ନୂଆଦିଲ୍ଲୀ: ନିଶା ମାଫିଆଙ୍କ ଉପରେ କେନ୍ଦ୍ର ସରକାରଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍। ଏଣିକି ମେଡିସିନ୍ ଦୋକାନରେ ସହଜରେ ମିଳିବନି କଫ୍ ସିରପ୍ କିମ୍ବା ଟନିକ୍। ସିରପକୁ ନିଶା ଭାବେ ବ୍ୟବହାର କରିବା ଉପରେ ରୋକ୍ ଲଗାଇବାକୁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ। ଡ୍ରଗ୍ସ ରୁଲ୍ସ, ୧୯୪୫ରେ ଏକ ବଡ଼ ସଂଶୋଧନ କରିଛନ୍ତି ସରକାର। ନୂଆ ନିୟମ ଅନୁସାରେ ଏଣିକି ବିନା ଡାକ୍ତରୀ ପ୍ରେସକ୍ରିପସନରେ ଅଧିକ ଆଲକହଲ୍ ଥିବା ଓରାଲ୍ ମେଡିସିନ୍ ବିକ୍ରି ହୋଇପାରିବ ନାହିଁ।

ଦେଶରେ କଫ୍ ସିରପ୍ ଏବଂ ଟନିକ୍କୁ ନିଶା ଭାବେ ବ୍ୟବହାର କରିବାର ପ୍ରୋସେସ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷ କରି ଯୁବପିଢ଼ି ଏହି ମାରାତ୍ମକ ନିଶା ଜାଲରେ ଫସି ନିଜ ଜୀବନ ନଷ୍ଟ କରୁଛନ୍ତି। କଫ୍ ସିରପ୍କୁ ବହୁତ ପିଲା ନିଶା ଭାବେ ବ୍ୟବହାର କରୁଥିଲେ, କାରଣ ଏହା ସହଜରେ ମିଳିଯାଉଥିଲା। ଏହାକୁ ରୋକିବା ପାଇଁ ଏବେ କେନ୍ଦ୍ର ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ଔଷଧ ନିୟମରେ ବଡ଼ ପରିବର୍ତ୍ତନ କରି ଅଧିକ ଆଲକହଲ୍ ମାତ୍ରା ଥିବା ସମସ୍ତ ସିରପ୍ ଓ ଟନିକ୍କୁ 'ସେଡ୍ୟୁଲ୍ H1' (Schedule H1) ଶ୍ରେଣୀରେ ସାମିଲ କରିଛନ୍ତି।

ଏହି ନୂଆ ନିୟମ ପରେ ଏବେ ଏଭଳି ସିରପ୍ ଗୁଡ଼ିକ କାଉଣ୍ଟରରେ ଖୋଲାଖୋଲି ବିକ୍ରି ହୋଇପାରିବ ନାହିଁ। ଆପଣ ଭାବୁଥିବେ 'ସେଡ୍ୟୁଲ୍ H1' କଣ। ସେଡ୍ୟୁଲ H1ରେ ନିଦ ବଟିକା, ଶକ୍ତିଶାଳୀ ପେନ୍କିଲର୍ ଏବଂ ନିଶା ପାଇଁ ବ୍ୟବହାର କରାଯାଉଥିବା ସମ୍ବେଦନଶୀଳ ଦ୍ରବ୍ୟ ଗୁଡ଼ିକ ରହିଥାଏ। ୩୦ ମିଲିଲିଟରରୁ ବଡ଼ ଏବଂ ୧୨ ପ୍ରତିଶତରୁ ଅଧିକ ଆଲକହଲ୍ ଥିବା ସମସ୍ତ ଓରାଲ୍ ଦ୍ରବଣ ଉପରେ ଏହି ନିୟମ ଲାଗୁ ହେବ। ଏହାସହ ପୂର୍ବରୁ 'ସେଡ୍ୟୁଲ୍ K' ଅଧୀନରେ ମିଳୁଥିବା ସମସ୍ତ ସ୍ପେଶାଲ୍ ରିହାତିକୁ ସରକାର ଶେଷ କରିଦେଇଛନ୍ତି।

ନୂଆ ନିୟମ ଅନୁଯାୟୀ, ଏଣିକି କଫ୍ ସିରପ୍ ବୋତଲ ଉପରେ ସ୍ୱତନ୍ତ୍ର ସତର୍କତାମୂଳକ ୱାର୍ଣ୍ଣିଂ ଲେବଲ୍ ଲଗାଇବା ବାଧ୍ୟତାମୂଳକ ହେବ। କମ୍ପାନିରୁ ଉତ୍ପାଦନ ହେବା ଠାରୁ ଆରମ୍ଭ କରି ଖୁଚୁରା ଦୋକାନୀଙ୍କ ପାଖରେ ବିକ୍ରି ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସପ୍ଲାଇ ଚେନ୍ ଉପରେ ସରକାର ତୀକ୍ଷ୍ଣ ନଜର ରଖିବେ। ଏହି ନିୟମର ଡ୍ରାଫ୍ଟ ଅକ୍ଟୋବର ୨୦୨୫ରେ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏହା ଗେଜେଟ୍ରେ ପ୍ରକାଶ ପାଇବାର ୬ ମାସ ପରେ ଅର୍ଥାତ୍ ଆଗାମୀ ଜାନୁଆରୀ ୨୦୨୭ରୁ ସାରା ଦେଶରେ କଡ଼ାକଡ଼ି ଭାବେ ଲାଗୁ ହେବ। ଏହି ସମୟ ମଧ୍ୟରେ ଔଷଧ କମ୍ପାନି ଓ ଦୋକାନୀମାନଙ୍କୁ ସେମାନଙ୍କ ପ୍ୟାକିଂ ଓ ବିକ୍ରିର ତରିକା ବଦଳାଇବାକୁ ସମୟ ଦିଆଯାଇଛି।