ନୂଆଦିଲ୍ଲୀ ୨୮।୦୯; କେଦାରନାଥ ଧାମ ଯାତ୍ରା ପଥରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯାତ୍ରା ମାର୍ଗର ବିଭିନ୍ନ ସ୍ଥାନରେ ପ୍ରାୟ ୪,୦୦୦ ପର୍ଯ୍ୟଟକ ତଥା ତୀର୍ଥଯାତ୍ରୀ ଫସି ରହିଛନ୍ତି । ପାହାଡ଼ ପାର୍ଶ୍ୱରୁ କ୍ରମାଗତ ଭାବେ ବଡ଼ ବଡ଼ ପଥର ଏବଂ ମାଟି ଅତଡ଼ା ଧସି ରାସ୍ତା ଉପରେ ପଡ଼ୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଫଳରେ ମାର୍ଗରୁ ଭଗ୍ନାବଶେଷ ହଟାଇ ରାସ୍ତା ସଫା କରିବା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି ।

ପ୍ରତିକୂଳ ପାଣିପାଗ ଓ ଅବିରତ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ କେଦାରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯିବା ସହ ସମସ୍ତ ହେଲିକପ୍ଟର ସେବାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି । ଅନ୍ୟପକ୍ଷରେ, ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନେକ ଜିଲ୍ଲା ପାଇଁ ଜରୁରୀକାଳୀନ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଡେରାଡୁନ, ଟିହରୀ, ହରିଦ୍ୱାର ଏବଂ ପୌଡ଼ି ଜିଲ୍ଲା ପାଇଁ ଅତି ପ୍ରବଳ ବର୍ଷାର ‘ରେଡ୍ ଆଲର୍ଟ’ ଜାରି ହୋଇଥିବା ବେଳେ ଉତ୍ତରକାଶୀ, ଚମୋଲି, ନୈନିତାଲ ଏବଂ ରୁଦ୍ରପ୍ରୟାଗ ଜିଲ୍ଲା ପାଇଁ ‘ଅରେଞ୍ଜ ଆଲର୍ଟ’ ଲାଗୁ କରାଯାଇଛି ।

ଏହାବାଦ୍ ବାଗେଶ୍ୱର, ଅଲମୋଡ଼ା, ଚମ୍ପାୱତ, ଉଧମ ସିଂହ ନଗର ଏବଂ ପିଥୋରାଗଡ଼ ଜିଲ୍ଲା ପାଇଁ ‘ୟେଲୋ ଆଲର୍ଟ’ ଜାରି ରହିଛି । ଲଗାଣ ବର୍ଷା ଓ ଭୂସ୍ଖଳନ ଆଶଙ୍କା ଥିବାରୁ ଯାତ୍ରୀମାନଙ୍କୁ ଆଗକୁ ନବଢ଼ି ଯେଉଁଠି ଅଛନ୍ତି ସେହି ସୁରକ୍ଷିତ ସ୍ଥାନରେ ରହିବାକୁ ପ୍ରଶାସନ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି ।