ନୂଆଦିଲ୍ଲୀ: ଭାରତର ପହଲଗାମ ପ୍ରତିଶୋଧ ଭୟରେ ଥରିଲାଣି ପାକିସ୍ତାନ। ଭାରତୀୟ ସେନା ଆକ୍ରମଣ କରିବା ଥୟ ବୋଲ କହିଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ। ଭାରତୀୟ ସାମରିକ ଆକ୍ରମଣ ଆସନ୍ନ ବୋଲି ସୋମବାର ରୟଟର୍ସକୁ ପ୍ରତିକ୍ରିୟା ଦେଇ କହିଛନ୍ତି ପାକ ପ୍ରତିରକ୍ଷା ମନ୍ତ୍ରୀ। ସେ କହିଛନ୍ତି “ଆମେ ଆମ ସେନାକୁ ମଜବୁତ କରିଛୁ କାରଣ ଯୁଦ୍ଧ ଏବେ ନିକଟତର ହେଲାଣି। ତେଣୁ ଏହି ପରିସ୍ଥିତିରେ କିଛି ରଣନୈତିକ ନିଷ୍ପତ୍ତି ନେବାକୁ ପଡିବ, ଏଥିପାଇଁ ନିଷ୍ପତ୍ତି ନିଆଯାଇଛି।"
ରୟଟର୍ସ ସହିତ ଆଲୋଚନା କଲା ବେଳେ ଖ୍ୱାଜା ମହମ୍ମଦ ଆସିଫ କହିଛନ୍ତି ଯେ ପାକିସ୍ତାନୀ ସେନା ଭାରତ ଆକ୍ରମଣର ସମ୍ଭାବନା ବିଷୟରେ ସରକାରଙ୍କୁ ଅବଗତ କରାଇଛି। ତେବେ କେଉଁ ଗୁଇନ୍ଦା ସୂଚନା କିମ୍ବା ହରକତ ଦେଇ ସେନା ଏହି ଆଶଙ୍କା କରିଛି ତାହା ସେ ସ୍ପଷ୍ଟ କରି ନାହିଁ। ପାକିସ୍ତାନ ହାଇ ଆଲର୍ଟରେ ଅଛି ଏବଂ ଯଦି ଆମ ଅସ୍ତିତ୍ୱ ପ୍ରତି ସିଧାସଳଖ ବିପଦ ସୃଷ୍ଟି ହେବ ତେବେ ଆମେ ପରମାଣୁ ଅସ୍ତ୍ର ବ୍ୟବହାର କରିବୁ ବୋଲି ଅସିଫ କହିଛନ୍ତି।
ପଢ଼ନ୍ତୁ- ‘ବାଲାକୋଟ୍ ଭଳି କାର୍ଯ୍ୟାନୁଷ୍ଠାନ ନୁହେଁ, ପାକିସ୍ତାନ ବିରୋଧରେ ଫୁଲ୍ ଆଣ୍ଡ୍ ଫାଇନାଲ୍ ହିସାବ ଜରୁରୀ...’
ଏପ୍ରିଲ ୨୨ ତାରିଖରେ, ଲସ୍କର-ଏ-ତୈବା (LeT) ଏକ ଶାଖା ଆତଙ୍କୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF)ର ୫-୬ ଆତଙ୍କବାଦୀ ପହଲଗାମରେ ୨୬ ଜଣଙ୍କୁ ହତ୍ୟା କରିଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ। ଧର୍ମ ଆଧାରରେ ଏମାନଙ୍କୁ ହତ୍ୟା କରାଯାଇଥିଲା। ଯେଉଁଥିପାଇଁ ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି।
ଭାରତ ଗତ ସପ୍ତାହରେ ଦଶନ୍ଧି ଧରି ଚାଲିଥିବା ସିନ୍ଧୁ ଜଳ ଚୁକ୍ତି (IWT)କୁ ସ୍ଥଗିତ କରିଥିଲା। ଏବଂ ଇସଲାମାବାଦ ସହିତ କୂଟନୈତିକ ସମ୍ପର୍କକୁ ବନ୍ଦ କରି ଦେଇଥିଲା। କେବଳ ସେତିକି ନୁହେଁ ପାକିସ୍ତାନୀ ନାଗରିକଙ୍କୁ ଜାରି କରାଯାଇଥିବା ସମସ୍ତ ବୈଧ ଭିସାକୁ ପ୍ରତ୍ୟାହାର କରି ନିଆଯାଇଛି। ୱାଘା ଅଟାରୀ ବର୍ଡର ବନ୍ଦ କରିବା ସହିତ ଭାରତରେ ଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଖୋଜି ଖୋଜି ବିଦା କରାଯାଉଛି। ସେହିପରି ପାକିସ୍ତାନରେ ଥିବା ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜବବାରେ ପାକିସ୍ତାନ ମଧ୍ୟ ଭାରତ ସହିତ ସମସ୍ତ ବାଣିଜ୍ୟ କାରବାର ସ୍ଥଗିତ ରଖିଛି। ଭାରତୀୟ ବିମାନ ସେବା ପାଇଁ ତାର ଆକାଶ ସୀମା ବନ୍ଦ କରିଦେଇଛି। ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ ତାଙ୍କ ପାଇଁ ଉଦ୍ଦିଷ୍ଟ ଜଳର ମୋଡ଼କୁ ଭାରତ ଅନ୍ୟତ୍ର ବୁଲାଇବାକୁ ଚେଷ୍ଟା କଲେ ତେବେ ଏହାକୁ ଯୁଦ୍ଧର ଆହ୍ୱାନ ଭାବେ ଦେଖିବ ବୋଲି ପାକିସ୍ତାନ କହିଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଆତଙ୍କବାଦୀଙ୍କୁ ନୁହେଁ, ବରଂ ଏହା ବରଂ ପଛରେ ଲୁଚି ରହିଥିବା ଲୋକଙ୍କୁ ମଧ୍ୟ ଦଣ୍ଡିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।