ହାଇଦ୍ରାବାଦ: ଆରସିବି ବୋଲରଙ୍କୁ ନିର୍ଧୁମ ପ୍ରହାର କରି ରନର ବିଶାଳ ପାହାଡ ଠିଆ କଲା ଏସଆରଏଚ୍ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୪ ୱିକେଟ୍ ହରାଇ ୨୫୫ ରନ୍ କରିଛି । ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା, ଇଶାନ କିଶାନ ଏବଂ ହେନରିଚ୍ କ୍ଲାସେନ୍ ଅର୍ଦ୍ଧଶତକ ହାସଲ କରିଛନ୍ତି । ଇଶାନ କିଶାନ ସର୍ବାଧିକ ୭୧ ରନ୍ କରିଛନ୍ତି । ବେଙ୍ଗାଲୁରୁ ପକ୍ଷରୁ କ୍ରୁଣାଳ ପାଣ୍ଡ୍ୟା, ରସିଖ ଏବଂ ସୁୟାଶ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ପାଇଁ ଦୁଇ ଓପନର ଦମଦାର ଆରମ୍ଭ କରିଥିଲେ । ଅଭିଷେକ ଶର୍ମା ଏବଂ ଟ୍ରାଭିସ୍ ହେଡ୍ ପ୍ରଥମ ୱିକେଟ୍ ପାଇଁ ୪୫ ରନର ପାର୍ଟନରଶିପ୍ କରିଥିଲେ । ଟ୍ରାଭିସ୍ ହେଡ୍ (୨୬)ଙ୍କୁ ରସିଖ ଆଉଟ୍ କରିଥିଲେ । ଅଭିଷେକ ଶର୍ମା ୨୨ବଲରୁ ୫୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ହେନରିଚ୍ କ୍ଲାସେନ୍ ଏବଂ ଇଶାନ୍ କିଶାନଙ୍କ ମଧ୍ୟରେ ୪୮ ବଲରେ ୧୧୩ ରନ ପାର୍ଟନରଶିପ ହୋଇଥିଲା । ହେନରିଚ୍ କ୍ଲାସେନ୍ ୨୪ ବଲରୁ ୫୧ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଚତୁର୍ଥ ୱିକେଟ୍ ପାଇଁ ନୀତୀଶ ରେଡ୍ଡୀ ଏବଂ ଇଶାନ କିଶନଙ୍କ ମଧ୍ୟରେ ୨୨ ବଲରେ ୪୫ ରନ୍ ପାର୍ଟନରଶିପ୍ ହୋଇଥିଲା । ଇଶାନ କିଶନ ଇନିଂସରେ ଶେଷ ବଲରେ ୭୯ ରନ୍ କରି ଆଉଟ୍ ହୋଇଥିଲେ । ନୀତୀନ ରେଡ୍ଡୀ ୧୨ ବଲରୁ ୨୯ ରନ କରି ଅପରାଜିତ ରହିଥିଲେ ।

ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ, ସନରାଇଜର୍ସ ହାଇଦ୍ରାବାଦ ପ୍ଲେଅଫରେ ପହଞ୍ଚି ସାରିଛି । ଆରସିବି ବର୍ତ୍ତମାନ ୧୮ ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ଶୀର୍ଷରେ ଅଛି । ଉଭୟ ଦଳ ଶୀର୍ଷ ଦୁଇଟିରେ ରହିବାକୁ ଚେଷ୍ଟା କରିବେ । ନେଟ୍ ରନ୍ ରେଟରେ ଗୁଜରାଟକୁ ପଛରେ ପକାଇବା ପାଇଁ ଦଳକୁ ଭଲ ବ୍ୟବଧାନରେ ମ୍ୟାଚ୍ ଜିତିବାକୁ ପଡିବ । ସନରାଇଜର୍ସ ହାଇଦ୍ରାବାଦର ନେଟ୍ ରନ୍ ରେଟ୍ ୦.୩୫୦ ଥିବା ବେଳେ ଗୁଜରାଟ ଟାଇଟାନ୍ସର ନେଟ୍ ରନ୍ ରେଟ୍ ୦.୬୯୫ ରହିଛି ।