ତିରୁ ଅଧିକ ଅର୍ଥନୈତିକ ମୂଲ୍ୟ ସୃଷ୍ଟି କରୁଛି।

ଶିଳ୍ପ: ତୁଳନାତ୍ମକ ଭାବେ ସନ୍ତୁଳିତ

ଶିଳ୍ପ କ୍ଷେତ୍ରରେ ଚିତ୍ରଟି କୃଷି ଓ ସେବା କ୍ଷେତ୍ର ଅପେକ୍ଷା ଅପେକ୍ଷାକୃତ ସନ୍ତୁଳିତ। ଆର୍ଥିକ ବର୍ଷ ୨୦୨୬ରେ ଶିଳ୍ପର ଜିଡିପି ଅଂଶ ୨୪.୩% ଥିଲା। ୨୦୨୫ରେ ୧୨.୧% କର୍ମଜୀବୀ ନିର୍ମାଣ ଶିଳ୍ପ(ମେନୁଫେକ୍ଚରିଂ)ରେ ଏବଂ ଆଉ ୧୨.୦% ନିର୍ମାଣ କ୍ଷେତ୍ର (Construction)ରେ ନିୟୋଜିତ ଥିଲେ। ଏଥିରେ ଖଣି, ୟୁଟିଲିଟି ଓ ନିର୍ମାଣ କ୍ଷେତ୍ରକୁ ମିଶାଇଲେ, ଏ କ୍ଷେତ୍ରରେ ମୋଟ ନିଯୁକ୍ତିର ପ୍ରାୟ ୨୫% ଲୋକ କାମ କରୁଛନ୍ତି।

କେବଳ ରୋଜଗାର ନୁହେଁ, ଚାକିରିର ମାନ ମଧ୍ୟ ବଡ଼ ପ୍ରଶ୍ନ

ଅର୍ଥନୀତିର ଏହି ବିସଙ୍ଗତି କେବଳ କେତେ ଲୋକ କେଉଁଠି କାମ କରୁଛନ୍ତି ସେତିକିରେ ସୀମିତ ନୁହେଁ। ଚାକିରିର ମାନ ଓ ନିୟମିତ ଆୟର ସୁଯୋଗରେ ମଧ୍ୟ ବଡ଼ ପାର୍ଥକ୍ୟ ରହିଛି। ଇକୋନୋମିକ ସର୍ଭେ ଅନୁଯାୟୀ, ସେବା କ୍ଷେତ୍ରର ୫୧.୫% କର୍ମଜୀବୀ ନିୟମିତ ବେତନଭୋଗୀ ଚାକିରିରେ ଅଛନ୍ତି। ଏହାର ବିପରୀତରେ କୃଷିରେ ଏପରି ନିୟମିତ ବେତନଭୋଗୀ ରୋଜଗାର ମାତ୍ର ୧%, ଯଦିଓ ଏହାର ନିଯୁକ୍ତି ଭାଗ ୨୫.୫% ରହିଛି।

ମୁଖ୍ୟ କଥା ହେଉଛି ଭାରତର ଅର୍ଥନୀତିରେ ଯେଉଁ ସେକ୍ଟର ବଡ଼ଯୋଗଦାନ ଦେଉଛି, ସେହି ସେକ୍ଟରରେ ନିଯୁକ୍ତି ସେହି ଅନୁସାରେ ହେଉ ନାହିଁ। କୃଷି ୧୫.୨% GDP ସୃଷ୍ଟି କରୁଥିବାବେଳେ ୪୩% ଲୋକଙ୍କୁ ରୋଜଗାର ଦେଉଛି। ଅନ୍ୟପଟେ ସେବା ୫୧.୧% GDP ସୃଷ୍ଟି କରୁଥିବା ସତ୍ତ୍ୱେ ଏଥିରେ କାମ କରୁଛନ୍ତି ପ୍ରାୟ ୩୨% ଲୋକ।

ଏହି ବଡ଼ ବ୍ୟବଧାନ ହିଁ ଭାରତର ଆଗାମୀ ଅର୍ଥନୈତିକ ଚ୍ୟାଲେଞ୍ଜକୁ ସ୍ପଷ୍ଟ କରୁଛି। କୃଷିରେ ନିର୍ଭରଶୀଳ ବହୁ ସଂଖ୍ୟକ ଲୋକଙ୍କୁ କିପରି ଅଧିକ ଉତ୍ପାଦନଶୀଳ, ନିୟମିତ ଏବଂ ଭଲ ଦରମାର ରୋଜଗାରକୁ ନିଆଯାଇପାରିବ ସେ ଦିଗରେ ବିଚାରବିମର୍ଶ ହେବା ଦରକାର।

କାହିଁକି ଶ୍ରମଶକ୍ତିର ପରିବର୍ତ୍ତନ ଏତେ ଧୀର ରହିଛି?

ଭାରତୀୟ ଅର୍ଥନୀତିର ଗଠନ ବଦଳିଛି, କିନ୍ତୁ ଶ୍ରମଶକ୍ତିର ଗତି ସେହି ଅନୁପାତରେ ବଦଳି ପାରିନାହିଁ। ୨୦୨୫ର ଅର୍ଥନୈତିକ ରିପୋର୍ଟ ଦେଖିଲେ ଦେଶର ୪୩% କର୍ମଜୀବୀ କୃଷିରେ ନିୟୋଜିତ ଥିଲେ, ହେଲେ ଆର୍ଥିକ ବର୍ଷ ୨୦୨୬ରେ କୃଷିର ଅବଦାନ ଦେଶର ଜିଡିପିର ମାତ୍ର ୧୫.୨% ଥିଲା। ଯଦିଓ କୃଷିରୁ ଲୋକେ ବାହାରୁଛନ୍ତି ହେଲେ ସେମାନଙ୍କର ମୁଖ୍ୟ ଗତି ଏପର୍ଯ୍ୟନ୍ତ ନିର୍ମାଣ ଶିଳ୍ପ ହୋଇନାହିଁ।

କୃଷିରୁ ବାହାରୁଥିବା ଲୋକେ କେଉଁଠି ଯାଉଛନ୍ତି?

ସାମୟିକ ଶ୍ରମଶକ୍ତି ସର୍ଭେ (ପିଏଲଏଫ୍ଏସ୍)୨୦୨୫ର ତଥ୍ୟ ଏହି ପରିବର୍ତ୍ତନର ଚିତ୍ରକୁ ସ୍ପଷ୍ଟ କରୁଛି। ଦେଶର ମୋଟ ରୋଜଗାରରେ ବିନିର୍ମାଣ ଶିଳ୍ପ(ମେନୁଫେକ୍ଚରିଂ): ୧୨.୧% ନିର୍ମାଣ କ୍ଷେତ୍ର (କନଷ୍ଟ୍ରକ୍ସନ): ୧୨.୦%, ଖଣି ଓ ଖନନ: ୦.୩%, ବିଦ୍ୟୁତ, ଜଳ ଯୋଗାଣ ଓ ସମ୍ବନ୍ଧୀୟ କାର୍ଯ୍ୟକଳାପ: ୦.୭%, ଏହି ସବୁକୁ ମିଶାଇଲେ, ବ୍ୟାପକ ଦ୍ୱିତୀୟକ କ୍ଷେତ୍ରର ରୋଜଗାର ଅଂଶ ୨୫.୧% ହେଉଛି।

ଅନ୍ୟପଟେ, ସେବା କ୍ଷେତ୍ରରେ ୩୧.୮% କର୍ମଜୀବୀ ନିୟୋଜିତ ଅଛନ୍ତି। ଏଥିରେ ବାଣିଜ୍ୟ, ହୋଟେଲ ଓ ରେସ୍ତୋରାଁ ୧୨.୯%, ପରିବହନ, ଗୋଦାମ ଓ ଯୋଗାଯୋଗ ୫.୮% ଏବଂ ଅନ୍ୟାନ୍ୟ ସେବା ୧୩.୧% ରୋଜଗାର ଯୋଗାଉଛି।

କୃଷିରୁ ଧୀରେ ଧୀରେ ବାହାରୁଛନ୍ତି ଶ୍ରମିକ

୨୦୨୩-୨୪ରେ ମୋଟ ନିଯୁକ୍ତିରେ କୃଷିର ଅଂଶ ୪୬.୧% ଥିଲା, ଯାହା ୨୦୨୧-୨୨ର ୪୯.୪% ତୁଳନାରେ କମିଥିଲା। ଏହା ଦର୍ଶାଉଛି ଯେ କୃଷିରୁ ଶ୍ରମଶକ୍ତି ଧୀରେ ଧୀରେ ବାହାରୁଛି। ହେଲେ ଏହାର ଗତି ମନ୍ଥର ରହିଛି। କିନ୍ତୁ କୃଷିରୁ ବାହାରୁଥିବା ଶ୍ରମିକ ମୁଖ୍ୟତଃ କାରଖାନାକୁ ଯାଉ ନଥିବା ଜଣାପଡ଼ିଛି। ୨୦୨୩-୨୪ରେ ନିର୍ମାଣ କ୍ଷେତ୍ର ପ୍ରାୟ ୧୨% ଏବଂ ନିର୍ମାଣ ଶିଳ୍ପ ପ୍ରାୟ ୧୧% ରୋଜଗାର ଦେଇଛି।

ଭାରତର ବିଶେଷ ଅର୍ଥନୈତିକ ଯାତ୍ରା

ସାଧାରଣତଃ ଅର୍ଥନୈତିକ ବିକାଶର ଏକ ପାରମ୍ପରିକ ମଡେଲରେ ଲୋକେ ପ୍ରଥମେ କୃଷିରୁ ଶିଳ୍ପ, ବିଶେଷକରି ନିର୍ମାଣ ଶିଳ୍ପକୁ ଯାଆନ୍ତି। ନିର୍ମାଣ ଶିଳ୍ପକୁ ଏପରି ଏକ କ୍ଷେତ୍ର ଭାବେ ଦେଖାଯାଏ, ଯାହା କମ୍ ଉତ୍ପାଦନଶୀଳ କୃଷିରୁ ବାହାରୁଥିବା ବହୁ ସଂଖ୍ୟକ ଶ୍ରମିକଙ୍କୁ ରୋଜଗାର ଦେଇପାରେ।

କିନ୍ତୁ ଭାରତର ଅଭିଜ୍ଞତା ଏହି ପାରମ୍ପରିକ ଧାରାଠାରୁ ଭିନ୍ନ। ଏଠାରେ ମେନୁଫେକ୍ଚରିଂ ଶିଳ୍ପରେ ଯଦିଓ ନିଯୁକ୍ତି ବଢ଼ିଛି, କିନ୍ତୁ ଏହି ବୃଦ୍ଧି ତୁଳନାମୂଳକ ଭାବେ ସୀମିତ। ଏହାର ବିପରୀତରେ କୃଷି କ୍ଷେତ୍ରରୁ ଛାଡ଼ିଥିବା ଅଧିକାଂଶ ଶ୍ରମିକ କନଷ୍ଟ୍ରକ୍ସନ କ୍ଷେତ୍ର ଓ ସେବା କ୍ଷେତ୍ରକୁ ଯାଇଛନ୍ତି। ଏହି କାରଣରୁ ଭାରତର ଶ୍ରମ ବଜାରର ପରିବର୍ତ୍ତନକୁ ଏକ ସରଳ ‘କୃଷି → ମେନୁଫେକ୍ଚରିଂ → ସର୍ଭିସ୍’ ଯାତ୍ରା ବୋଲି କହିହେବ ନାହିଁ। ବରଂ ଭାରତରେ କୃଷିରୁ ବାହାରୁଥିବା ଶ୍ରମିକଙ୍କର ବଡ଼ ଅଂଶ କନଷ୍ଟ୍ରକ୍ସନ ଓ ସର୍ଭିସ ସେକ୍ଟରରେ ଆଶ୍ରୟ ପାଇଛନ୍ତି, ହେଲେ ମେନୁଫେକ୍ଚରିଂ ଶିଳ୍ପରେ ରୋଜଗାର ବୃଦ୍ଧି ତୁଳନାମୂଳକ ଭାବେ ମଧ୍ୟମ ରହିଛି।

ଭାରତୀୟମାନେ କେତେ ଅଧିକ ସମୃଦ୍ଧ ହେଲେ?

ଏହି ପରିବର୍ତ୍ତନ ସହିତ ଭାରତର ପ୍ରତି ବ୍ୟକ୍ତିର ପ୍ରକୃତ ଆୟରେ ମଧ୍ୟ ଏକ ବଡ଼ ବୃଦ୍ଧି ଘଟିଛି। ସ୍ଥିର ମୂଲ୍ୟରେ ପ୍ରତି ବ୍ୟକ୍ତି ନେଟ୍ ନ୍ୟାସନାଲ ଇନକମ (NNI) ହିସାବ କଲେ ମୁଦ୍ରାସ୍ଫୀତିର ପ୍ରଭାବକୁ ବାଦ ଦିଆଯାଏ ଏବଂ ବିଭିନ୍ନ ଦଶକ ମଧ୍ୟରେ ତୁଳନା କରିବା ସହଜ ହୁଏ।

୨୦୧୧-୧୨ ମସିହାର ସ୍ଥିର ମୂଲ୍ୟ ଅନୁସାରେ, ୧୯୫୦-୫୧ରେ ପ୍ରତି ବ୍ୟକ୍ତି ଏନଏନଆଇ ୧୨,୪୯୩ ଟଙ୍କା ଥିଲା। ଏହା ୧୯୭୦-୭୧ରେ ₹୧୮,୭୦୨, ୧୯୯୦-୯୧ରେ ₹୨୭,୩୧୯, ୨୦୦୦-୦୧ରେ ₹୩୮,୫୧୫ ଏବଂ ୨୦୧୦-୧୧ରେ ₹୬୨,୧୭୦କୁ ବୃଦ୍ଧି ପାଇଥିଲା। ୨୦୨୫-୨୬ ପାଇଁ ପ୍ରଥମ ଅଗ୍ରିମ ଆକଳନ ଅନୁସାରେ ଏହା ₹୧,୨୧,୯୬୮ରେ ପହଞ୍ଚିଛି।

ଅର୍ଥାତ୍, ୧୯୫୦-୫୧ର ସ୍ତର ତୁଳନାରେ ୨୦୨୫-୨୬ ସୁଦ୍ଧା ଭାରତର ବାସ୍ତବ ପ୍ରତି ବ୍ୟକ୍ତି ଆୟ ପ୍ରାୟ ୯.୮ ଗୁଣ ବୃଦ୍ଧି ପାଇଛି। ପ୍ରାରମ୍ଭିକ ଦଶକଗୁଡ଼ିକରେ ବୃଦ୍ଧି ଧୀର ଥିଲା, ୧୯୮୦ ଦଶକରୁ ଏହାର ଗତି ବଢ଼ିଲା ଏବଂ ୧୯୯୧ ପରେ ଆହୁରି ଶକ୍ତିଶାଳୀ ହେଲା।

ଏହି ଆୟ ବୃଦ୍ଧି ଭାରତୀୟ ଅର୍ଥନୀତିର ଗଠନାତ୍ମକ ପରିବର୍ତ୍ତନ ସହିତ ମୋଟାମୋଟି ମେଳ ଖାଏ। ତେବେ, ପ୍ରତି ବ୍ୟକ୍ତି ଏନଏନଆଇ ହେଉଛି ସମଗ୍ର ଅର୍ଥନୀତିର ଏକ ହାରାହାରି ମାପ। ଏହା ଜଣେ ସାଧାରଣ ପରିବାର ପ୍ରକୃତରେ କେତେ ଆୟ କରେ କିମ୍ବା ଏହି ଆୟ ବୃଦ୍ଧି ସମସ୍ତ ଲୋକ ଓ ଅଞ୍ଚଳ ମଧ୍ୟରେ ସମାନ ଭାବେ ବଣ୍ଟିତ ହୋଇଛି କି ନାହିଁ, ତାହା ଦର୍ଶାଏ ନାହିଁ।

ବିଶ୍ୱ ସହିତ କିପରି ଅଧିକ ଯୋଡ଼ି ହେଲା ଭାରତ?

ଭାରତର ଅର୍ଥନୈତିକ ପରିବର୍ତ୍ତନ ସହିତ ବିଶ୍ୱ ଅର୍ଥନୀତି ସହିତ ସମ୍ପର୍କ ମଧ୍ୟ ଅଧିକ ଗଭୀର ହୋଇଛି। ଆରବିଆଇର ତଥ୍ୟ ଅନୁସାରେ, ସାମଗ୍ରୀ ଓ ସେବାର ରପ୍ତାନି ଏବଂ ଆମଦାନି ମିଶି ୧୯୯୦-୯୧ରେ ଜିଡିପିର ପ୍ରାୟ ୪୧ ପ୍ରତିଶତ ଥିଲା। ଏହା ବିଶ୍ୱ ଆର୍ଥିକ ସଙ୍କଟ ପୂର୍ବରୁ ୫୦ ପ୍ରତିଶତରୁ ଅଧିକ ହୋଇଯାଇଥିଲା। ଦେୟ-ପ୍ରଦାନ ସନ୍ତୁଳନ (Balance of Payments) ଆଧାରରେ, ସାମଗ୍ରୀ ଓ ସେବାର ରପ୍ତାନି ୧୯୯୦-୯୧ରେ ଜିଡିପିର ୫.୮ ପ୍ରତିଶତରୁ ବଢ଼ି ୨୦୦୬-୦୭ରେ ୧୪.୦ ପ୍ରତିଶତରେ ପହଞ୍ଚିଥିଲା।

୧୯୯୦ ଦଶକର ଶେଷଭାଗ ଓ ୨୦୦୦ ଦଶକର ପ୍ରାରମ୍ଭରେ ପେସାଦାର, ବୈଷୟିକ ଓ ବ୍ୟବସାୟିକ ସେବାର ଦ୍ରୁତ ବିକାଶ ହୋଇଥିଲା। ଏହା ସହିତ ସଫ୍ଟୱେର ଓ ଆଇଟି-ସମ୍ବନ୍ଧୀୟ ସେବା ଭାରତର ରପ୍ତାନିରେ କ୍ରମେ ଅଧିକ ଗୁରୁତ୍ୱ ହାସଲ କଲା। ୧୯୯୩ରୁ ୨୦୨୨ ମଧ୍ୟରେ ସେବା ରପ୍ତାନିର ବାର୍ଷିକ ଯୌଗିକ ବୃଦ୍ଧି ହାର (CAGR) ୧୪ ପ୍ରତିଶତରୁ ଅଧିକ ଥିଲା, ଯାହା ସାମଗ୍ରୀ ରପ୍ତାନିର ବୃଦ୍ଧି ତୁଳନାରେ ବହୁତ ଦ୍ରୁତ।

୨୦୨୪ -୨୫ରେ ଭାରତର ସାମଗ୍ରୀ ରପ୍ତାନିର ମୂଲ୍ୟ ୪୩୭.୪ ବିଲିୟନ ଡଲାର ଏବଂ ସେବା ରପ୍ତାନିର ମୂଲ୍ୟ ୩୮୭.୫ ବିଲିୟନ ଡଲାର ଥିଲା। ସେବା ରପ୍ତାନିରେ ୧୩.୬ ପ୍ରତିଶତ ବୃଦ୍ଧି ଘଟିଥିଲା ଏବଂ ସାମଗ୍ରୀ ଓ ସେବାକୁ ମିଶାଇ ହୋଇଥିବା ମୋଟ ରପ୍ତାନିର ପ୍ରାୟ ୪୭ ପ୍ରତିଶତ ସେବା କ୍ଷେତ୍ରରୁ ଆସିଥିଲା। ଏହା ଭାରତର ବଡ଼ ସାମଗ୍ରୀ ବାଣିଜ୍ୟ ନିଅଣ୍ଟକୁ କିଛି ମାତ୍ରାରେ ସନ୍ତୁଳିତ କରିବାରେ ସହାୟତା କରିଛି।

୮୦ ବର୍ଷର ଯାତ୍ରାରେ ଭାରତ ଏବେ ସେହି ଅର୍ଥନୀତିଠାରୁ ବହୁତ ଦୂରକୁ ଆସିଛି, ଯେଉଁଠାରେ ଉତ୍ପାଦନ ଓ ନିଯୁକ୍ତି ଉଭୟ କ୍ଷେତ୍ରରେ କୃଷିର ପ୍ରାଧାନ୍ୟ ଥିଲା। ବର୍ତ୍ତମାନ ସେବା କ୍ଷେତ୍ର ଦେଶର ଅର୍ଥନୈତିକ ଉତ୍ପାଦନର ମୁଖ୍ୟ ଚାଳକ ହୋଇଛି। ୮୦ ବର୍ଷରେ ଭାରତର ଅର୍ଥନୀତି କୃଷିରୁ କୋଡିଂ, ମଣ୍ଡିରୁ ମାର୍କେଟ୍ ଏବଂ ସ୍ଥାନୀୟ ବଜାରରୁ ବିଶ୍ୱ ବଜାର ପର୍ଯ୍ୟନ୍ତ ଦୀର୍ଘ ଯାତ୍ରା କରିଛି। ତଥାପି, ବହୁ ସଂଖ୍ୟକ ଲୋକ ଏବେ ମଧ୍ୟ କୃଷି ଉପରେ ନିର୍ଭରଶୀଳ। ତେଣୁ ଆଗାମୀ ଚ୍ୟାଲେଞ୍ଜ ହେଉଛି କୃଷିରୁ ବାହାରୁଥିବା ଶ୍ରମିକମାନଙ୍କୁ ନିଯୁକ୍ତ କରିବା ପାଇଁ ପର୍ଯ୍ୟାପ୍ତ ଉତ୍ପାଦନଶୀଳ ଅଣ-କୃଷି ଚାକିରି ସୃଷ୍ଟି କରିବା ଏବଂ ଭାରତର ପରବର୍ତ୍ତୀ ପର୍ଯ୍ୟାୟର ଆର୍ଥିକ ବିକାଶକୁ ଜାରି ରଖିବା।