ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଖରିଫ୍ ବିପଣନ ଋତୁ (KMS) ୨୦୨୫-୨୬ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁଦୃଢ଼ ଓ ସ୍ୱଚ୍ଛ କରିବାକୁ ସୋମବାର ଏକ ଉଚ୍ଚସ୍ତରୀୟ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମେତ ବିଭାଗୀୟ ସଚିବମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ଯେ, ଧାନ କିଣାବେଳେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥ ରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ। ଧାନ ସଂଗ୍ରହରେ ଦଲାଲି ଏବଂ ବେଆଇନ କାରବାର ରୋକିବା ପାଇଁ ସରକାର କେତେକ କଡ଼ା ନିୟମ ଲାଗୁ କରିଛନ୍ତି। ଜିଲ୍ଲାପାଳମାନେ ପ୍ରତିଦିନ ଏହାର ସମୀକ୍ଷା କରିବେ। ବାହାର ରାଜ୍ୟର ଧାନ ଯେପରି ଓଡ଼ିଶା ମଣ୍ଡିକୁ ନଆସେ ସେଥିପାଇଁ ସୀମା ସିଲ୍ କରାଯିବ। ମଣ୍ଡିରେ ଚାଷୀଙ୍କ ପରିଚୟ ସଠିକ ଭାବେ ଯାଞ୍ଚ କରିବା ପାଇଁ 'ଆଇରିସ୍' ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି ଏବଂ କେବଳ ମଣ୍ଡି ଭିତରେ ହିଁ ଧାନ ଓଜନ କରାଯିବ। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ୨୪ ଘଣ୍ଟିଆ ସମୟସୀମା ଧାର୍ଯ୍ୟ ହୋଇଛି, ଯାହାକୁ ନୋଡାଲ ଅଫିସରମାନେ ତଦାରଖ କରିବେ । ଏଥି ସହିତ ଚାଷୀମାନେ ନିଜର ଅଭିଯୋଗ ଟୋଲ୍-ଫ୍ରି ନମ୍ବର ୧୯୬୭ ଜରିଆରେ ସିଧାସଳଖ ଜଣାଇପାରିବେ।

​​​​​​​

ମଣ୍ଡିଗୁଡ଼ିକରେ ଭିତ୍ତିଭୂମିର ସୁଧାର ସହ ଗାଡ଼ିଗୁଡ଼ିକର ସଠିକ ପରିବହନ ପାଇଁ ଭେହିକିଲ୍ ଟ୍ରାକିଂ ସିଷ୍ଟମ (VTS) ବ୍ୟବହାର କରାଯିବ। ପ୍ରତି ଧାନ ସଂଗ୍ରହ କେନ୍ଦ୍ର (PPC) ରେ ଚାଷୀଙ୍କ ପାଇଁ ପିଇବା ପାଣି, ଶୌଚାଳୟ, ବିଶ୍ରାମ ଗୃହ, ଆଲୋକ ଏବଂ ଧାନକୁ ବର୍ଷାରୁ ରକ୍ଷା କରିବା ପାଇଁ ପାଲ (ତାରପୋଲିନ୍) ର ବ୍ୟବସ୍ଥା କରାଯିବ। ଧାନ ଓଜନ କରୁଥିବା ଯନ୍ତ୍ରପାତିଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯିବ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ତୁଳନାରେ ଏଥର ଧାନ ସଂଗ୍ରହରେ ୫.୪୮% ଏବଂ ଚାଷୀ ସଂଖ୍ୟାରେ ୧୪% ଅଭିବୃଦ୍ଧି ଘଟିଛି। ଏହି ବର୍ଦ୍ଧିତ ଧାନର ସଂରକ୍ଷଣ ପାଇଁ ଭାରତୀୟ ଖାଦ୍ୟ ନିଗମ (FCI) ଅଧିକ ଅମଳ ହେଉଥିବା ଅଞ୍ଚଳରେ ନୂଆ ଗୋଦାମ ଘର ନିର୍ମାଣ କରିବେ। ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।