ନୂଆଦିଲ୍ଲୀ: ହ୍ୱାଟ୍ସଆପରେ ଗୋପନୀୟ କଥାବାର୍ତ୍ତା ଏବଂ ଜରୁରି ତଥ୍ୟ ସେୟାର କରୁଥିବା ଲୋକଙ୍କ ପାଇଁ ସାଇବର ସୁରକ୍ଷା ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ସାମନାକୁ ଆସିଛି । ହ୍ୱାଟ୍ସଆପ୍ ୱେବ୍ ବ୍ୟବହାର କରୁଥିବା ସମୟରେ ଅସାବଧାନତା ଯୋଗୁଁ ଆପଣଙ୍କ ଆକାଉଣ୍ଟ ଅନ୍ୟ କାହାରି ହାତକୁ ଚାଲିଯାଇପାରେ। ଏପରିକି ଆପଣଙ୍କ ବ୍ୟକ୍ତିଗତ ମେସେଜ୍ ପଢ଼ିବା ସହ ଆପଣଙ୍କ ପରିଚୟରେ ଅନ୍ୟମାନଙ୍କୁ ମେସେଜ୍ ପଠାଇବାର ଆଶଙ୍କା ରହିଛି । ନ୍ୟାସନାଲ୍ ସାଇବର୍ କ୍ରାଇମ ଆନାଲିଟିକ୍ସ ୟୁନିଟ୍ ହ୍ୱାଟ୍ସଆପ ୱେବର ବ୍ୟବହାର ଉପରେ ସତର୍କ କରାଇଛି । ଏହି ୟୁନିଟ୍ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନରେ କାମ କରୁଥିବା ଇଣ୍ଡିଅନ ସାଇବର କ୍ରାଇମ କୋ-ଅର୍ଡିନେସନ୍ ସେଣ୍ଟର (I4C) ଅଧିନରେ କାମ କରେ ।

ସତର୍କ ସୂଚନା ଅନୁଯାୟୀ, କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ହ୍ୱାଟ୍ସଆପ୍ ୱେବ୍ର ଆକ୍ଟିଭ୍ ଲଗ୍ଇନ୍ ସେସନ୍କୁ ଦୁର୍ବ୍ୟବହାର କରି ସାଇବର ଅପରାଧୀମାନେ ବ୍ୟବହାରକାରୀଙ୍କ ଆକାଉଣ୍ଟରେ ବିନା ଅନୁମତିରେ ପ୍ରବେଶ କରିପାରନ୍ତି । ଏହାଦ୍ୱାରା ଅପରାଧୀମାନେ ବ୍ୟକ୍ତିଗତ ମେସେଜ୍ ପଢ଼ିବା, ଆକାଉଣ୍ଟ ମାଲିକଙ୍କ ନାଁରେ ମେସେଜ୍ ପଠାଇବା ଏବଂ କଣ୍ଟାକ୍ଟ ଲିଷ୍ଟ ସହ ଗ୍ରୁପ୍ ଚାଟ୍ରେ ଥିବା ତଥ୍ୟ ହାସଲ କରିପାରନ୍ତି । ଏପରିକି ବିଶ୍ୱାସଯୋଗ୍ୟ ପରିଚୟର ଫାଇଦା ଉଠାଇ ଠକେଇ, ଫିସିଂ ଏବଂ ସୋସିଆଲ୍ ଇଞ୍ଜିନିୟରିଂ ଭଳି ସାଇବର ଅପରାଧ ଘଟାଇବାର ଆଶଙ୍କା ରହିଛି । ସାଇବର ଅପରାଧରୁ ଦୂରେଇ ରହିବା ପାଇଁ I4C ପକ୍ଷରୁ ସତର୍କତା ପରାମର୍ଶ ଦିଆଯାଇଛି ।

ସମ୍ବେଦନଶୀଳ ତଥ୍ୟ ଆଦାନପ୍ରଦାନରୁ ଦୂରେଇ ରୁହନ୍ତୁ

ଆକାଉଣ୍ଟକୁ ସବୁବେଳେ ଲଗ୍ଇନ୍ ରଖନ୍ତୁ ନାହିଁ

ପ୍ରତ୍ୟେକ ସେସନ୍ ପରେ ଲଗ୍ଆଉଟ୍ କରନ୍ତୁ

ଅଜଣା କମ୍ପ୍ୟୁଟରରେ ବ୍ୟବହାର କରନ୍ତୁ ନାହିଁ

ଇନକଗ୍ନିଟୋ ମୋଡ୍ ବ୍ୟବହାର କରନ୍ତୁ

ଆକାଉଣ୍ଟର ଅସ୍ୱାଭାବିକ କାର୍ଯ୍ୟକଳାପ ଉପରେ ନଜର ରଖନ୍ତୁ

ଡିଜିଟାଲ୍ ସୁରକ୍ଷା ନେଇ ବଢ଼ିଲା ଚିନ୍ତା

ବର୍ତ୍ତମାନ ସମୟରେ ବ୍ୟକ୍ତିଗତ ଓ ବୃତ୍ତିଗତ କାର୍ଯ୍ୟ ପାଇଁ ହ୍ୱାଟ୍ସଆପ୍ର ବ୍ୟବହାର ବଢ଼ିଚାଲିଛି । ତେଣୁ ଏହାର ସୁରକ୍ଷାକୁ ନେଇ ସାମାନ୍ୟ ଅବହେଳା ମଧ୍ୟ ବଡ଼ ସାଇବର ବିପଦ ସୃଷ୍ଟି କରିପାରେ । ସେଥିପାଇଁ ହ୍ୱାଟ୍ସଆପ୍ ୱେବ୍ ବ୍ୟବହାର କରିବା ସମୟରେ ସତର୍କ ରହିବା, ଅନାବଶ୍ୟକ ଲଗ୍ଇନ୍ ସେସନ୍ ବନ୍ଦ କରିବା ଏବଂ ପ୍ରତ୍ୟେକ ଥର ବ୍ୟବହାର ପରେ ଲଗ୍ଆଉଟ୍ କରିବାକୁ I4C ପରାମର୍ଶ ଦେଇଛି ।