ନୂଆଦିଲ୍ଲୀ: ଇରାନ ଯୁଦ୍ଧ ପୁଣି ଥରେ ଚିନ୍ତାଜନକ ସ୍ଥିତିକୁ ଫେରିଛି । ଏହି ଲଢ଼େଇର ପ୍ରଭାବ ଏବେ ୟେମେନରେ ଦେଖିବାକୁ ମିଳୁଛି । ସାନା ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଲ୍ୟାଣ୍ଡ ହେଉଥିବା ଏକ ଜାହାଜ ଉପରେ ସାଉଦି ଆରବ ଆକ୍ରମଣ କରିଛି । ଏହି ବିମାନଟି ଇରାନର ‘ମହାନ ଏୟାରୱେଜ୍’ର ।

ୟେମେନର ହୁତି ବିଦ୍ରୋହୀ ସୋମବାର ଅଭିଯୋଗ କରିଛି ଯେ ସାଉଦି ଆରବ ଯାତ୍ରୀ ଭର୍ତ୍ତି ଏକ ବିମାନକୁ ଆକ୍ରଣ କରିଛି । ଇରାନର ଏକ ବିମାନକୁ ସାନା ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଓହ୍ଲାଇ ନଦେବା ପାଇଁ ଏୟାରଷ୍ଟ୍ରାଇକ କରିଛି । ସଇଦି ଆରବ ଏହି ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ ।

ହୁତି ସମର୍ଥିତ ‘ଅଲ-ମସିରାହ’ ଟେଲିଭିଜନ ଚ୍ୟାନେଲ କହିଛି ଯେ, ଏହି ଆକ୍ରମଣରେ ଏୟାରପୋର୍ଟର ଲ୍ୟାଣ୍ଡିଂ ଏବଂ ଟେକ୍-ଅଫ୍ ରନୱେକୁ ଟାର୍ଗେଟ କରାଯାଇଥିଲା । ହୁତି ନିୟନ୍ତ୍ରିତ ରାଜଧାନୀର ବାସିନ୍ଦାମାନେ ପ୍ରବଳ ବିସ୍ଫୋରଣର ଶବ୍ଦ ଶୁଣିଥିଲେ । ଷ୍ଟ୍ରାଇକ୍ ଯୋଗୁଁ ଜେଟ୍ ବିମାନଗୁଡ଼ିକ ଆକାଶରେ ଚକ୍କର କାଟୁଥିବାର ଦେଖିଥିଲେ ।

ରନୱେ ଉପରେ ଆକ୍ରମଣ ପରେ ଧୂଆଁର କଳା ବାଦଲ ବାହାରୁଥିବା ଦେଖାଯାଇଥିଲା । ଏହି ଆକ୍ରମଣ ପରେ ସେଠାରେ ଅପ୍ରତିକରଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ତୁରନ୍ତ ଅନ୍ୟ ବିମାନଗୁଡ଼ିକର ଲ୍ୟାଣ୍ଡିଂକୁ ରୋକି ଦିଆଯାଇଥିଲା ।

ଏପଟେ ୟେମେନରେ ସାଉଦି ସମର୍ଥିତ ସରକାର ଏହି ଆକ୍ରମଣ ଉପରେ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଏହି ସରକାର କହିଛନ୍ତି ଯେ ସେମାନେ ସୋମବାର ସାନା ଏୟାରପୋର୍ଟ ଉପରେ ଆକ୍ରମଣ କରିଛନ୍ତି । ସରକାର ଦାବି କରିଛନ୍ତି ଯେ ଏହି ବିମାନରେ ସାଧାରଣ ନାଗରିକ ନୁହେଁ, ବରଂ ହୁତିର ସଂଗ୍ରାମୀମାନେ ଥିଲେ । ସେମାନେ କହିଛନ୍ତି ଯେ ଏହି ଆକ୍ରମଣ ହୁତି ପ୍ରତିନିଧି ଦଳକୁ ନେଇ ଯାଉଥିବା ଏକ ଇରାନୀ ବିମାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ କରାଯାଇଛି ।

ଏହି ବିମାନଟି ଇରାନରୁ ଫେରୁଥିଲା । ୟେମେନର ସାଉଦି ସମର୍ଥିତ ସରକାର କହିଛି, ହୁତିମାନେ ୟେମେନର ନିଜସ୍ୱ ଜାତୀୟ ବିମାନକୁ ଲ୍ୟାଣ୍ଡିଂର ଅନୁମତି ଦେଉନଥିଲେ । ମାତ୍ର ଇରାନୀ ବିମାନକୁ ସାନାରେ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ, ଯାହା ୟେମେନର ସାର୍ବଭୌମତ୍ୱର ଉଲ୍ଲଂଘନ ଥିଲା । ଏଥିପାଇଁ ସରକାର ରନୱେକୁ ଟାର୍ଗେଟ କରିଥିଲେ ।