କୋଲକାତା: ପଶ୍ଚିମବଙ୍ଗ ବାରୁଇପୁରରେ ଜଣେ ୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ପୋଲିସ ଗୁଳିରେ ନିହତ ହୋଇଛି । ତେବେ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ତାଙ୍କ ଘରେ ହେବ ନାହିଁ । ଏହି ନିଷ୍ପତ୍ତି ପ୍ରାଣ ହରାଇଥିବା ପ୍ରଭାସ ମଣ୍ଡଳ ବାପା ମାଆ ନେଇଛନ୍ତି । ସେମାନଙ୍କ ମତରେ, ପ୍ରଭାସ କୌଣସି ଭଲ କାମ କରି ନାହିଁ, ତେଣୁ ତା'ର ମୃତଦେହ ଶେଷ ଥର ପାଇଁ ବି ଘର ଭିତରକୁ ଆସୁ ବୋଲି ଚାହୁଁନାହାନ୍ତି ।

ସନ୍ଧ୍ୟା ମଣ୍ଡଳ କହିଛନ୍ତି ଯେ ତାଙ୍କ ପୁଅ ଯାହା ପାଇବା କଥା ତାହା ପାଇଛି । ସେ ଏବେଠାରୁ ସମସ୍ତ ପ୍ରକ୍ରିୟା ଠାରୁ ଦୂରେଇ ରହିବାକୁ ଚାହାନ୍ତି । ସମ୍ବାଦ ସରବରାହ ସଂସ୍ଥା ଏନଆଇଏକୁ କହିଛନ୍ତି, "ମୋ ପୁଅ ଯାହା କରିଛି ସେଥିପାଇଁ ସେ ଦଣ୍ଡ ପାଇଛି । ମୁଁ ତା'ର ମୃତଦେହ ଗ୍ରହଣ କରିବି ନାହିଁ । ମୁଁ ତା'ର ଶବକୁ ଆମ ଘରକୁ ଆଣିବି ନାହିଁ । ସେ କୌଣସି ଭଲ କାମ କରିନାହିଁ । ସେ ଭୁଲ୍ କରିଥିଲା ଏବଂ ଦଣ୍ଡ ପାଇଲା । ତାକୁ ମାରି ଦିଅନ୍ତୁ କିମ୍ବା ଯାହା କରୁଛନ୍ତି କରନ୍ତୁ, ମୋର କୌଣସି ଆପତ୍ତି ନାହିଁ ।"

ସେ କହିଛନ୍ତି, ଦୁଇଜଣ ପୋଲିସ କର୍ମୀ ଯେତେବେଳେ ପୁଅର ମୃତ୍ୟୁ ଖବର ଦେବାକୁ ଆସିଥିଲେ, ସେତେବେଳେ ସେ ହସ୍ପିଟାଲ ଯିବାକୁ ମନା କରିଦେଇଥିଲେ । କାରଣ ତାଙ୍କ ଘରେ ଜଣେ ଅସୁସ୍ଥ ଏବଂ ଶଯ୍ୟାଶାୟୀ ସ୍ୱାମୀ ଅଛନ୍ତି । ସେ ଆହୁର କହିଛନ୍ତି, "ମୁଁ ସେମାନଙ୍କୁ କହିଥିଲି ଯାହା ଚାହୁଛନ୍ତି କରନ୍ତୁ, ମୋର କୌଣସି ଆପତ୍ତି ନାହିଁ ।"

ସୂତ୍ର ଅନୁସାରେ, ଅପରାଧ ସ୍ଥଳର କ୍ରାଇନ ସିନ୍ ରିକ୍ରିଏସନ ସମୟରେ ପ୍ରଭାସ ହେପାଜତରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା । ଏହି ସମୟରେ ଜଣେ ପୋଲିସ କର୍ମଚାରୀଙ୍କ ରିଭଲଭର ଛଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ପ୍ରଭାସ ମଣ୍ଡଳଙ୍କୁ ଗୁଳି କରାଯାଇଥିଲା ।

ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ପ୍ରଭାସ ନାବାଳିକାକୁ ପ୍ରଲୋଭିତ କରି ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲା । ସେଠାରେ ଅନ୍ୟ ଦୁଇଜଣଙ୍କ ସହ ମିଶି ଗଣଦୁଷ୍କର୍ମ କରିବା ପରେ ଜୀବନ୍ତ ଅବସ୍ଥାରେ ଏକ ବସ୍ତାରେ ଭର୍ତ୍ତି କରି ପୋଖରୀକୁ ଫିଙ୍ଗି ଦେଇଥିଲା । ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଚିହ୍ନଟ କରି ପୋଲିସରେ ଜିମା ଦେବା ପରେ ରବିବାର ପୋଖରୀରୁ ଝିଅଟିର ମୃତଦେହ ଉଦ୍ଧାର କରାଯାଇଥିଲା । ଅନ୍ୟ ଦୁଇଜଣ ଅଭିଯୁକ୍ତ ଆନନ୍ଦ ସର୍ଦ୍ଦାର ଏବଂ ଦିବାକର ସର୍ଦ୍ଦାରଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନେ ନିଜର ଅପରାଧ ସ୍ୱୀକାର କରିଛନ୍ତି ।

ଝିଅଟିର ଶବ ବ୍ୟବଚ୍ଛେଦ ରିପୋର୍ଟରେ ଯୌନ ନିର୍ଯାତନା ସ୍ପଷ୍ଟ ହୋଇଛି । ତାର ଶରୀର ସାରା କାମୁଡ଼ା ଚିହ୍ନ ବ୍ୟତୀତ ମୁଣ୍ଡରେ ଗଭୀର ଆଘାତ ଏବଂ ଗୁପ୍ତାଙ୍ଗରେ କ୍ଷତ ଚିହ୍ନ ଥିବା ପ୍ରକାଶ କରିଛି ।