ଆସିବ ୟୁନିଫାଏଡ ଡିଜିଟାଲ ଆଇଡେଣ୍ଟି ସିଷ୍ଟମ, ପ୍ୟାନ ଆଧାରରେ ବଦଳିବ ନାମ ଓ ନମ୍ୱର

Published By : Prameya-News7 Bureau | April 28, 2025 IST

ନୂଆଦିଲ୍ଲୀ ୨୮/୦୪: ଆଧାର, ପାନ୍‌, ଭୋଟର  ଆଇଡି ଏବଂ ଡ୍ରାଇଭିଂ ଲାଇସେନ୍ସ ଆଦିରେ ନାମ, ଠିକଣା,  ମୋବାଇଲ ନମ୍ବର ବଦଳାଇବା ଲାଗି ଲୋକଙ୍କୁ ଏବେ  ଭିନ୍ନ ଭିନ୍ନ ଅଫିସ୍‌ ଦୌଡିବାକୁ ପଡିବନି । ୟୁନିଫାଏଡ  ଡିଜିଟାଲ ଆଇଡେଣ୍ଟିଟି ସିଷ୍ଟମ ଲାଗୁ କରିବା ଲାଗି  ସରକାର ଏବେ ପ୍ରସ୍ତୁତି କରୁଛନ୍ତି । ଏଥିଲାଗି ସ୍ୱତନ୍ତ୍ର  ପୋର୍ଟାଲ ପ୍ରସ୍ତୁତ କରାଯାଉଛି । ଏଠାରେ ଗୋଟିଏ ସ୍ଥାନରେ ଲୋକମାନେ ଠିକଣା,ନମ୍ବର ବଦଳାଇ  ପାରିବେ । ସମସ୍ତ ଆବଶ୍ୟକୀୟ ପରିଚୟପତ୍ର ଏହା ଦ୍ୱାରା  ସିଧାସଳଖ ଅପ୍‌ଡେଟ ହୋଇଯିବ । 

ଏହି ପୋର୍ଟାଲକୁ ସ୍ୱତନ୍ତ୍ର ଭାବେ ଡିଜାଇନ  କରାଯାଉଛି । ଏଥିରେ ଆଧାର, ପାନ୍‌, ଡ୍ରାଇଭିଂ ଲାଇସେନ୍ସ  ଏବଂ ପାସ୍‌ପୋର୍ଟ ଭଳି ସମସ୍ତ ପରିଚୟପତ୍ରଗୁଡ଼ିକ  ଏକାସହ ସଂଯୋଗ ରହିବ । ଅପ୍‌ଡେଟ୍‌ ଲାଗି ପୋର୍ଟାଲକୁ  ଯାଇ ବିକଳ୍ପ ଚୟନ କରିବାକୁ ପଡ଼ିବ । ମୋବାଇଲ ନମ୍ବର,  ଠିକଣା ଭଳି ଭିନ୍ନ ଭିନ୍ନ ବିକଳ୍ପକୁ ଲୋକେ ବାଛିବେ । ଏ ସମ୍ପର୍କିତ ଦସ୍ତାବିଜ ଅପ୍‌ଲୋଡ୍‌ କରିବାକୁ ହେବ । ସମସ୍ତ  ଦସ୍ତାବିଜ ଗୁଡ଼ିକରେ ପରିବର୍ତ୍ତନ ୩ ଦିନରେ ହୋଇଯିବ । 

ପରିବର୍ତ୍ତନ ପରେ ନୂଆ ପରିଚୟପତ୍ର ହାସଲ  କରିବା ଲାଗି ଏହି ପୋର୍ଟାଲରେ ଏକ ବିକଳ୍ପ ରହିବ । ଏଥିଲାଗି ପୋର୍ଟାଲରେ ଶୁଳ୍କ ଦେବା ସହ ଆବେଦନ  କରିବାକୁ ହେବ । ୭ କାର୍ଯ୍ୟ ଦିବସରେ ଅପଡେଟ  ସହ ପରିଚୟପତ୍ର ଡାକ ଜରିଆରେ ଲୋକଙ୍କ ଘରେ  ପହଞ୍ଚିଯିବ । ଯେଉଁମାନେ କାର୍ଯ୍ୟାଳୟ ଯାଇ ପରିଚୟପତ୍ର  ନେବାକୁ ଚାହୁଁଛନ୍ତି ସେଥିଲାଗି ମଧ୍ୟ ବିକଳ୍ପ ରହିବ ।  ବିକଳ୍ପ ଚୟନ କରିବା ପରେ ମୋବାଇଲରେ ଅପଡେଟ  ପରିଚୟ ପତ୍ର ପାଇବା ଲାଗି ଦିନ ଏବଂ ସମୟ ସମ୍ପର୍କରେ  ଜଣାପଡ଼ିବ । 

ପ୍ରକ୍ରିୟା ସହ ଜଡ଼ିତ କେନ୍ଦ୍ର ସରକାରଙ୍କ ଜଣେ  ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ସିଷ୍ଟମର ଏବେ  ପରୀକ୍ଷଣ କରାଯାଉଛି । ଏଥିରେ ପ୍ରାଥମିକ ପର୍ଯ୍ୟାୟରେ  କିଛିଟା ଟେକ୍ନୋଲୋଜି ଏବଂ ଆଇନଗତ ସମସ୍ୟା  ରହିଥିଲା । ଏହାର ନିରାକରଣ ଚୂଡାନ୍ତ ପର୍ଯ୍ୟାୟରେ  ରହିଛି । ଡାଟା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ କରିବା ଚ୍ୟାଲେଞ୍ଜ  ଥିଲା । ଏ ଦିଗରେ କେନ୍ଦ୍ର ସରକାର ଏବେ କାମ କରୁଛନ୍ତି । 

ଟ୍ରାଏଲ ରନ୍‌ରେ ୯୦% ସଠିକତା ରହିଛି । ୯୮%  ସଠିକତା ପରେ ଏହାକୁ କାର୍ଯ୍ୟକାରୀ କରାଯିବ । ଏହାର  କିଛି ମାସ ପରେ ଏହି ପୋର୍ଟାଲକୁ ସାଧାରଣ ଲୋକଙ୍କ  ଲାଗି ବ୍ୟବହାର କରାଯିବ । ଏବେ ଯାଏ ଏହି ପୋର୍ଟାଲର  କୌଣସି ନାମ ଦିଆଯାଇନାହିଁ । ଚୂଡାନ୍ତ ପରୀକ୍ଷଣ ହେଲା  ପରେ ଏହାର ନାମ ଦିଆଯିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.