ନୂଆଦିଲ୍ଲୀ:  ଯୌତୁକ ଲୋଭୀ ବରକୁ ଚକ୍‌ମା ଦେଲେ କନ୍ୟାପକ୍ଷ । ବିବାହ ପୂର୍ବରୁ ମହିନ୍ଦ୍ରା ଥାର୍‌ ଗାଡ଼ି ଡିମାଣ୍ଡ କରିଥିଲେ ବରପକ୍ଷ । ହେଲେ କନିଆଙ୍କ ଘର ଲୋକେ ସେମାନଙ୍କୁ ଉଚିତ ଶାସ୍ତି ଦେବା ସହ ବାହାଘର ଭାଙ୍ଗି ଦେଇଛନ୍ତି । ଉତ୍ତର ପ୍ରଦେଶର ମେରଠରୁ ଏଭଳି ଅତ୍ୟନ୍ତ ରୋଚକ ତଥା ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି । ବିବାହ ପୂର୍ବରୁ ଯୌତୁକ ଦାବି କରିଥିବା ବରପକ୍ଷଙ୍କୁ କନ୍ୟାପକ୍ଷ ଅଭିନବ ଢଙ୍ଗରେ ଉଚିତ୍ ଜବାବ ଦେଇଛନ୍ତି। ବିବାହ ପୂର୍ବରୁ ବରପକ୍ଷଙ୍କ ତରଫରୁ ଯୌତୁକ ଆକାରରେ ଏକ ‘ମହିନ୍ଦ୍ରା ଥାର୍’ ଗାଡ଼ି ଦାବି କରାଯାଇଥିଲା । କନ୍ୟାପକ୍ଷ ସେମାନଙ୍କୁ ଅସଲି ଗାଡ଼ି ବଦଳରେ ଏକ ଖେଳନା ଥାର୍ ଗାଡ଼ି ଧରାଇ ବିଦା କରିଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାଟି ଶନିବାର ଦିନ ମେରଠର ସୋଲାନା ଗ୍ରାମରେ ଘଟିଛି ।  ବରପକ୍ଷ ବିବାହ ପୂର୍ବବର୍ତ୍ତୀ ଆଲୋଚନା ପାଇଁ ଆସିଥିଲେ। ଏକ ସାଧାରଣ ପାରିବାରିକ ଭେଟଘାଟ ଭାବରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଶେଷରେ ବରପକ୍ଷଙ୍କ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଥିଲା। ରିପୋର୍ଟ ଅନୁଯାୟୀ, ଜ୍ଞାନପୁର ଗ୍ରାମର ବାସିନ୍ଦା ଶମଶେର ନିଜ ପୁଅର ବିବାହ ସୋଲାନା ଗ୍ରାମର ଜଣେ ଯୁବତୀଙ୍କ ସହ ସ୍ଥିର କରିଥିଲେ। ଶନିବାର ସକାଳେ ସେ ବିବାହର ପାରମ୍ପରିକ ରୀତିନୀତି ଅନୁଯାୟୀ ପୁଅର ବିବାହ ସମ୍ବନ୍ଧୀୟ ପାରମ୍ପରିକ ପତ୍ର ଧରି କନ୍ୟା ଘରେ ପହଞ୍ଚିଥିଲେ।

ଏହି ଗସ୍ତ ସମୟରେ ଶମଶେର କନ୍ୟାପକ୍ଷଙ୍କ ଆଗରେ ଯୌତୁକ ଭାବରେ ଏକ ଥାର୍ ଏସୟୁଭି ଗାଡ଼ି ଦାବି କରିଥିଲେ। ତେବେ କନ୍ୟାପକ୍ଷର ଲୋକମାନେ ସେତେବେଳେ କୌଣସି ପ୍ରତିକ୍ରିୟା ନ ଦେଇ ନୀରବ ରହିଥିଲେ। ଏହା ବଦଳରେ ସେମାନେ ଶମଶେର ଏବଂ ତାଙ୍କ ସହ ଆସିଥିବା ଅନ୍ୟ ଅତିଥିମାନଙ୍କୁ ସକାଳୁ ରାତି ପର୍ଯ୍ୟନ୍ତ ନିଜ ଘରେ ଅଟକାଇ ରଖିଥିଲେ। ଶେଷରେ ଯେତେବେଳେ ବରପକ୍ଷ ସେଠାରୁ ଫେରିବାକୁ ବାହାରିଲେ, କନ୍ୟା ଘର ଲୋକେ ସେମାନଙ୍କୁ ଦାବି କରିଥିବା ଅସଲି ଥାର୍ ଗାଡ଼ି ବଦଳରେ ଏକ ଛୋଟ ଖେଳଣା ଥାର୍ ଗାଡ଼ି ଉପହାର ସ୍ୱରୂପ ହାତକୁ ବଢ଼ାଇ ଦେଇଥିଲେ। ଯୌତୁକ ଲୋଭୀ ବରପକ୍ଷଙ୍କୁ କନ୍ୟାଘର ଲୋକ ଏଭଳି ପାନେ ଦେବା ଶୈଳୀକୁ ନେଇ ଏବେ ସବୁଆଡ଼େ ଆଲୋଚନା ହେଉଛି।