ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଇନିଂସ ବଳରେ ଭାରତ ଏ’ ତ୍ରିକୋଣୀୟ ସିରିଜ୍ ଫାଇନାଲରେ ଶ୍ରୀଲଙ୍କା ଏ’କୁ ୬୬ ରନରେ ପରାସ୍ତ କରିଛି । ସୂର୍ଯ୍ୟବଂଶୀ ମାତ୍ର ୨୯ ବଲରେ ୯୪ ରନ୍ କରି ଆରମ୍ଭରୁ ହିଁ ଭାରତର ପଲା ଭାରି କରିଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୭୭ ରନର ବିଶାଳ ସ୍କୋର କରିଥିଲା । ଏହାର ଜବାବରେ ଶ୍ରୀଲଙ୍କା ଟିମ୍ ୪୭.୧ ଓଭରରେ ୩୧୧ ରନରେ ସୀମିତ ରହିଥିଲା । ଭାରତ ପାଇଁ ୟଶ ଠାକୁର ଏବଂ ବିପରଜ ନିଗମ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଏହି ମ୍ୟାଚ୍‌ରେ ବିଜୟର ନାୟକ ବୈଭବ ସୂର୍ଯ୍ୟବଂଶୀ । ୧୫ ବର୍ଷୀୟ ବ୍ୟାଟର ମାତ୍ର ୧୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରି ଲିଷ୍ଟ ଏ’ କ୍ରିକେଟ୍ କୀର୍ତ୍ତିମାନ ସ୍ଥାପନ କରିଥିଲେ । ସେ ଶ୍ରୀଲଙ୍କାର କୌଶଲ୍ୟା ବୀରରତ୍ନେଙ୍କ ୨୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଥିଲେ । ୨୦୦୫ରେ ସେ ୧୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ।

ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିବା ଭାରତର ପ୍ରଥମ ୱିକେଟ୍ ପାଇଁ ବୈଭବ ସୂର୍ଯ୍ୟବଂଶୀ ଏବଂ ପ୍ରିୟାଂଶ ଆର୍ଯ୍ୟ (୩୯)ଙ୍କ ମଧ୍ୟରେ୧୩୨ ରନର ଓପନିଂ ପାର୍ଟନରସିପ୍ ହୋଇଥିଲା । ସୂର୍ଯ୍ୟବଂଶୀଙ୍କ ଆଉଟ୍ ପରେ, ଅଧିନାୟକ ତିଲକ ବର୍ମା ୯୦ ବଲରେ ୬୭ ରନ୍ ଖେଳି ଦଳକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ । ଋତୁରାଜ ଗାଏକୱାଡ ୪୦ ରନ୍ କରିଥିଲେ । ଶେଷ ଓଭରଗୁଡ଼ିକରେ, ଅନୁକୂଳ ରୟ ୧୫ ବଲରେ ୩୯ ରନ୍ ଏବଂ ବିପରଜ ନିଗମ ୨୦ ବଲରେ ୨୭ ରନ୍ ସ୍କୋର କରି ଭାରତର ସ୍କୋରକୁ ୩୭୭ ରନରେ ପହଞ୍ଚାଇଥିଲେ ।

୩୭୮ ରନର ଲକ୍ଷ୍ୟ ପିଛା କରି ଶ୍ରୀଲଙ୍କା ଏ'ର ଆରମ୍ଭ ଖରାପ ହୋଇଥିଲା । ଦଳ ପ୍ରଥମ ୧୦ ଓଭରରେ ଶୀର୍ଷ ତିନି ବ୍ୟାଟରଙ୍କୁ ହରାଇଥିଲା । ସାଦିରା ସମରବିକ୍ରମା (୫୨), ଭାନୁଜ ସହାନ (୬୨) ଏବଂ ଅଧିନାୟକ ସହାନ ଆରାଚିଗେ (୩୮) ଲଢ଼ୁଆ ଇନିଂସ ଖେଳିଥିଲେ । ଶେଷରେ ପୂରା ଟିମ୍ ୩୧୧ ରନରେ ଅଲଆଉଟ୍ ହୋଇଥିଲା । ଭାରତ ପାଇଁ ୟଶ ଠାକୁର ଏବଂ ବିପରଜ ନିଗମ ସର୍ବାଧିକ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।