ପାଟଣା ୨୦।୩: କେନ୍ଦୁଝରରେ ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଗ୍ରାମସଭା । ଶୁକ୍ରବାର ପାଟଣା ବ୍ଲକର ଧନୁର୍ଜୟପୁର ଗାଁରେ ୪ର୍ଥ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ପ୍ରସ୍ତାବିତ ପ୍ଲାଣ୍ଟ୍ ପାଇଁ ଏଠାରେ ୫୭.୧୧୦ ଏକର ଜମି ଅଧିଗ୍ରହଣ କରିବା ନେଇ ପ୍ରସ୍ତାବ ରହିଛି । ତେବେ ପ୍ରଶାସନ ନିକଟରେ ୩୭ ଦଫା ଦାବି ଉପସ୍ଥାପନ କରିଛନ୍ତି ସ୍ଥାନୀୟ ଲୋକ । ପ୍ରତି ଏକର ଜମି ପିଛା ୫୦ କୋଟି ଟଙ୍କା ଦାବି କରିଛନ୍ତି ।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚେମଣା ଗ୍ରାମ ପଞ୍ଚାୟତର ଧନୁର୍ଜୟପୁର ଗାଁ । ଜିଲ୍ଲାର ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରକଳ୍ପ ପାଇଁ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା ଗ୍ରାମସଭା । ଏଥିପାଇଁ ଗାଁର ୪୪ଟି ଖାତାର ୧୬୯ଟି ପ୍ଲଟ୍‌ର ୫୭.୧୧୦ ଏକର ଘରୋଇ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କ ମତାମତ ଗ୍ରହଣ କରାଯାଇଥିଲା । ଗ୍ରାମର ୨୩.୪୮୦ ଏକର ସରକାରୀ ଜମିକୁ ମିଶାଇ ମୋଟ୍ ୪୫ ପ୍ରତିଶତ ଜମି ଅଧିଗ୍ରହଣ ହେବ । ଚେମଣା ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ରାମସଭାରେ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

​​​​​​​

ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରକଳ୍ପ ପାଇଁ ୧୨ଟି ଗ୍ରାମସଭା ମଧ୍ୟରୁ ଶୁକ୍ରବାର ୪ର୍ଥ ଗ୍ରାମସଭା ଶେଷ ହୋଇଛି । ଗ୍ରାମର ପାଖାପାଖି ଅଧା ଜମି ଷ୍ଟିଲ୍ ପ୍ଲାଣ୍ଟରେ ଯାଉଥିବା ଯୋଗୁଁ ଗ୍ରାମବାସୀ ଏଥିପାଇଁ ୩୭ ଦଫା ଦାବି ପ୍ରଶାସନ ନିକଟରେ ଉପସ୍ଥାପିତ କରିଛନ୍ତି  l ଏଥିମଧ୍ୟରେ ଜମିହରାଙ୍କୁ ଏକର ପିଛା ୫୦ କୋଟି ଟଙ୍କାର କ୍ଷତିପୂରଣ, ନିଯୁକ୍ତି ସହ ଅନ୍ୟାନ୍ୟ ଦାବି ରହିଛି ।

Also Read:- Son Missing: ଚିକିତ୍ସା ପାଇଁ ଆଣିଥିଲେ, ପୁଅ ଭଲ ହେଲା କିନ୍ତୁ କୁଆଡ଼େ ପଳାଇଲା ; ଖୋଜି ଖୋଜି ନୟାନ୍ତ ମାଆ-ଭଉଣୀ

ଉଲ୍ଲେଖଯୋଗ୍ୟ ଯେ, ପାଟଣା ବ୍ଲକରେ JSW ଏବଂ ପୋସ୍କୋ କମ୍ପାନୀର ମିଳିତ ସହଯୋଗରେ ୪୦ ହଜାର କୋଟି ଟଙ୍କା ନିବେଶର ବାର୍ଷିକ ୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ହେବା ନେଇ ଗ୍ରାମସଭା ଅନୁଷ୍ଠିତ ହେଉଛି । ଏଥିପାଇଁ ପାଟଣା ବ୍ଲକ ଚେମଣା ପଞ୍ଚାୟତର ୮ଟି, ଜମୁନାପଶି ପଞ୍ଚାୟତର ୪ଟି ଗାଁ, ଏହିପରି ମୋଟ୍ ୧୨ଟି ଗାଁରେ ୨ ହଜାର ୪୬୬ ଏକର ଜମି ଅଧିଗ୍ରହଣ କରାଯିବ । ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।