ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ତୁହାକୁତୁହା ବର୍ଷା ଓ ପବନ ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି । ସବୁଠାରୁ ବଡ଼ ପ୍ରଭାବ ବିଦ୍ୟୁତ୍ ସେବା ଉପରେ ପଡ଼ିଛି, ଯାହାଫଳରେ ହଜାର ହଜାର ଲୋକ ଏବେ ଅନ୍ଧାରରେ ଅଛନ୍ତି ।

ରିପୋର୍ଟ ମୁତାବକ, ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ୩୦ରୁ ଊର୍ଦ୍ଧ୍ୱ ଇଲେକ୍ଟ୍ରିକ ପୋଲ୍ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି । ଅନେକ ସ୍ଥାନରେ ବିପଜ୍ଜନକ ଭାବେ ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ରାସ୍ତା ଉପରେ ପଡ଼ିରହିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଆତଙ୍କର ମାହୋଲ ସୃଷ୍ଟି ହୋଇଛି । ଜିଲ୍ଲାର ବଘିଆପଡ଼ା, ଯୋଗୀଭୁଗୁରା, ଓଲଣ୍ଡା, ଖୁଣ୍ଟିଆପଡ଼ା ଅଞ୍ଚଳରେ ସବୁଠାରୁ ଅଧିକ କ୍ଷୟକ୍ଷତି ରେକର୍ଡ କରାଯାଇଛି । ବଡ଼ ବଡ଼ ବିଦ୍ୟୁତ୍ ପୋଲ୍ ମୁଖ୍ୟ ରାସ୍ତା ଉପରେ ଭାଙ୍ଗି ପଡ଼ିଥିବାରୁ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ଖୁଣ୍ଟ ଭାଙ୍ଗିବା ଓ ତାର ଛିଣ୍ଡିବା କାରଣରୁ ପାଖାପାଖି ୧୦ରୁ ଅଧିକ ଗାଁ ଅନ୍ଧାରରେ ରହିଛନ୍ତି । ସେପଟେ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ପୁର୍ନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।