ନୂଆଦିଲ୍ଲୀ: ରୁଷିଆର SJ-100 ସିଭିଲ୍ କମ୍ୟୁଟର ଏୟାରକ୍ରାଫ୍ଟ ଏବେ ଭାରତରେ ତିଆରି ହେବ। ଏଥିପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ରୁଷର ୟୁନାଇଟେଡ୍ ଏୟାରକ୍ରାଫ୍ଟ କର୍ପୋରେସନ ସହିତ ଏକ ଚୁକ୍ତିପତ୍ର ସ୍ୱାକ୍ଷର କରିଛି। ଏହା ଛୋଟ ସହରଗୁଡ଼ିକୁ ବିମାନ ସଂଯୋଗ ପ୍ରଦାନ କରୁଥିବା UDAN ଯୋଜନା ପାଇଁ ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରେ।

ଅକ୍ଟୋବର ୨୮ ତାରିଖରେ ମସ୍କୋରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଚି। HALର ପ୍ରଭାତ ରଞ୍ଜନ ଏବଂ PJSC-UACର ଓଲେଗ ବୋଗୋମୋଲୋଭ ଏଥିରେ ହସ୍ତାକ୍ଷର କରିଛନ୍ତି। HALର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ DK ସୁନୀଲ ଏବଂ PJSC-UACର ମହାନିର୍ଦ୍ଦେଶକ ଭାଦିମ ବାଡେକାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଏହା ପୂର୍ବରୁ ମଧ୍ୟ ଭାରତରେ ଯାତ୍ରୀବାହୀ ବିମାନ ନିର୍ମାଣର ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଉଦ୍ୟମ ହୋଇଥିଲା। ୧୯୬୧ ରୁ ୧୯୮୮ ମସିହା ପର୍ଯ୍ୟନ୍ତ ଏହା ଚାଲିଥିଲା। ସେତେବେଳେ HAL ଏହି ପ୍ରକଳ୍ପକୁ AVRO HS748 କୁହାଯାଉଥିଲା। ହେଲେ ଏହା ସଫଳ ନ ହେବାରୁ ବାରତ ଯାତ୍ରୀବାହୀ ବିମାନ ଆମଦାନି କରିବା ଆରମ୍ଭ କରିଥିଲା। ହେଲେ ଏବେ ରୁଷ ସହିତ ଏହି ବୁଝାମଣାପତ୍ର ଆମଦାନି ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିପାରିବ।

HAL ଏବଂ PJSC-UAC ର ପୃଷ୍ଠଭୂମି-

• HAL (ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍): ଏହା ଏକ ଭାରତୀୟ ସରକାରୀ କମ୍ପାନୀ ଯାହା ମୁଖ୍ୟତଃ ତେଜସ୍ ଲଢ଼ୁଆ ବିମାନ ଭଳି ସାମରିକ ବିମାନ ନିର୍ମାଣ କରେ। କିନ୍ତୁ ବର୍ତ୍ତମାନ ଏହା ବେସାମରିକ ବିମାନ ଚଳାଚଳ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଛି। ଏନେଇ ହାଲ କହିଛି ଋଷ ସହିତ ହୋଇଥିବା ଏହି ଚୁକ୍ତି କମ୍ପାନୀର ବ୍ୟବସାୟର ବିବିଧତାର ଏକ ଅଂଶ।

• PJSC-UAC (ପବ୍ଲିକ୍ ଜଏଣ୍ଟ ଷ୍ଟକ୍ କମ୍ପାନୀ ୟୁନାଇଟେଡ୍ ଏୟାରକ୍ରାଫ୍ଟ କର୍ପୋରେସନ): ରୁଷିଆର ସରକାରୀ ମାଲିକାନା ଏରୋସ୍ପେସ୍ କମ୍ପାନୀ ସାମରିକ ଏବଂ ବେସାମରିକ ବିମାନ ନିର୍ମାଣ କରେ। ଏହା SJ-100 ପାଇଁ ଆବଶ୍ୟକ ସମସ୍ତ ପ୍ରଯୁକ୍ତିବିଦ୍ୟା ଏବଂ ଅଭିଜ୍ଞତା ରଖିଛି। UAC ୨୦୦ରୁ ଅଧିକ ଏସଜେ-୧୦୦ ବିମାନ ନିର୍ମାଣ କରିଛି। ଯାହା ୧୬ରୁ ଅଧିକ କମର୍ସିଆଲ ଏୟାରଲାଇନ୍ସରେ ଉଡ଼ାଣ ସେବାରେ ଲାଗିଛନ୍ତି। ତେବେ ଋଷ ଓ ଭାରତ ମଧ୍ୟରେ ହୋଇଥିବା ଏହି ଚୁକ୍ତି ଦୁଇ ଦେଶର ଦୀର୍ଘକାଳୀନ ପ୍ରତିରକ୍ଷା ସମ୍ପର୍କକୁ ବେସାମରିକ କ୍ଷେତ୍ରରେ ବିସ୍ତାର ବି ବଢ଼ାଇବ। ଭାରତୀୟ କମ୍ପାନୀ HAL ଋଷର SJ-100 ନିର୍ମାଣ କରିବାର "ଅଧିକାର" ପାଇବ। ଯାହାଦ୍ୱାରା ଭାରତରେ ସ୍ଥାନୀୟ ଉତ୍ପାଦନ ଆରମ୍ଭ ହୋଇପାରିବ।

SJ-100 ଏୟାରକ୍ରାଫ୍ଟ: ଦୁଇଟି-ଇଞ୍ଜିନ, ନ୍ୟାରୋ-ବଡି କମ୍ୟୁଟର ବିମାନ

ଏହି ବିମାନ ଅଳ୍ପ ଦୂରତାରେ ଯାତ୍ରା କରିବା ପାଇଁ ଠିକ୍। ଏଥିରେ ୭୫-୧୦୦ ଯାତ୍ରୀଙ୍କୁ ନେଇଯିବାର କ୍ଷମତା ଥାଏ। ଏହା ୧୦୦-୫୦୦ କିଲୋମିଟର ଯାତ୍ରା ଦୂରତା ପାଇଁ ଡିଜାଇନ୍ କରାଯାଇଛି। ରୁଷରେ ଏହି ବିମାନ ଖୁବ୍ ସଫଳ ହେଉଛି। ଏହି SJ-100 ଏୟାରକ୍ରାଫ୍ଟ ଭାରତ ସରକାରଙ୍କର ଉଡ଼ାନ ଯୋଜନା ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ଏହି ବିମାନ ଇନ୍ଧନ କମ୍ ଖର୍ଚ୍ଚ କରିବା ସହିତ ସ୍ଥାନୀୟ ଉତ୍ପାଦନ ଖର୍ଚ୍ଚ ମଧ୍ୟ କମିବ। UDAN ଯୋଜନା ଅଧୀନରେ, ଗୋରଖପୁର, ଦେଓଘର କିମ୍ବା ପୋର୍ଟ ବ୍ଲେୟାର ଭଳି ଛୋଟ ସହରଗୁଡ଼ିକୁ ସଂଯୋଗ କରାଯାଉଛି।

ଏହାଦ୍ୱାରା ଆଞ୍ଚଳିକ ସଂଯୋଗୀକରଣରେ ସହଯୋଗ ହେବ। ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତକୁ ୨୦୦ରୁ ଅଧିକ ଏପରି ଜେଟ୍ ଆବଶ୍ୟକ ହେବ। ଉଡ଼ାନ ଯୋଜନା ଅଧୀନରେ ୧୦୦ରୁ ଅଧିକ ନୂଆ ବିମାନବନ୍ଦର ନିର୍ମାଣ କରାଯାଉଛି। SJ-100 ସେମାନଙ୍କର ଜୀବନରେଖା ହେବ।

​​​​​​​

ଭାରତରେ ଏହି ବିମାନ ନିର୍ମାଣ ହେଲେ ଚାକିରି ଏବଂ ଦକ୍ଷତାରେ ବୃଦ୍ଧି ହେବ। ସ୍ଥାନୀୟ ଉତ୍ପାଦନ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ। ଇଞ୍ଜିନିୟର, ଟେକ୍ନିସିଆନ୍ ଏବଂ ଯୋଗାଣ ଶୃଙ୍ଖଳାକୁ ପ୍ରୋତ୍ସାହନ ମିଳିବ। ବର୍ତ୍ତମାନ ଭାରତ ଏହାର ୯୦% ବିମାନ ଆମଦାନୀ କରୁଛି। ଏହି ବୁଝାମଣାପତ୍ର ଆତ୍ମନିର୍ଭରଶୀଳତା ବୃଦ୍ଧି କରିବ। ଏହା "ମେକ୍ ଇନ୍ ଇଣ୍ଡିଆ"ର ଏକ ଉତ୍କୃଷ୍ଟ ଉଦାହରଣ ହେବ। ଏହାଦ୍ୱାରା ଆନ୍ତର୍ଜାତୀୟ ପହଞ୍ଚ ବି ବଢ଼ିବ। ଭାରତ ମହାସାଗର ଅଞ୍ଚଳରେ ବର୍ତ୍ତମାନ ୩୫୦ରୁ ଅଧିକ ବିମାନର ଆବଶ୍ୟକତା ରହିଛି । SJ-100 ମାଳଦ୍ୱୀପ କିମ୍ବା ଶ୍ରୀଲଙ୍କା ଭଳି ପର୍ଯ୍ୟଟନସ୍ଥଳଗୁଡ଼ିକୁ ସଂଯୋଗ କରିପାରିବ।

ତେବେ ଏହି ବିମାନ ନିର୍ମାଣରେ କେତେ ଖର୍ଚ୍ଚ ହେବ ସେ ନେଇ ଯଦିଓ କୌଣସି ତଥ୍ୟ ସାମ୍ନାକୁ ଆସି ନାହିଁ, ତଥାପି, SJ-100 ବିମାନର ପ୍ରତି ୟୁନିଟ୍ ପାଇଁ ୨୦-୨୫ ମିଲିଅନ ଡଲାର (ପ୍ରାୟ ୧୭୦-୨୦୦ କୋଟି) ମୂଲ୍ୟ ହେବ ବୋଲି ଆଶା କରାଯାଉଛି। ରୁଷ HAL କୁ ଏହାର ଡିଜାଇନ୍, ଇଞ୍ଜିନ୍ ଏବଂ ଆସେମ୍ବଲି ସପୋର୍ଟ କରିବ।

ପ୍ରଡକ୍ସନ ରୋଡ୍‌ ମ୍ୟାପ୍‌ରେ ସର୍ଟ ଟର୍ମରେ ବୁଝାମଣାପତ୍ର ପରେ, ଏକ ମିଳିତ କାର୍ଯ୍ୟକାରୀ ଗ୍ରପୁ ଗଠନ କରାଯିବ। ପ୍ରୋଟୋଟାଇପ୍ ପରୀକ୍ଷଣ ଏବଂ ପ୍ରମାଣପତ୍ର ୧-୨ ବର୍ଷ ମଧ୍ୟରେ ହୋଇପାରେ।

ସେହିପରି ଲଙ୍ଗ ଟର୍ମରେ ଆଗାମୀ ୧୦ ବର୍ଷ ମଧ୍ୟରେ ୨୦୦ରୁ ଅଧିକ SJ-100 ବିମାନ ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି। ଏଗୁଡ଼ିକୁ କେବଳ ଭାରତକୁ ନୁହେଁ ବରଂ ଏସିଆ-ଆଫ୍ରିକା ବଜାରକୁ ମଧ୍ୟ ରପ୍ତାନି କରାଯାଇପାରିବ।