ନୂଆଦିଲ୍ଲୀ ୨୨।୦୬; ଛୁଟି ବିତାଇବା ଲାଗି ଗୃହ ସ୍ଥାନକୁ ଯାତ୍ରା କରିବା କିମ୍ବା କୌଣସି ସାମାଜିକ ଉତ୍ସବ ପାଇଁ ପରିବାର ସହିତ ସହର ବାହାରକୁ ଯିବା କଥା ଉଠିଲେ ପ୍ରଥମେ ଘରର ସୁରକ୍ଷା ଚିନ୍ତା ଲୋକଙ୍କ ମନକୁ ଆସିଥାଏ। ଏହି ସୁଯୋଗରେ ଚୋର ବଳକାର ଦୁର୍ବୃତ୍ତ ଚୋରିର ଆଶଙ୍କା ଥିବାରୁ ଘର ଜଗିବ ସେ କଥା ଭାବି ବହୁ ସମୟରେ ଲୋକେ ବୃଥା ଯାତ୍ରା ଯୋଜନାକୁ ବାତିଲ କରିଥାନ୍ତି। ଏଭଳିକ୍ଷେତ୍ରରେ ଉତ୍ତରପ୍ରଦେଶ ଗୋରଖପୁର ପୋଲିସ ଏହି ସମସ୍ୟାର ସମାଧାନ ଲାଗି ଏବେ ଏକ ଅଭିନବ ଅଭିଯାନ ଆରମ୍ଭ କରିଛି। ସେ ଅନୁସାରେ, ଚୋରି ରୋକିବା ଲାଗି ଖାଲି ପଡ଼ିଥିବା ଘର ଉପରେ ଏବେ ପୋଲିସ ସ୍ଵତନ୍ତ୍ର ଭାବେ ନଜର ରଖିବ। ଲୋକଙ୍କୁ କେବଳ ଘର ବନ୍ଦ କରି କାହାକୁ ଯିବା ପୂର୍ବରୁ ନିକଟସ୍ଥ ଥାନାରେ ସେ ସମ୍ପର୍କରେ ସୂଚନା ଦେବାକୁ ହେବ।

ଏସପି ନିର୍ମିତ ପରିଲ କହିଛନ୍ତି, ସାଧାରଣତଃ ଖାଲି ପଡ଼ିଥିବା ଘରକୁ ଚୋର ଟାର୍ଗେଟ୍ କରିଥାନ୍ତି। ଦୀର୍ଘ ସମୟ ଧରି ରେକି କରିବା ପରେ ସୁଯୋଗ ଦେଖି ସୁନା, ରୂପା ଗହଣା, ମୂଲ୍ୟବାନ ଜିନିଷ ଉଠାଇ ନେଇଥାନ୍ତି। ବିଗତ କିଛି ଦିନ ମଧ୍ୟରେ ସହରରେ ଘଟିଥିବା ଅନେକ ଚୋରି ଘଟଣାର ପଛରୁ ଏହି ପାର୍ଟନ ସାମ୍ନାକୁ ଆସିଛି। ସେହି ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇ ସମାଧାନ ଲାଗି ଜୁନ୍-୧୬ ଏହି ଅଭିନବ ଅଭିଯାନ ଆରମ୍ଭ କରାଯାଇଛି। ଏଥିଲାଗି ପୋଲିସ ଟିମ୍ ସହରର ବିଭିନ୍ନ ଅଞ୍ଚଳରେ ଅଟୋ ଏବଂ ଇ-ରିକ୍ସାରେ ବୁଲି ବୁଲି ଲାଉଡସ୍ପିକର ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛି। ଏଥିସହ ଆଲାର୍ମ ହ୍ଵାଟସଆପ୍ ଗ୍ରୁପ୍ ଏବଂ ଅନ୍ୟ ଡିଜିଟାଲ ମାଧ୍ୟମ ଦ୍ଵାରା ଘର ଛାଡ଼ିବା ପୂର୍ବରୁ ଥାନାକୁ ସେଥିନେଇ ସୂଚନା ଦେବାକୁ ଲୋକଙ୍କୁ ନିବେଦନ କରାଯାଇଛି।

ଯଦି କେହି ପରିବାର ସହ କିଛି ଦିନ ଲାଗି ବାହାରକୁ ଯାଆନ୍ତି ତେବେ ସୂଚନା ପାଇବା ପରେ ତାଙ୍କ ଘର ନିକଟରେ ପୋଲିସ ପାଟ୍ରୋଲିଂକୁ ବଢ଼ାଇ ଦିଆଯିବ। ପାଟ୍ରୋଲିଂ ଟିମ୍ ନିୟମିତ ଭାବେ ସେହି ଘର ଉପରେ ନଜର ରଖିବେ। ଏହାପରେ କୌଣସି ସନ୍ଦିଗ୍ଧ ଗତିବିଧି ନଜର ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ସେ କହିଛନ୍ତି।ସ୍ଥାନୀୟ ଲୋକଙ୍କ ଅନୁସାରେ, ଗୋରଖପୁର ପୁଲିସର ଏହି ଅଭିଯାନ କେବଳ ଚୋରି ଘଟଣାକୁ ରୋକିବାରେ ସହାୟକ ହେବନାହିଁ । ଲୋକଙ୍କର ପୁଲିସ ଉପରେ ଭରସାକୁ ମଧ୍ୟ ବୃଦ୍ଧି କରିବ।