ନ୍ୟୁଚଣ୍ଡିଗଡ଼: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଭାରତୀୟ ଦଳ ୫୧ ରନରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୪ ୱିକେଟ୍ ହରାଇ ୨୧୩ ରନ୍ କରିଥିଲା। ଜବାବରେ ଭାରତ ୧୯.୧ ଓଭରରେ ୧୬୨ ରନ୍ କରି ଅଲଆଉଟ୍ ହୋଇଛି । ଭାରତ ପକ୍ଷରୁ ତିଳକ ବର୍ମା ୩୪ ବଲରେ ୬୨ ରନ୍ କରିଥିଲେ । କିନ୍ତୁ ଏତେ ବଡ଼ ସ୍କୋର କରି ସେ କେବଳ ପରାଜୟର ବ୍ୟବଧାନକୁ କମ କରିପାରିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି, ମାର୍କୋ ଜାନସେନ୍ ଏବଂ ଲୁଥୋ ସିପାମଲା ପ୍ରତ୍ୟେକେ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଓଟନିଲ୍ ବାର୍ଟମ୍ୟାନ୍ ୪ ଓଭରରେ ୨୪ ରନ୍ ଦେଇ ୪ ୱିକେଟ୍ ନେଇଥିଲେ। ପୂର୍ବରୁ ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୱିଣ୍ଟନ୍ ଡି କକ୍ ୯୦ ରନ୍ କରିଥିଲେ। ଜସପ୍ରିତ ବୁମରା ଏବଂ ଅର୍ଶଦୀପ ସିଂହ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ପାୱାରପ୍ଲେରେ ଦଳ ତିନୋଟି ୱିକେଟ ହରାଇଥିଲା। ଶୁଭମନ ଗିଲ(୦), ଅଭିଷେକ ଶର୍ମା ୧୭ ରନ ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୫ ରନ କରି ଆଉଟ ହୋଇଥିଲେ। ଏହା ପରେ ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ଇନିଂସକୁ ସ୍ଥିର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ (୨୦) ୧୧୮ ରନରେ ଆଉଟ ହେବା ପରେ, ଭାରତ ଦ୍ରୁତ ଗତିରେ ୱିକେଟ ହରାଇ ୧୬୨ ରନରେ ଅଲଆଉଟ ହୋଇଥିଲା।

ପ୍ରଥମ ଟି-୨୦ରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ୧୦୦ ରନ୍ରୁ ଅଧିକ ବ୍ୟବଧାନରେ ହାରିଥିଲା ଭ୍ରମଣକାରୀ ଦଳ । ପ୍ରଥମ ମ୍ୟାଚ ଶୋଚନୀୟ ପରାଜୟ ଭୋଗିଥିବା ସାଉଥ ଆଫ୍ରିକା ମୁଲାନପୁରରେ ବିଜୟ ସହ ଏହି ଗ୍ୟାପ୍ ପୂରଣ କରିଛି । ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୧-୧ରେ ବରାବର କରିଛି ଦକ୍ଷିଣ ଆଫ୍ରିକା ।