ନୂଆଦିଲ୍ଲୀ: ସାରା ବିଶ୍ୱରେ ମହିଳା କ୍ରିକେଟ୍ ପ୍ରତି ବଢ଼ୁଥିବା ଆଗ୍ରହ ଏବଂ ଏହାର ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ଦେଖି ଆଇସିସି ଏକ ବଡ଼ ନିଷ୍ପତ୍ତି ନେଇଛି । ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ପୁରସ୍କାର ରାଶିରେ ବୃଦ୍ଧି କରାଯାଇଛି । ଜୁନ୍ ୧୨ରୁ ଆରମ୍ଭ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ଆଜି ଯାଏଁର ସବୁଠାରୁ ବଡ଼ ମହିଳା ଟି-୨୦ ବିଶ୍ୱକପ୍ ହେବ, ଯେଉଁଥିରେ ପ୍ରଥମ ଥର ପାଇଁ ୧୨ଟି ଦଳ ଅଂଶଗ୍ରହଣ କରିବେ । ଇଂଲଣ୍ଡର ସାତଟି ଗ୍ରାଉଣ୍ଡରେ ମୋଟ ୩୩ଟି ମ୍ୟାଚ୍ ଖେଳାଯିବ ।

ଏହି ବିଶ୍ୱକପ୍ ପାଇଁ ଆଇସିସି ପୁରସ୍କାର ରାଶି ବୃଦ୍ଧି କରିଛି । ଚାମ୍ପିଅନ ଦଳ ୨.୩୪ ମିଲିୟନ ଡଲାର ଏବଂ ରନର୍ସଅପ୍ ୧.୧୭ ମିଲିୟନ ଡଲାର ପାଇବେ । ଏହା ସହିତ, ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଦଳ ୨୪୭,୫୦୦ ଡଲାର ପାଇବେ । ସେମିଫାଇନାଲରେ ପରାଜିତ ଦଳକୁ ପ୍ରାୟ ୬୫.୬ ମିଲିୟନ ଡଲାର ମିଳିବ ।

ଆଇସିସି କେବଳ ନକଆଉଟ୍ ମ୍ୟାଚ୍ ପାଇଁ ନୁହେଁ ବରଂ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ପାଇଁ ମଧ୍ୟ ପୁରସ୍କାର ରାଶି ସ୍ଥିର କରିଛି । ଗ୍ରୁପ୍ ପର୍ଯ୍ୟାୟରେ ଜିତିଥିବା ପ୍ରତ୍ୟେକ ଦଳକୁ ପ୍ରାୟ ୨.୯ ନିୟୁତ ବୋନସ୍ ମିଳିବ । ଗତବର୍ଷ ଏକଦିବସୀ ବିଶ୍ୱକପ୍ ଜିତିବା ପରେ, ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ପ୍ରଥମ ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିବାକୁ ଲକ୍ଷ୍ୟ ରଖିବ । ଭାରତୀୟ ଦଳ ବିଶ୍ୱକପ ଜିତିବା ପାଇଁ ପ୍ରମୁଖ ଦାବିଦାରଙ୍କ ମଧ୍ୟରେ ଅଛି ।

ମହିଳା ଟି-୨୦ ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ପାଇଁ ୧୦ ବଦଳରେ ୧୨ ଦଳ ଅଂଶଗ୍ରହଣ କରୁଛନ୍ତି । ସମସ୍ତ ୧୨ ଦଳକୁ ଛଅ ଜଣିଆ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଲିଗ୍ ପର୍ଯ୍ୟାୟରେ, ପ୍ରତ୍ୟେକ ଦଳ ନିଜ ଗ୍ରୁପର ଅନ୍ୟ ପାଞ୍ଚଟି ଦଳ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ । ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇଟି ଦଳ ସିଧାସଳଖ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଟୁର୍ଣ୍ଣାମେଣ୍ଟରେ ମୋଟ ୩୩ଟି ମ୍ୟାଚ୍ ଖେଳାଯିବ ।

ବିଶ୍ୱକପ୍ ୨୦୨୬ ଗ୍ରୁପ୍

ଗ୍ରୁପ୍ ୧: ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ନେଦରଲ୍ୟାଣ୍ଡସ୍

ଗ୍ରୁପ୍ ୨: ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ସ୍କଟଲ୍ୟାଣ୍ଡ, ଆୟର୍ଲାଣ୍ଡ