ଲକ୍ଷ୍ନୌ: ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏପିଜେ ଅବଦୁଲ କଲାମ ବୈଷୟିକ ବିଶ୍ୱବିଦ୍ୟାଳୟ (AKTU) ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ସହ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି । ରାଜଧାନୀ ଲକ୍ଷ୍ନୌର ସିଦ୍ଧିଖେଡ଼ା ବାଳିକା ଗୃହ ବିଷୟରେ ଆଲୋଚନା କରି ସେ କହିଥିଲେ, ଆଜିକାଲି ପୁଅ ଏବଂ ଝିଅମାନେ ପ୍ରଥମେ ଘରୁ ପଳାଉଛନ୍ତି । ଯେତେବେଳେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଏକାଠି ପଳାଇଯାଆନ୍ତି । ସେମାନଙ୍କର ଏହି 'ପରାକ୍ରମ'ର ପରିଣାମ ସ୍ୱରୂପ ଏକ ସନ୍ତାନ ଜନ୍ମ ହୁଏ । ପରେ, ନା ସେମାନେ ଏହାକୁ ଗ୍ରହଣ କରନ୍ତି ନା ସେମାନଙ୍କ ପରିବାର ଏହାକୁ ଗ୍ରହଣ କରନ୍ତି, ଏବଂ ତା'ପରେ ସେହି ସନ୍ତାନର ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ ହୁଏ ।

ଛାତ୍ରଛାତ୍ରୀମାନଙ୍କୁ ସେ କହିଥିଲେ, "ଏହା ଆପଣ ସମସ୍ତଙ୍କର ପରାକ୍ରମ । କିନ୍ତୁ ଏଭଳି ପରାକ୍ରମ ଠାରୁ ଦୂରେଇ ରୁହନ୍ତୁ ।" ସେ କହିଥିଲେ ଯେ, "ମୋ ପୁଅ ମଧ୍ୟ ବେଙ୍ଗାଲୁରୁ ପଢ଼ିବାକୁ ଯାଇଥିଲା । ମୁଁ କହିଥିଲି ଯେ ଯଦି କୌଣସି ଝିଅ ପସନ୍ଦ ହୁଏ ତେବେ କହିବୁ, ମୁଁ ବାହାଘର କରିଦେବି । ହେଲେ ସେ ଏପରି କିଛି କଲାନାହିଁ । ଯଦି ଆପଣଙ୍କକୁ କେହି ପସନ୍ଦ ଆସୁଛି, ତେବେ ପ୍ରଥମେ ଆତ୍ମନିର୍ଭରଶୀଳ ହୁଅନ୍ତୁ, ତା'ପରେ ବିବାହ କରନ୍ତୁ । ମୁଁ ଲଭ୍ ମ୍ୟାରେଜର ବିରୋଧୀ ନୁହେଁ । କିନ୍ତୁ ଆତ୍ମନିର୍ଭରଶୀଳ ହେବା ପର୍ଯ୍ୟନ୍ତ ବିବାହ କରନ୍ତୁ ନାହିଁ, କିଛି ଭୁଲ୍ କରନ୍ତୁ ନାହିଁ ।"

ଏହି ଅବସରରେ ରାଜ୍ୟପାଳ ଅଙ୍ଗନବାଡ଼ି, ସ୍କୁଲ-କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ହେଉଥିବା ନିର୍ମାଣ କାର୍ଯ୍ୟର ଡିଜାଇନ୍ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସେ କହିଛନ୍ତି ଯେ ଏଠାରେ ହେଉଥିବା ନିର୍ମାଣ କାର୍ଯ୍ୟକୁ ଦେଖିଲେ ନିରାଶା ଲାଗେ । ରୁମର ମଝିରେ ଲାଇଟ୍ ଜଳାଇବା ବୋର୍ଡ ଲଗାଯାଇଥାଏ । ଅଙ୍ଗନବାଡ଼ିରେ ପିଇବା ପାଣିର ଟ୍ୟାପ୍ ଏତେ ଉପରେ ଅଛି ଯେ ପିଲାମାନେ ସେଠାରେ ପହଞ୍ଚିପାରୁ ନାହାନ୍ତି ।

ଶୌଚାଳୟ ଏତେ ଉଚ୍ଚରେ ଅଛି ଯେ ପିଲାମାନେ ପହଞ୍ଚିପାରିବେ ନାହିଁ । ଗୋଟିଏ ବିଶ୍ୱବିଦ୍ୟାଳୟର ପ୍ରଥମ ମହଲାରେ ଗୋଟିଏ ପଟେ ଭିସି ଏବଂ ଅନ୍ୟପଟେ ରେଜିଷ୍ଟ୍ରାରଙ୍କ ରୁମ୍ ଅଛି, ମଝିରେ ଲାଇବ୍ରେରୀ ପ୍ରସ୍ତାବ ଦିଆଯାଇଛି । ହଷ୍ଟେଲ ସେଠାରୁ ଏକ କିଲୋମିଟର ଦୂରରେ ଅଛି । ସେ ଏହି ସବୁ ତ୍ରୁଟି ଆଡ଼କୁ ଇସାରା କରି କହିଥିଲେ ଯେ, "ନିର୍ମାଣ କାର୍ଯ୍ୟ କରୁଥିବା ଲୋକଙ୍କ ଡିଗ୍ରୀ ଜାଲ୍ ନୁହେଁ ତ ?" ସେ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇ, ନିର୍ମାଣରେ ଗୁଣବତ୍ତା ସହିତ ଏହାର ଉପଯୋଗିତା ପ୍ରତି ଧ୍ୟାନ ଦେବାକୁ କହିଛନ୍ତି ।