ନୂଆଦିଲ୍ଲୀମୋ ଭାଇ ଇମ୍ରାନ ଖାନଙ୍କୁ ଏକାକୀ ବନ୍ଦୀଶାଳାରେ ରଖାଯାଇଛି। ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି। ଜେଲ୍ ଭିତରେ ଯାଇ ଭାଇଙ୍କୁ ଭେଟିବା ପରେ ଏଭଳି ବୟାନ ଦେଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଭଉଣୀ ଉଜମା ଖାନ।

ଇମ୍ରାନ ଖାନ୍‌ଙ୍କ ମୃତ୍ୟୁ ନେଇ ଖବର ପ୍ରସାରଣ ହେବା ପରେ ସାରା ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଥିଲା। ଏହାପରେ ପାକିସ୍ତାନ ସରକାର ଏହାକୁ ମିଛ ବୋଲି କହିବା ସହିତ ସେ ସୁସ୍ଥ ଅଛନ୍ତି ବୋଲି କହିଥିଲେ। ତେବେ ଇମ୍ରାନଙ୍କ ପରିବାର ପକ୍ଷରୁ ତାଙ୍କୁ ଦେଖା କରିବାକୁ ସରକାରଙ୍କ ପାଖରେ ଆବେଦନ କରାଯାଇଥିଲା।

ଦେଖା କରିବାକୁ ନଦେଲେ ବ୍ୟାପକ ଆନ୍ଦୋଳନ କରିବାକୁ ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ ଏ ଇନ୍‌ସାଫ ଧମକ ଦେବା ପରେ ସରକାର ରାଜି ହୋଇଥିଲେ। ଆଉ ମଙ୍ଗଳବାର ଇମ୍ରାନଙ୍କ ଦୁଇ ଭଉଣୀ ଭିତରୁ ଜଣେ ଉଜମା ଖାନକୁ ଦେଖା କରିବାକୁ ଅନୁମତି ଦିଆଯାଇଥିଲା।

ଉଜମା ଆଡ଼ିଆଲା ଜେଲ୍ ଭିତରକୁ ଯାଇ ଭାଇ ଇମ୍ରାନ ଖାନଙ୍କୁ ଦେଖା କରିବା ପରେ ମିଡିଆକୁ ପ୍ରତିକ୍ରିୟା ଦେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ମିଡିଆକୁ ସମ୍ବୋଧନ କରି ସେ କହିଛନ୍ତି “ଇମ୍ରାନ ଖାନ ସୁସ୍ଥ ଅଛନ୍ତି, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ତାଙ୍କୁ ଏକାକୀ ବନ୍ଦୀଶାଳାରେ ରଖାଯାଇଛି ଓ ମାନସିକ ନିର୍ଯାତନା ଦିଆଯାଉଛି।”

ତେବେ ଉଜମାଙ୍କ ଏହି ବୟାନରେ ଇମ୍ରାନ ଖାନଙ୍କ ମୃତ୍ୟୁ ହେବା ନେଇ ଯେଉଁ ଗୁଜବ ଉଠିଥିଲା ସେଥିରେ ଯବନିକା ପଡ଼ିଛି। ଏହା ପୂର୍ବରୁ ଉଜମାଙ୍କୁ କଠୋର ସର୍ତ୍ତ ରଖି ଇମ୍ରାନଙ୍କୁ ଭେଟିବାକୁ ଅନୁମତି ଦେଇଥିଲେ ପାକିସ୍ତାନ କର୍ତ୍ତୃପକ୍ଷ। ହେଲେ ଉଜମା କିନ୍ତୁ କୌଣସି ସର୍ତ୍ତ ମାନିବାକୁ ରାଜି ହୋଇ ନଥିଲେ। ତେବେ ଜେଲ୍ ଭିତରେ ପ୍ରବେଶ କରିବା ପୂର୍ବରୁ ସେ କହିଥିଲେ ଯେ ଆମେ କୌଣସି ସର୍ତ୍ତ ମାନିବୁ ନାହିଁ।

ମଙ୍ଗଳବାର ଇମ୍ରାନଙ୍କ ପାର୍ଟି ପକ୍ଷରୁ ଜେଲ୍ ପରିସର ନିକଟରେ ବ୍ୟାପକ ଆନ୍ଦୋଳନ କରିବାକୁ ଧମକ ଦିଆଯାଇଥିଲା। ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଅପରାହ୍ନରେ ପାକିସ୍ତାନ ସରକାର ଉଜମାଙ୍କୁ ଭାଇ ଇମ୍ରାନଙ୍କ ସହିତ ଭେଟିବାକୁ ଅନୁମତି ଦେଇଛନ୍ତି।