ନୂଆଦିଲ୍ଲୀ ୩୦।୧୧: କେନ୍ଦ୍ର ସରକାର ଦେଶରେ ‘ଘରଭଡ଼ା ନିୟମ-୨୦୨୫’ ଲାଗୁ କରିଛନ୍ତି। ଭାରତର ଭଡ଼ାଗୃହ ବଜାରକୁ ଆଧୁନିକ ଓ ଔପଚାରିକ କରିବା ଦିଗରେ ଏହାକୁ ଏକ ବଡ଼ ପଦକ୍ଷେପ ମନେ କରାଯାଉଛି। ଦୀର୍ଘ ସମୟରୁ ଭଡ଼ାଟିଆମାନେ ମନ ଇଛା ଭଡ଼ା ବୃଦ୍ଧି, ଅତ୍ୟଧିକ ସୁରକ୍ଷା ଜମା ଓ କମଜୋର କାଗଜପତ୍ର ଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେବେ ନୂଆ ନିୟମକୁ ଖାସ କରି ବେଙ୍ଗାଲୁରୁ, ମୁମ୍ବାଇ, ହାଇଦ୍ରାବାଦ ଓ ପୁଣେ ଭଳି ସହରରେ ବସବାସ କରୁଥିବା ଭଡ଼ାଟିଆଙ୍କୁ ଆଶ୍ୱସ୍ତ କରିବା ଲାଗି ପ୍ରସ୍ତୁତ କରାଯାଇଛି।

ନୂଆ ନିୟମରେ ନା କେବଳ ଭଡ଼ାଟିଆଙ୍କୁ ସୁରକ୍ଷା ମିଳିବ ବରଂ ଘର ମାଲିକଙ୍କୁ ସ୍ପଷ୍ଟ ଅନୁପାଳନ ପ୍ରକ୍ରିୟା ଏବଂ ବିବାଦ ସମାଧାନ ପାଇଁ ଅଧିକ ନିର୍ଭରଯୋଗ୍ୟ ତନ୍ତ୍ର ମିଳିବ। ଏହା ଦ୍ୱାର ଭଡ଼ା ବଜାରରେ ପାରଦର୍ଶିତା ଓ ସନ୍ତୁଳନ ଆସିବାର ଆଶା କରାଯାଉଛି। ଏହି ସବୁ ସଂଶୋଧନରେ ଡିଜିଟାଲ ଅନୁପାଳନ ବାଧ୍ୟତାମୂଳକ କରାଯାଇଛି। ଏବେ ପ୍ରତ୍ୟେକ ଘରଭଡ଼ା ବୁଝାମଣାପତ୍ରକୁ ଡିଜିଟାଲ ଷ୍ଟାମ୍ପ କରିବାକୁ ପଡିବ ଓ ସ୍ୱାକ୍ଷର କରାଯିବାର ୬୦ ଦିନ ମଧ୍ୟରେ ଅନଲାଇନ ରେଜିଷ୍ଟ୍ରି କରିବା ବାଧ୍ୟତାମୂଳକ ହେବ। ଏଥି ପାଇଁ ରାଜ୍ୟସରକାରମାନଙ୍କୁ ସେମାନଙ୍କ ରେଜିଷ୍ଟ୍ରେସନ ପୋର୍ଟାଲକୁ ଅପଗ୍ରେଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ୱାରା ଦ୍ରୁତ ଡିଜିଟାଲ ସତ୍ୟାପନ ସମ୍ଭବ ହେବ।

ଯଦି ରେଜିଷ୍ଟ୍ରେସନ ନ କରାଯାଏ ତେବେ ୫ ହଜାର ଟଙ୍କାରୁ ଆରମ୍ଭ ହେବାକୁ ଥିବା ଜୋରିମାନା ଦେବାକୁ ପଡିପାରେ, ଯାହା ରାଜ୍ୟଙ୍କ ଦ୍ୱାରା ଧାର୍ଯ୍ୟ ନିୟମ ଅନୁସାରେ ବଢିବି ପାରେ। କେନ୍ଦ୍ର ସରକାରଙ୍କ କହିବା କଥା ହେଉଛି ଏହା ଦ୍ୱାରା ଠକେଇ, ପିଛିଲା ତାରିଖରେ ଏଗ୍ରିମେଣ୍ଟ ଓ ଅବୈଧ ବେଦଖଲ ଉପରେ ରୋକ ଲାଗିବ। ଘରଭଡ଼ା ସମ୍ପର୍କିତ ବିବାଦ ଏଇଭଳି ଦୁର୍ବଳ କାଗଜପତ୍ର କାରଣରୁ ଉପୁଜୁଥିଲା। ଟ୍ୟାକ୍ସ ଆଡଭାଇଜରୀ ପ୍ଲାଟଫର୍ମ ‘ଟ୍ୟାକ୍ସ ବଡି’ ର ବିଶ୍ଲେଷଣ ଅନୁସାରେ ଏହି ନିୟମରେ ଏ ପର୍ଯ୍ୟନ୍ତ ଭାରତରେ ଅନିୟମିତ ଥିବା ଭଡ଼ା ବଜାରକୁ ଶେଷରେ ସ୍ପଷ୍ଟ ଓ ମଜଭୁତ ଭିତ୍ତିଭୂମି ମିଳିଛି।

ଏଥିରେ ସବୁଠୁ ବଡ଼ ଆଶ୍ୱସ୍ତି ମହାନଗରମାନଙ୍କରେ ମିଳିବ, ଯେଉଁଠି ସୁରକ୍ଷା ଜମା ସାଧାରଣରେ ୮-୧୦ ମାସର ଭଡ଼ା ପର୍ଯ୍ୟନ୍ତ ପହଞ୍ଚି ଯାଉଥିଲା। ନୂଆ ନିୟମ ଅନୁସାରେ ଏବେ ଆବାସୀୟ ସମ୍ପତ୍ତି ଉପରେ ସୁରକ୍ଷା ଜମା ସର୍ବାଧିକ ୨ ମାସର ଘରଭଡ଼ା ମଧ୍ୟରେ ସୀମିତ ରହିବ। ଏହା ଦ୍ୱାରା ବଡ଼ବଡ଼ ସହରାଞ୍ଚଳମାନଙ୍କରେ ଘର ବଦଳାଉଥିବା ଲୋକଙ୍କ ଉପରେ ପଡୁଥିବା ଭାରି ଆଡଭାନ୍ସର ଆର୍ଥିକ ବୋଝ ବେଶ୍ କମ୍ ହୋଇଯିବ। ସେହିପରି ଭଡ଼ା ବୃଦ୍ଧି ଉପରେ ମଧ୍ୟ କଡ଼ା ବ୍ୟବସ୍ଥା କରାଯାଇଛି। ହୋମ ରେଣ୍ଟ ରୁଲ ୨୦୨୫ ଅନୁସାରେ ଭଡ଼ା ବୃଦ୍ଧି ବର୍ଷକରେ ଥରେ କରାଯାଇ ପାରିବ। ଏଥି ଲାଗି ଘର ମାଲିକଙ୍କୁ ୯୦ ଦିନ ପୂର୍ବରୁ ଭଡ଼ା ବୃଦ୍ଧି ନୋଟିସ୍ ଜାରି କରିବାକୁ ପଡିବ।

ଏବେ ମନ ଇଛା ଅନୁବନ୍ଧ ମଧ୍ୟରେ ବଢା ଯାଉଥିବା ଘର ଭଡ଼ା ଆଇନତଃ ଅବୈଧ ହେବ। ନିୟମରେ ଆର୍ଥିକ ପାରଦର୍ଶିତା ବଢା ଯାଇଛି। ଏବେ ୫ ହଜାରରୁ ଅଧିକ ଭଡ଼ା କେବଳ ଡିଜିଟାଲ ପୈଠ କରାଯିବ। ଏଣୁ ନେଣଦେଣର ସ୍ପଷ୍ଟ ରେକର୍ଡ ରହିବ ଓ ନଗଦ ବିବାଦ କମ୍ ହେବ। ସେହିପରି ମାସିକ ଭଡ଼ା ୫୦ ହଜାରରୁ ଅଧିକ ହେଲେ ସେକ୍ସନ ୧୯୪-ଆଇବି ଅନୁସାରେ ଟିଡିଏସ୍ କାଟିବା ବାଧ୍ୟତାମୂଳକ ହେବ। ଭଡ଼ା ବୁଝାମଣାରେ ସରକାର ଏକ ଷ୍ଟାଣ୍ଡାର୍ଡାଇଜ୍ ରେଣ୍ଟେଡ ଏଗ୍ରିମେଣ୍ଟେ ଟେମ୍ପଲେଟ୍ ଜାରି କରିବେ। ଏହି ଟେମ୍ପଲେଟ୍ ନିରୀକ୍ଷଣ, ମରାମତି, ଭଡାଟିଆଙ୍କ ଅଧିକାର, ସମ୍ପତ୍ତି ରକ୍ଷଣାବେକ୍ଷଣା ଓ ବେଦଖଲ ଆଦି ସର୍ତ୍ତଗୁଡିକୁ ସ୍ପଷ୍ଟ ରୂପେ ପରିଭାଷିତ କରିବ।

ଏହା ଦ୍ୱାରା ଗୃହ ନିର୍ମାଣରେ ଦୁର୍ବଳ କଣ୍ଟ୍ରାକ୍ଟସ ସମସ୍ୟା ସମାପ୍ତ ହେବ। ନୂଆ ନିୟମରେ ଏକ ମୁଖ୍ୟ ବିଶେଷତା ହେଉଛି ଭଡ଼ା ନ୍ୟାୟାଳୟ ଓ ଭଡ଼ା ନ୍ୟାୟାଧିକରଣ ଗଠନ କରାଯିବ। ଏହି ସଂସ୍ଥାମାନେ ଭଡ଼ା ବିବାଦ ଯେପରିକି ସୁରକ୍ଷା ଜମାକୁ ରୋକିବା, ଭଡ଼ା ନଦେବା ଓ ସମ୍ପତ୍ତିର କ୍ଷତି ହେବା ଭଳି ମାମଲାଗୁଡିକର ସମାଧାନ ୬୦ ଦିନ ମଧ୍ୟରେ କରାଯିବ। ଏ ପର୍ଯ୍ୟନ୍ତ ଏପରି ବିବାଦ ସାଧାରଣ ନ୍ୟାୟାଳୟରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଲମ୍ବିତ ରହୁଥିଲା।