ନୂଆଦିଲ୍ଲୀ: ଅନେକ ସମୟରେ ଅଭିଯୋଗ ହୁଏ, ଆଇଏଏସ୍‌ ଅଧିକାରୀମାନେ ସଠିକ୍‌ ଢ଼ଙ୍ଗରେ କାର୍ଯ୍ୟ କରୁନାହାନ୍ତି । ଆଉ କେତେକ କ୍ଷେତ୍ରରେ, ସେମାନଙ୍କ ଉପରେ ଚାପ ପକାଇ ଚୁପ କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ହୁଏ । ସେମିତି ଜଣେ ଆଇଏଏସ୍‌ ଅଫିସର ଏବେ ସାମ୍ନାକୁ ଆସିଛନ୍ତି । ତାଙ୍କୁ ତଳିଆ କର୍ମଚାରୀ ମଧ୍ୟ ଭୟ ଦେଖାଉଛନ୍ତି । ମହିଳା ଅଧିକାରୀ ଏନେଇ ଆଇଏଏସ୍‌ ଆସୋସସିଏନକୁ ଚିଠି ଲେଖି ନିଜର କ୍ଷୋଭ ପ୍ରକାଶ କରିଛନ୍ତି । 

ମଧ୍ୟପ୍ରଦେଶର ୨୦୧୧ ବ୍ୟାଚ୍‌ର ଆଇଏଏସ୍ (IAS) ଅଫିସର ନେହା ମାର୍ବ୍ୟାଙ୍କୁ ବର୍ଷକ ମଧ୍ୟରେ ୪ ଥର ବଦଳି କରାଯିବା ପରେ ସେ 'ଆଇଏଏସ୍ ଆସୋସିଏସନ୍'କୁ ଚିଠି ଲେଖିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ତଳିଆ କର୍ମଚାରୀମାନେ ମଧ୍ୟ ତାଙ୍କୁ ଧମକ ଦେଉଛନ୍ତି ଏବଂ ପ୍ରଶାସନିକ ବ୍ୟବସ୍ଥା ତାଙ୍କୁ ସମ୍ପୂର୍ଣ୍ଣ ବିଫଳ କରିଦେଇଛି।

ଜନଜାତି ଅଞ୍ଚଳ ବିକାଶ ପ୍ରକଳ୍ପର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ନେବାର ମାତ୍ର ୫୦ ଦିନ ମଧ୍ୟରେ ତାଙ୍କୁ ପୁଣି ବଦଳି କରାଯାଇଛି। ଏବେ ତାଙ୍କୁ ମଧ୍ୟପ୍ରଦେଶ ଅନୁସୂଚିତ ଜନଜାତି ଅର୍ଥ ଏବଂ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବରେ ଅବସ୍ଥାପିତ କରାଯାଇଛି। ଫାଇଲ୍ ଲୁଚାଇବା ଏବଂ ଅବଜ୍ଞା କରୁଥିବା କର୍ମଚାରୀଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରିବାରୁ କର୍ମଚାରୀମାନେ 'ପେନ୍-ଡାଉନ୍' (କାର୍ଯ୍ୟବନ୍ଦ) ଆନ୍ଦୋଳନ କରିଥିଲେ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବଦଳରେ ଓଲଟି ତାଙ୍କୁ ବଦଳି କରାଯାଇଛି।

ଆଇଏଏସ୍ ଆସୋସିଏସନର ହ୍ୱାଟ୍ସଆପ୍ ଗ୍ରୁପରେ ନିଜର ଦୁଃଖ ପ୍ରକାଶ କରି ନେହା ଲେଖିଛନ୍ତି ଯେ, ‘କାର୍ଯ୍ୟ ସଂପର୍କରେ ବୁଝିବା ପାଇଁ ମାତ୍ର ୨-୩ ମାସ ସମୟ ମିଳୁଛି। ତଳିଆ କର୍ମଚାରୀମାନେ ମୋ ଟେବୁଲ୍ ପିଟି ବଦଳି କରିଦେବାକୁ ଧମକ ଦେଉଛନ୍ତି। ଆଜି ମୁଁ ଶିକାର ହୋଇଛି, କାଲି ଅନ୍ୟ କୌଣସି ଅଫିସର ଏହାର ଶିକାର ହେବେ।’

ଏହା ପୂର୍ବରୁ ଜାନୁଆରୀ ୨୦୨୫ରେ ତାଙ୍କୁ ଡିଣ୍ଡୋରୀ କଲେକ୍ଟର ପଦରୁ ହଟାଯାଇଥିଲା। ୨୦୧୭ରେ ଶିବପୁରୀରେ ଗାଡ଼ି ପେମେଣ୍ଟକୁ ନେଇ ଏବଂ ୨୦୨୨ରେ ରାଜସ୍ୱ ବିଭାଗରେ କାର୍ଯ୍ୟଭାର ଗ୍ରହଣ ସମୟରେ ମଧ୍ୟ ସେ ବିବାଦର ସାମ୍ନା କରିଥିଲେ। ତେବେ ତାଙ୍କ ଚିଠି ଉପରେ ଆଇଏଏସ୍ ଆସୋସିଏସନ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।