ନୂଆଦିଲ୍ଲୀ: ଆଫ୍ରିକାରେ ଇବୋଲା ଯୋଗୁଁ ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ସଂକଟର ପ୍ରଭାବ ଏବେ ବିଦେଶ ଯାତ୍ରା ଉପରେ ପଡ଼ିବା ଆରମ୍ଭ ହୋଇଛି । ଏହାରି ଭିତରେ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଇବୋଲା ପ୍ରକୋପ ଯୋଗୁଁ ଆଫ୍ରିକାରେ ଉପୁଜିଥିବା ଜନସ୍ୱାସ୍ଥ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଆଗାମୀ ଭାରତ-ଆଫ୍ରିକା ଫୋରମ୍ ସମ୍ମିଳନୀକୁ ଏବେ ସ୍ଥଗିତ ରଖାଯାଇଛି । ଗୁରୁବାର ଏକ ବିବୃତ୍ତିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତ ଏବଂ ଆଫ୍ରିକୀୟ ସଂଘ ପରବର୍ତ୍ତୀ ସମୟରେ ଚତୁର୍ଥ ଭାରତ-ଆଫ୍ରିକା ଫୋରମ୍ ସମ୍ମିଳନୀ ଆୟୋଜନ କରିବା ଉପରେ ସହମତ ହୋଇଛନ୍ତି ।

ବିବୃତ୍ତିରେ କୁହାଯାଉଛି, “ଶିଖର ସମ୍ମିଳନୀ ଏବଂ ଏହାର ସହ ଜଡ଼ିତ ବୈଠକ ପାଇଁ ନୂତନ ତାରିଖ ପାରସ୍ପରିକ ପରାମର୍ଶ ମାଧ୍ୟମରେ ଚୂଡ଼ାନ୍ତ କରାଯିବ ଏବଂ ଉପଯୁକ୍ତ ସମୟରେ ଜଣାଇ ଦିଆଯିବ। ”

ଭାରତ-ଆଫ୍ରିକୀୟ ୟୁନିଅନ କମିଶନଙ୍କ ସହଯୋଗରେ ମେ ୨୮-୩୧ ଯାଏଁ ନୂଆଦିଲ୍ଲୀରେ ଚତୁର୍ଥ ଭାରତ-ଆଫ୍ରିକା ଫୋରମ୍ ଶିଖର ସମ୍ମିଳନୀ (IAFS-IV) ଆୟୋଜନ କରିବାକୁ ସ୍ଥିର କରାଯାଇଥିଲା । ଏହାର ଲକ୍ଷ୍ୟ ଥିଲା ଭାରତ-ଆଫ୍ରିକା ସହଭାଗୀତାକୁ ସୁଦୃଢ଼ କରିବା ଏବଂ ବିବିଧ କ୍ଷେତ୍ରରେ ସହଯୋଗକୁ ଆହୁରି ବିସ୍ତାର କରିବା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବା ।

ପୂର୍ବ ସଂସ୍କରଣ ତିନି ସଂସ୍କରଣ ୨୦୦୮, ୨୦୧୧ ଏବଂ ୨୦୧୫ରେ ଅନୁଷ୍ଠିତ ହୋଇଥିଲା । ୧୦ ବର୍ଷର ବ୍ୟବଧାନ ପରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା । ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ "ଉଚ୍ଚ ବିପଦପୂର୍ଣ୍ଣ ଦେଶ"ରୁ ଭାରତୀୟ ବନ୍ଦର, ବିମାନବନ୍ଦର ଏବଂ ସମସ୍ତ ପ୍ରବେଶ ସ୍ଥାନରେ ଇବୋଲା ସମ୍ପର୍କରେ ଯାତ୍ରୀମାନଙ୍କ ପାଇଁ ଏକ ପରାମର୍ଶ ଜାରି କରିଥିଲା ।

ଆଡଭାଇଜରିରେ କୁହାଯାଇଥିଲା, ଯଦି କୌଣସି ବ୍ୟକ୍ତି ଡିଆର କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନରୁ ଫେରୁଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ବିମାନବନ୍ଦରରେ ସ୍କ୍ରିନିଂ, କ୍ୱାରେଣ୍ଟାଇନ୍ ପ୍ରୋଟୋକଲ, ମାମଲା ପରିଚାଳନା, ରେଫରାଲ୍ ବ୍ୟବସ୍ଥା ଏବଂ ଲ୍ୟାବ ପରୀକ୍ଷା ପାଇଁ ଏସଓପି କରିବାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଜ୍ୱର, ଦୁର୍ବଳତା, ଥକ୍କାପଣ, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ବାନ୍ତି, ଡାଇରିଆ ଏବଂ ଗଳା ଯନ୍ତ୍ରଣା ଭଳି ଲକ୍ଷଣ ଅନୁଭବ କରୁଥିବା ଲୋକଙ୍କୁ ଇମିଗ୍ରେସନ ଯାଞ୍ଚ ପାଇଁ ଯିବା ପୂର୍ବରୁ ବିମାନବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ କିମ୍ବା ସ୍ୱାସ୍ଥ୍ୟ ଡେସ୍କକୁ ରିପୋର୍ଟ କରିବାକୁ କୁହାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ମହାମାରୀକୁ ଆନ୍ତର୍ଜାତୀକ ଚିନ୍ତାର ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଇବୋଲା ଭାଇରସର ଅନେକ ପ୍ରକାର ଅଛି । ବର୍ତ୍ତମାନର ପ୍ରକୋପ ବୁଣ୍ଡିବୁଗୟୋ ଭାରିଆଣ୍ଟ ସହିତ ଜଡିତ, ଯାହା ଜାୟର ଭାରିଆଣ୍ଟ ପରି ଘାତକ ନୁହେଁ । କିନ୍ତୁ ସତର୍କତା ଦୃଷ୍ଟିରୁ ସମସ୍ତ ପ୍ରସ୍ତୁତି କରାଯାଉଛି ।