ଭୁବନେଶ୍ୱର: ଧନୀ ହେବାର ସ୍ୱପ୍ନ ସାକାର ହେବା ପୂର୍ବରୁ ବାର୍ଦ୍ଧକ୍ୟ ଆଡ଼କୁ ଦ୍ରୁତ ଗତିରେ ମୁହାଁଉଛି ଭାରତ। ୨୦୫୦ ସୁଦ୍ଧା ଦେଶର ପ୍ରାୟ ୩୫ କୋଟି ଜନସଂଖ୍ୟା ବୃଦ୍ଧାବସ୍ଥାରେ ପହଞ୍ଚିବାକୁ ଥିବାବେଳେ ଏହାର ସବୁଠୁ ବଡ଼ ପ୍ରଭାବ ଗ୍ରାମୀଣ ଅର୍ଥନୀତି ଓ ମହିଳାଙ୍କ ଉପରେ ପଡ଼ିବାକୁ ଯାଉଛି। ବଦଳୁଥିବା ପାରିବାରିକ ଢାଞ୍ଚା ଏବଂ ବୃଦ୍ଧଙ୍କ ଯତ୍ନ ନେବା ପାଇଁ ହ୍ରାସ ପାଉଥିବା ଯୁବକର୍ମୀଙ୍କ ସଂଖ୍ୟା ଏବେ ଦେଶର ସାମାଜିକ ଓ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥା ଆଗରେ ଏକ ବଡ଼ ଚେତାବନୀ ଛିଡ଼ା କରିଛି।

ଟ୍ରାନ୍ସଫର୍ମ ରୁରାଲ ଇଣ୍ଡିଆ ପକ୍ଷରୁ ଜାରି ଏକ ଶ୍ୱେତପତ୍ର ଅନୁସାରେ, ୨୦୫୦ ସୁଦ୍ଧା ୩୪.୭ କୋଟି ଭାରତୀୟ ହୋଇଯିବେ ବୁଢ଼ା । ବୟସ ସେମାନଙ୍କର ୬୦ ବର୍ଷରୁ ଅଧିକ ହୋଇଯାଇଥିବ । ଏମାନଙ୍କ ମଧ୍ୟରୁ ପ୍ରତି ୧୦ରୁ ପ୍ରାୟ ୭ ଜଣ ଗ୍ରାମାଞ୍ଚଳରେ ରହୁଥିବେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଗ୍ରାମୀଣ ଭାରତରେ ସମାନ ସୁଯୋଗ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥା ଟିଆର୍ଆଇ ଚେତାବନୀ ଦେଇଛି ଯେ, ଏହି ପରିବର୍ତ୍ତନର ସବୁଠାରୁ ଅଧିକ ପ୍ରଭାବ ମହିଳାଙ୍କ ଉପରେ ପଡ଼ିବ । କେଉଁ କାଳରୁ ଭାରତରେ ଏକ ପାରିବାରିକ ଯତ୍ନ ବ୍ୟବସ୍ଥା ରହିଆସିଛି । ବୃଦ୍ଧ ହେବା ପରେ ଯତ୍ନ ନିଅନ୍ତି ପରିବାର ଲୋକେ । ବିଶେଷକରି ମହିଳାମାନେ ଏହି କାର୍ଯ୍ୟରେ ଅଧିକ ନିୟୋଜିତ । ଏବେ ଏହା ଏକ ବଡ଼ ଚିନ୍ତା ପାଲଟିବ । କାରଣ ପରିବାର ଛୋଟ ହେଉଛି, ଯୁବପିଢ଼ି କାର୍ଯ୍ୟ ପାଇଁ ବାହାରକୁ ଚାଲିଯାଉଛନ୍ତି । ତେଣୁ ଘରେ ରହି ଯାଉଥିବା ବୃଦ୍ଧବୃଦ୍ଧାଙ୍କ ଯତ୍ନ ସମସ୍ୟା ପାଲଟିବ ।

ତଥ୍ୟ ଅନୁସାରେ, ବୃଦ୍ଧମାନଙ୍କୁ ପ୍ରଦାନ କରାଯାଉଥିବା ଯତ୍ନର ୯୪% ପରିବାର ଲୋକଙ୍କ ଦ୍ୱାରା ହେଉଛି । ଛୋଟ ପରିବାର ଯୋଗୁ ଯତ୍ନ ନେବା ପାଇଁ ଲୋକ କମ୍ । ଏଭଳି ସ୍ଥିତିରେ ଭାରତର ସ୍ଥିତି ଯାହା ରହିଛି, ଆଗକୁ ବୃଦ୍ଧମାନଙ୍କ ଯତ୍ନ ବଡ଼ ଆହ୍ୱାନ ପାଲଟିବ । ରିପୋର୍ଟ ମୁତାବକ, ମହିଳାମାନେ ଅବୈତନିକ ଯତ୍ନ ଉପରେ ଦିନକୁ ପାଖାପାଖି ୩୦୫ ମିନିଟ୍ ବିତାଉଛନ୍ତି । ପୁରୁଷଙ୍କ କ୍ଷେତ୍ରରେ ଏହା ମାତ୍ର ୫୬ ମିନିଟ । ଦିନକୁ ଦିନ ମହିଳାଙ୍କ ଅବୈତନିକ କାର୍ଯ୍ୟଚାପ ବଢ଼ିଚାଲିଛି । ଆଗକୁ ଗ୍ରାମୀଣ ମହିଳାଙ୍କ ଉପରେ ଚାପ ଆହୁରି ବଢ଼ିପାରେ ବୋଲି ରିପୋର୍ଟରେ କୁହାଯାଇଛି ।

ରିପୋର୍ଟରେ କୁହାଯାଇଛି, ପ୍ରତ୍ୟେକ ବୃଦ୍ଧ ବ୍ୟକ୍ତିଙ୍କୁ ସାହାରା ଦେବା ପାଇଁ ଉପଲବ୍ଧ କର୍ମଜୀବୀ ପ୍ରାପ୍ତ ବୟସ୍କଙ୍କ ସଂଖ୍ୟା ବଡ଼ ମାତ୍ରାରେ ଖସିଯିବ । ଏହା ୨୦୦୧ରେ ୮.୪ ଥିବାବେଳେ ୨୦୨୬ରେ ମାତ୍ର ୫.୨କୁ ସଂକୁଚିତ ହେବ । ଏହା ପରିବାର ଏବଂ ଗ୍ରାମୀଣ ଯତ୍ନ ବ୍ୟବସ୍ଥା ଉପରେ ଚାପ ବଢ଼ାଇବ । ‘ଡେମୋଗ୍ରାଫିକ ଟ୍ରାଞ୍ଜିସନ, ଇଭଲ୍ଭିଂ ଫ୍ୟାମିଲିଜ୍ ଆଣ୍ଡ୍ ଦ ଫ୍ୟୁଚର ଅଫ୍ ଦ କେୟାର୍ ଇକୋସିଷ୍ଟମ ଇନ୍ ରୁରାଲ ଇଣ୍ଡିଆ’ ନାମକ ଏହି ଶ୍ୱେତ ପତ୍ରରେ ଯୁକ୍ତି ବଢ଼ାଯାଇଛି ଯେ, ଭାରତର ସାର୍ବଜନିକ ସ୍ୱାସ୍ଥ୍ୟସେବା କ୍ଷେତ୍ର ପରିବର୍ତ୍ତନର ଏକ ନୂତନ ପର୍ଯ୍ୟାୟରେ ପଦାର୍ପଣ କରିଛି।

ରିପୋର୍ଟ ଅନୁସାରେ, ପ୍ରମାଣିତ ଓ ସୁଲଭ ଚିକିତ୍ସା ବ୍ୟବସ୍ଥା ଯୋଗୁ ଲୋକେ ଦୀର୍ଘଦିନ ବଞ୍ଚୁଛନ୍ତି । ତଥାପି ଦୀର୍ଘ ଜୀବନକାଳ, ଦୀର୍ଘଦିନ ଧରି ରହୁଥିବା ରୋଗ ଏବଂ ପରିବର୍ତ୍ତିତ ପାରିବାରିକ ଢାଞ୍ଚା ଯୋଗୁ ବୃଦ୍ଧମାନଙ୍କ ଯତ୍ନ ଲାଗି ଏକ ଭିନ୍ନ ଉପାୟ ଲୋଡ଼ା । ବିଭିନ୍ନ ପ୍ରକାର ତଥ୍ୟକୁ ଆଖି ଆଗରେ ରଖି ଏହି ଶ୍ୱେତ ପତ୍ର ନୀତି ନିର୍ଦ୍ଧାରଣକାରୀଙ୍କୁ ଏ ଦିଗରେ ଏକ ସୁଚିନ୍ତିତ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଉଛି ।

also read- ଚୀନକୁ କଡ଼ା ଜବାବ ଦେଲା ଭାରତ; ଅରୁଣାଚଳ ପ୍ରଦେଶର ୨୭ଟି ସ୍ଥାନ ସରକାରୀ ମାନଚିତ୍ରରେ ସାମିଲ

ରିପୋର୍ଟରେ ଉଲ୍ଲେଖ କରାଯାଇଛି, ଭାରତରେ ଦୁଇ ତୃତୀୟାଂଶ ମୃତ୍ୟୁ ମଧୁମେହ, ହୃଦ୍ରୋଗ ଏବଂ କର୍କଟ ଆଦି ଯୋଗୁ ହୋଇଥାଏ । ରିପୋର୍ଟରେ ପରାମର୍ଶ ଦିଆଯାଇଛି, ସ୍ୱାସ୍ଥ୍ୟସେବାର ପରବର୍ତ୍ତୀ ପର୍ଯ୍ୟାୟରେ ଦୀର୍ଘଦିନ ଧରି ରହୁଥିବା ରୋଗ, ଶାରୀରିକ ଅକ୍ଷମତା ଏବଂ ବୟସର ଅନ୍ତିମ ପର୍ଯ୍ୟାୟରେ ରହୁଥିବା ଆହ୍ୱାନଗୁଡ଼ିକ ଉପରେ ଧ୍ୟାନ ଦିଆଯିବା ଦରକାର । ଗ୍ରାମାଞ୍ଚଳରେ ଥିବା ପ୍ରତିଷ୍ଠାନଗୁଡ଼ିକୁ ଏକକ ଗୋଷ୍ଠୀ-ଭିତ୍ତିକ କେୟାର ନେଟ୍ୱର୍କ ସହ ଯୋଡ଼ିବା ପାଇଁ ଟିଆର୍ଆଇ ପରାମର୍ଶ ଦେଇଛି । ଏଥିରେ ଗ୍ରାମ ପଞ୍ଚାୟତ, ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା କର୍ମୀ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆଦିକୁ ଗୋଷ୍ଠୀ-ଭିତ୍ତିକ କେୟାର ନେଟ୍ୱର୍କରେ ସାମିଲ କରାଯାଇପାରିବ ବୋଲି ଏହା ପ୍ରକାଶ କରିଛି । ଏହା ହେଲେ ବୃଦ୍ଧମାନେ ହାତ ପାଆନ୍ତରେ ଯତ୍ନ ପାଇପାରିବେ । ବୃଦ୍ଧଙ୍କ ଯତ୍ନକୁ ଏକ ଅର୍ଥନୈତିକ ସମ୍ଭାବନା ଭାବେ ଉପସ୍ଥାପନ କରାଯାଇପାରିବ ବୋଲି ଏହା ପ୍ରକାଶ କରିଛି । ଦେଶର ‘କେୟାର ଇକୋନୋମି’ରେ ଭାରତର ଜିଡିପିର ୨% ନିବେଶ ପ୍ରାୟ ୧.୧ କୋଟି ନିଯୁକ୍ତି ସୃଷ୍ଟି କରିବ । ବିଶେଷକରି ଗ୍ରାମୀଣ ମହିଳାମାନେ ଏଥିରୁ ଉପକୃତ ହେବେ । ଜୀବିକା ସୃଷ୍ଟି ହେବା ସହ ଗୋଷ୍ଠୀଭିତ୍ତିକ ଯତ୍ନ ବ୍ୟବସ୍ଥା ମଜଭୁତ ହେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।