ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚ ଦେଶୀୟ କୂଟନୈତିକ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀ ରାଜଧାନୀ ରୋମରେ ପହଞ୍ଚିଛନ୍ତି। ସେଠାରେ ତାଙ୍କର ଭବ୍ୟ ସ୍ୱାଗତ ହୋଇଛି। ଏହା ପରେ ସେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିୟା ମେଲୋନୀଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ଅତ୍ୟନ୍ତ ବନ୍ଧୁତ୍ୱପୂର୍ଣ୍ଣ ପରିବେଶରେ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଓ ମେଲୋନୀ ପ୍ରଥମେ ଏକତ୍ର ଡିନର କରିଥିଲେ। ଏହା ପରେ ରୋମ ସଡ଼କରେ ‘କାର ଡିପ୍ଲୋମାସୀ’ରେ ଗୋଟିଏ ଗାଡ଼ିରେ ଯାତ୍ରା କରିଛନ୍ତି। ଏହି ଛବି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ତେବେ ଆସନ୍ତୁ ଜାଣିବା ଜର୍ଜିୟା ମେଲୋନୀଙ୍କ ମୋଟ ନେଟୱର୍ଥ କେତେ?

ଜର୍ଜିୟା ମେଲୋନୀଙ୍କ ଜନ୍ମ ରୋମରେ ୧୫ ଜାନୁୟାରୀ ୧୯୭୭ରେ ହୋଇଥିଲା। ସେ ମାତ୍ର ବର୍ଷକର ହୋଇଥିବା ବେଳେ ତାଙ୍କ ପିତା ପରିବାର ଛାଡି ଚାଲି ଯାଇଥିଲେ। ଏହା ପରେ ତାଙ୍କ ଘର ନିଆଁ ଲାଗି ଜଳି ଯାଇଥିଲା। ଫଳରେ ପରିବାରକୁ ରୋମର ଏକ ବସ୍ତି ଅଞ୍ଚଳ ଗାରବଟୈଲାକୁ ଯିବାକୁ ପଡିଥିଲା। ମାତ୍ର ୧୫ ବର୍ଷ ବୟସରେ ରାଜନୀତିରେ ପାଦଥାପିଥିବା ମେଲୋନୀ ତାଙ୍କ ପ୍ରାରମ୍ଭିକ ଦିନମାନଙ୍କରେ ନାଇଟ୍ କ୍ଲବମାନଙ୍କରେ ୱେଟ୍ରେସ୍ ଓ ବାରଟେଣ୍ଡର ରୂପେ କାମ କରିଥିଲେ।

ମେଲୋନୀଙ୍କ ସମ୍ପତ୍ତି କେତେ?
ଯଦି ମେଲୋନୀଙ୍କ ବ୍ୟକ୍ତିଗତ ସମ୍ପତ୍ତି କଥା କହିବା ତାଙ୍କ ପାଖରେ ସେଭଳି କୌଣସି ବଡ଼ ବ୍ୟାବସାୟୀକ ସାମ୍ରାଜ୍ୟ, ଅଥବା ଭିଲ୍ଲା କିମ୍ବା ମହଙ୍ଗା ବାହନଙ୍କ ସଂଗ୍ରହ ନାହିଁ। ତାଙ୍କ ଅଧିକାରୀକ ଡକ୍ୟୁମେଣ୍ଟ ହିସାବରେ ରୋମରେ ସେ ଏକ ସାଧାରଣ ଆପାର୍ଟମେଣ୍ଟରେ ରହନ୍ତି। ଏହା ଛଡା ତାଙ୍କର ପାଖରେ ସେଭଳି କୌଣସି ବଡ଼ ନିବେଶ ନାହିଁ କି ତାଙ୍କ ଉପରେ କୌଣସି ଋଣ ନାହିଁ। ୨୦୨୨ ମସିହାରେ ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇ ଇତିହାସ ରଚିଥିବା ମେଲୋନୀ ତାଙ୍କର ସାଧାରଣ ଜୀବନ ସୈଳୀ ଓ କଡ଼ା ନିଷ୍ପତ୍ତି ପାଇଁ ସାରା ଦେଶରେ ବେଶ୍ ଲୋକପ୍ରୀୟ। ଜର୍ଜିୟା ମେଲୋନୀଙ୍କ ମୋଟ ନେଟୱର୍ଥ ୨ ମିଲିୟନ ଡଲାର ଅର୍ଥାତ ୧.୬ରୁ ୨ ମିଲିୟନ ୟୁରୋ ମଧ୍ୟରେ ଆକଳନ କରାଯାଇଛି।

ମେଲୋନୀଙ୍କ ବେତନ ଓ ବାର୍ଷିକ ଆୟ କେତେ?
ସେଲେବ୍ରିଟି ନେଟୱର୍ଥ ରିପୋର୍ଟ ଅନୁସାରେ ଜର୍ଜିୟା ମେଲୋନୀ ୨୦୦୬ ମସିହାରୁ ଇଟାଲୀର ସାଂସଦ (ଚାମ୍ବର ଅଫ ଡେପୁଟିଜ୍) ସଦସ୍ୟା ରହି ଆସୁଛନ୍ତି।ତେବେ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ଆୟ ନିଶ୍ଚିତ ବଢିଛି ହେଲେ ସେ ଏକ ବଡ଼ ନିଷ୍ପତ୍ତି ମଧ୍ୟ ନେଇଛନ୍ତି।

  • ଇଟାଲୀ ପ୍ରଧାନମନ୍ତ୍ରୀ ଭାବେ ମିଳୁଥିବା ବାର୍ଷିକ ବେତନ ପାଖାପାଖି ୮୦ ହଜାର ୟୁରୋ (୮୫ହଜାର ଡଲାର)। ତେବେ ପ୍ରଧାନମନ୍ତ୍ରୀ ଭାବେ ଅତିରିକ୍ତ ଭତ୍ତାକୁ ମେଲୋନୀ ନେଉ ନାହାନ୍ତି। ସେ କେବଳ ସାଂସଦ ବେତନ ଗ୍ରହଣ କରୁଛନ୍ତି।
  • ଫାଇନାନ୍ସିଆଲ ଡିସକ୍ଲୋଜର ଓ ଟ୍ୟାକ୍ସ ରିଟର୍ଣ୍ଣ ଅନୁସାରେ ୨୦୨୨ ମସିହାରେ ତାଙ୍କର ମୋଟ ଘୋଷିତ ଆୟ ୨,୯୩,୫୩୧ ୟୁରୋ ଥିଲା। ତେବେ ତାଙ୍କର ଦୁଇଟି ପୁସ୍ତକ ‘ଆଇ ଆମ ଜର୍ଜିୟା’ ଓ ‘ଲା ଭର୍ସନେ ଡି ଜର୍ଜିୟା’ର ବମ୍ପର ବିକ୍ରି ପରେ ତାଙ୍କ ବାର୍ଷିକ ଆୟରେ ୫୦%ରୁ ଅଧିକ ବୃଦ୍ଧି ହୋଇଛି। ତାଙ୍କ ବାର୍ଷିକ ଆୟ ବଢି ୪,୫୯,୪୬୦ ୟୁରୋ ବା ୪.୧ କୋଟି ଟଙ୍କାକୁ ପହଞ୍ଚି ଯାଇଛି।