ଆନନ୍ଦପୁର ୧୯।୩: ପିକ୍ଅପ୍ ଭ୍ୟାନ୍ ଡାଲା ତଳେ ସିକ୍ରେଟ୍ ଚାମ୍ବର । ସିକ୍ରେଟ୍ ଚାମ୍ବରରେ ଭର୍ତ୍ତି ମହୁଲି ମଦ । ଲିଟରେ କି ଦୁଇ ଲିଟରେ ଏକାବେଳକେ ହଜାରେ ଲିଟରେ ମଦ । ଦୁର୍ଘଟଣା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି । ସନ୍ଦେହରୁ ତଲାସି ବେଳେ ଧରାପଡ଼ିଲା ସତ । ସାମ୍ନାକୁ ଆସିଲା ସିକ୍ରେଟ୍ ଚାମ୍ବରର ସତ ।

ଭଦ୍ରକ ୫୩ ନଂ ରାଜ୍ୟ ରାଜପଥର ବେତିରା ଛକ ନିକଟରେ ଯିବାବେଳେ ଜଣେ ମହିଳା ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା ପିକ୍ଅପ୍ ଭ୍ୟାନ୍ । ଦୁର୍ଘଟଣା ପରେ ପୋଲିସ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ଏହାସହ ପିକ୍ଅପ୍ ଚାଳକ ଓ ହେଲପରକୁ ନେଇ ଥାନାରେ ଅଟକ ରଖିଥିଲା ନନ୍ଦିପଦା ପୋଲିସ । ତେବେ ଉଭୟଙ୍କୁ ଜେରା କରିବା ସମୟରେ ପୋଲିସର ସେମାନଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ସନ୍ଦେହ ହେବାରୁ ପିକ୍ଅପ୍ର ତଲାସି ଆରମ୍ଭ କରିଥିଲା ପୋଲିସ ।

Also Read: ପରୀକ୍ଷା ଦେଇ ଘରକୁ ଫେରିଲେନି ଛାତ୍ରୀ, ଗ୍ରାମ୍ୟ ଜଙ୍ଗଲରେ ପଡ଼ିଛି ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

ତଲାସି ବେଳେ ପିକ୍ଅପ୍ ଭ୍ୟାନ୍‌ର ଡାଲା ତଳେ ଥିବା ସିକ୍ରେଟ୍ ଚାମ୍ବରକୁ ଖୋଜି ପାଇଥିଲା ପୋଲିସ । ଏହାସହ ତା ଭିତରେ ଥିବା ପ୍ରାୟ ହଜାରେ ଲିଟର ମହୁଲି ମଦ ବାହାରିଥିଲା । ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଅଞ୍ଚଳରୁ ମହୁଲି ମଦ ଆଣି ଭଦ୍ରକକୁ ଚାଲାଣ କରୁଥିବା ଉଭୟ ଡ୍ରାଇଭର ଓ ହେଲପର ସ୍ବୀକାର କରିଥିଲେ । ଏହି ଘଟଣାରେ ନନ୍ଦିପଦା ପୋଲିସ ଏକ ମାମଲା ରୁଜୁ କରି ଡ୍ରାଇଭର ଅବିନାଶ ଦାସ ଓ ହେଲପର ସତୀଶ ବଳକୁ ଗିରଫ କରିଛି । ଉଭୟ ବାଲେଶ୍ବର ଜିଲ୍ଲା ଖନ୍ତାପଡା ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।