News7 Logo

ହିମାଚଳ ପ୍ରଦେଶ ହେଲା ଦେଶର ପଞ୍ଚମ ପୂର୍ଣ୍ଣ ସାକ୍ଷର ରାଜ୍ୟ

NEWS7
Jayanta Choudhury

ନୂଆଦିଲ୍ଲୀ ୮।୯: ଶିକ୍ଷାମନ୍ତ୍ରାଳୟ ସୋମବାର ଜାତୀୟ ରାଜଧାନୀରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୫ ପାଳନ କରିଛି। ଏହି ଅବସରରେ ‘ଡିଜିଟାଲ ଯୁଗରେ ସାକ୍ଷରତାକୁ ପ୍ରୋତ୍ସାହିତ କରିବା’ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ହିମାଚଳ ପ୍ରଦେଶକୁ ଦେଶର ପୂର୍ଣ୍ଣ ସାକ୍ଷର ରାଜ୍ୟ ଘୋଷଣା କରାଯାଇଛି। ଏହା ପୂର୍ବରୁ ତ୍ରିପୁରା, ମିଜୋରାମ, ଗୋଆ ଓ କେନ୍ଦ୍ର ଶାସିତ ପ୍ରଦେଶ ଲଦ୍ଦାଖ ଏହି ଉପଲବ୍ଧି ହାସଲ କରିଛନ୍ତି।

ଡ.ଆମ୍ବେଦକର ଅନ୍ତରାଷ୍ଟ୍ରୀୟ କେନ୍ଦ୍ରରେ ଶିକ୍ଷାମନ୍ତ୍ରାଳୟଙ୍କ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ବାର୍ତ୍ତା ଦେଇ ସାକ୍ଷରତାକୁ ଆତ୍ମନିର୍ଭରତା ଓ ଶସକ୍ତିକରଣର ମାଧ୍ୟମ ବୋଲି କହିଛନ୍ତି। ସେ କହିଛନ୍ତି ଦେଶର ସାକ୍ଷରତା ହାର ୨୦୧୧ର ୭୪%ରୁ ବଢି ୨୦୨୩-୨୪ରେ ୮୦.୯% ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉଲ୍ଲାସ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମର ପ୍ରଗତିକୁ ଉଲ୍ଲେଖ କରି କହିଛନ୍ତି ଯେ ଏଥିରେ ଏ ପର୍ଯ୍ୟନ୍ତ ୩ କୋଟିରୁ ଅଧିକ ଶିକ୍ଷାର୍ଥୀ ଓ ୪୨ଲକ୍ଷ ସ୍ୱୟଂ ସେବକଙ୍କ ପଞ୍ଜିକୃତ ହୋଇଛନ୍ତି। 

ସେହିପରି ୧.୮୩ କୋଟି ଶିକ୍ଷାର୍ଥୀ ଆକଳନ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦% ସଫଳ ହୋଇଛନ୍ତି। ସେ ଯୁବ ଓ ଛାତ୍ରଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ସାକ୍ଷାରତା ଅଭିଯାନକୁ ଦେଶରେ ଜନ ଆନ୍ଦୋଳନରେ ରୂପାନ୍ତରିତ କରନ୍ତୁ। ଏହି ଅବସରରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ କଠିନ ଭୌଗଳିକ ପରିସ୍ଥିତିର ରାଜ୍ୟମାନେ ପୂର୍ଣ୍ଣ ସାକ୍ଷରତା ହାସଲ କରିବା ବାସ୍ତବିକ ଉଲ୍ଲେଖନୀୟ। ଚୌଧୁରୀ କହିଛନ୍ତି ଯେ ଭାରତ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ମାଧ୍ୟମରେ ଏହି ଉପଲବ୍ଧି ହାସଲ କରିଛି। ଯାହା ଅନ୍ୟ ଦେଶଙ୍କୁ କେତେ ଦଶନ୍ଧୀ ଲାଗି ଯାଇଥାନ୍ତା।