Women's reservation Bill:ସଂସଦରେ ମହିଳା ସଂରକ୍ଷଣ ସଂଶୋଧନ ବିଲ୍କୁ ନେଇ ଗୁରୁବାର ଆଲୋଚନା ଜାରି ରହିଛି। ବିରୋଧୀ ଏହାକୁ ବିରୋଧ କରୁଥିବା ବେଳେ ସରକାର ତାଙ୍କ ପକ୍ଷ ରଖୁଛନ୍ତି। ଏହାରି ଭିତରେ ମୁସ୍ଲିମ ମହିଳାଙ୍କ ସଂରକ୍ଷଣକୁ ନେଇ ସପା ମୁଖ୍ୟ ଅଖିଳେଶ ଯାଦବ ଓ ଅମିତ ଶାହଙ୍କ ମଧ୍ୟରେ ତର୍କ ତୀବ୍ର ହୋଇଛି। ଅଖିଳେଶ ଯାଦବଙ୍କୁ କଡ଼ା ଉତ୍ତର ଦେଇ ଶାହ କହିଛନ୍ତି ଆପଣଙ୍କ ଦଳର ସମସ୍ତ ଟିକେଟ ମହିଳାଙ୍କୁ ଦେଇ ଦିଅନ୍ତୁ।

ଏପ୍ରିଲ ୧୬ରୁ ୧୮, ଏହି ତିନି ଦିନ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ବସିବ। ଏଥିରେ ସଂରକ୍ଷଣ ସଂଶୋଧନ ବିଲ୍ ୨୦୨୬, ସୀମା ନିର୍ଦ୍ଧାରଣ ବିଲ୍ ୨୦୨୬, ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ବିଲ୍ ୨୦୨୬ ଏହି ୩ ବିଲ୍ ଉପରେ ଆଲୋଚନା ହେବ। ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଆବଶ୍ୟକତା ଦର୍ଶାଇ ସରକାର ମତ ଦେଉଥିବା ବେଳେ ବିରୋଧୀ କିନ୍ତୁ ଗମ୍ଭୀର ସାମ୍ବିଧାନିକ ଓ ରାନୈତିକ ପ୍ରଶ୍ନ ନେଇ ଘେରିବାକୁ ଚେଷ୍ଟା କରୁଛି। ​​​​​​​

ଅଖିଳେଶଙ୍କ ପ୍ରଶ୍ନ-

ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ଅଖିଳେଶ ଯାଦବ ସଂସଦରେ ତାଙ୍କ ମତ ରଖିଥିଲେ। ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ମୁସଲିମ ମହିଳାଙ୍କୁ ଅଲଗା ସଂରକ୍ଷଣ ମିଳିବା ଉଚିତ ବୋଲି ଅଖିଳେଶ ଦାବି କରିଥିଲେ। ଏଥିସହିତ ସରକାର କାହିଁକି ଜନଗଣନା ପର୍ଯ୍ୟନ୍ତ ଅପେକ୍ଷା କରୁ ନାହାନ୍ତି, ଏବଂ ତାଙ୍କ ଦଳ ଅନେକ ସମୟରେ ଜାତିଗତ ଜନଗଣନା ଦାବି କରି ଆସୁଛି ବୋଲି ଅଖିଳେଶ ଯାଦବ ତର୍କ ଦେଇଥିଲେ।

ଶାହଙ୍କ ଉତ୍ତର-

ଅଖିଳେଶଙ୍କ ଏହି ପ୍ରଶ୍ନର ଉତ୍ତର ରଖିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ସରକାର ମଧ୍ୟ ଜାତିଗତ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଘର ଗଣନା ଚାଲିଛି। ଜନଗଣନା ଆରମ୍ଭ ହେବା ପରେ ଜାତି ବର୍ଗକୁ ଯୋଡ଼ାଯିବ,ଏବଂ ଏହାର ଗଣନା କରାଯିବ ବୋଲି ଶାହ ଉତ୍ତର ଦେଇଛନ୍ତି।

ତେବେ ଧାର୍ମିକ ଆଧାରରେ ସଂରକ୍ଷଣ ଦେବାକୁ ଅଖିଳେଶଙ୍କ ପ୍ରସ୍ତାବାକୁ ଦୃଢ଼ ବିରୋଧ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ଧର୍ମ ଆଧାରରେ ସଂରକ୍ଷଣ ଗ୍ରହଣୀୟ ନୁହେଁ, ଏବଂ ଧାର୍ମିକ ଆଧାରରେ ମୁସଲମାନମାନଙ୍କୁ ସଂରକ୍ଷଣ ଦେବା ଅସାମ୍ବିଧାନିକ ହେବ ବୋଲି ଶାହ କହିଛନ୍ତି। ସମାଜବାଦୀ ପାର୍ଟିକୁ କଟାକ୍ଷ କରି ଶାହ କହିଛନ୍ତି ଯେ ସମାଜବାଦୀ ପାର୍ଟି ତାର ସମସ୍ତ ଟିକେଟ ମୁସଲିମ ମହିଳାଙ୍କୁ ଦେଇପାରିବ, ଆମର କୌଣସି ଆପତ୍ତି ନାହିଁ।

ଜବାବ ଦେଲେ ଅଖିଳେଶ-

ଶାହଙ୍କ ଉତ୍ତର ପରେ ଅଖିଳେଶ ଯାଦବ ତୁରନ୍ତ ଅମିତ ଶାହଙ୍କୁ ଟାର୍ଗେଟ୍ କରିଥିଲେ। ଗୃହମନ୍ତ୍ରୀଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ। କ’ଣ ମୁସଲିମ ମହିଳାମାନେ ଜନସଂଖ୍ୟାର ଅଂଶ ନୁହଁନ୍ତି କି ? ମୁସ୍ଲିମ ମହିଳା ଜନସଂଖ୍ୟାର ଅଧା ବୋଲି କହି ଶାହଙ୍କୁ ପ୍ରଶ୍ନ କରିଥିଲେ ସପା ସୁପ୍ରିମୋ।